ବ୍ୟାସନଗରରୁ ଚୋରି କାର୍‌ କଟକରୁ ଉଦ୍ଧାର, ୨ ଗିରଫ

ବ୍ୟାସନଗର: ଯାଜପୁରରୋଡ ଥାନା ଅନ୍ତର୍ଗତ ବ୍ୟାସନଗର ସହରର ହୋଟେଲ ମୀରାବେଲ୍‌ ସମ୍ମୁଖରୁ ଚୋରି ହୋଇଥିବା ଇଣ୍ଡିଗୋ କାର୍‌ କଟକରୁ ଜବତ କରାଯାଇଛି। ଏହି ମାମଲାରେ ଯାଜପୁରରୋଡ ପୁଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ କଟକ ମଧୁପାଟଣା ଥାନା ଅନ୍ତର୍ଗତ କଲ୍ୟାଣୀନଗର ଅଞ୍ଚଳର ଅଜୟ ନାୟକଙ୍କ ପୁଅ ଭୋଳାନାଥ(୧୯) ଓ ଜ୍ୟୋତିପ୍ରକାଶ ମହାନ୍ତିଙ୍କ ପୁଅ ସୂର୍ଯ୍ୟପ୍ରକାଶ(୧୯)।

ଅଭିଯୁକ୍ତମାନଙ୍କ ନିକଟରୁ ପୁଲିସ ଓଆର-୦୫ଏସ୍‌-୯୫୬୨ ନମ୍ବରର ଏକ ହୋଣ୍ଡା ସାଇନ୍‌ ବାଇକ୍‌ ମଧ୍ୟ ଜବତ କରିଛି। ଅଭିଯୋଗ ଅନୁଯାୟୀ, ଗତମାସ ୨୪ ତାରିଖ ବିଳମ୍ବିତ ରାତିରେ ହୋଟେଲ ମୀରାବେଲ୍‌ ପରିଚାଳକ ଜିତେନ୍ଦ୍ର କୁମାର ପଣ୍ଡା ତାଙ୍କ ଇଣ୍ଡିଗୋ କାର୍‌ ନମ୍ବର ଓଡି-୦୨ପି-୭୩୨୪କୁ ହୋଟେଲ ସମ୍ମୁଖରେ ରଖିଥିଲେ। ହୋଟେଲରୁ ବାହାରିବା ବେଳକୁ ଗାଡ଼ିଟି ଚୋରି ହୋଇଯାଇଥିଲା। ଏନେଇ ଶ୍ରୀ ପଣ୍ଡା ଗତ ୨୫ ତାରିଖରେ ଯାଜପୁରରୋଡ ଥାନାରେ ଅଭିଯୋଗ କରିଥିଲେ। କେସ୍‌ ନମ୍ବର ୩୯୧/୨୨ ରେ ମାମଲା ରୁଜୁ କରି ଯାଜପୁରରୋଡ ପୁଲିସ ତଦନ୍ତ ଚଳାଇଥିଲା।

କଟକର ଏକ ହୋଟେଲ ନିକଟରେ କାର୍‌ଟି ଥିବା ଜାଣି ପୁଲିସ ଚଢ଼ଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ଚୋରି କାର୍‌ ସହ ହୋଣ୍ଡା ସାଇନ୍ ବାଇକ୍‌ଟି ମଧ୍ୟ ଜବତ କରାଯାଇଥିଲା। ଜବତ ଗାଡ଼ି ଦୁଇଟିକୁ ମାଲିକମାନଙ୍କୁ ପ୍ରଦାନ କରାଯାଇଛି। କୋଭିଡ ଟେଷ୍ଟ ପରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର