ଗୋଟିଏ ରାତିରେ ୫ ମନ୍ଦିରରୁ ଚୋରି

ଦଶରଥପୁର: ମଙ୍ଗଳପୁର ଥାନା ଅଞ୍ଚଳରେ ଗୋଟିଏ ରାତିରେ ୫ଟି ମନ୍ଦିରରୁ ସିରିଜ୍ ଚୋରି ହୋଇଛି। ଏ ଘଟଣା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିବାବେଳେ ପୁଲିସ ପୁଲିସ୍ ସନ୍ଧାନୀ କୁକୁର ସହାୟତାରେ ତଦନ୍ତକୁ ଆଗକୁ ବଢ଼ାଇଛି। ମାତ୍ର ଚୋରି ମାମଲାରେ କୌଣସି ସଫଳତା ମିଳିନଥିବା ଜଣାପଡ଼ିଛି।

ଗତକାଲି ପହିଲି ରଜ ରାତିରେ ମଙ୍ଗଳପୁର ଥାନା ପାଲଟପୁର କାଳ ମନ୍ଦିରରୁ ଦୁର୍ବୃତ୍ତମାନେ ରୁପାର ଖଣ୍ଡା, ହାର, ବାହୁଟି ଓ ବାସନକୁସନ ଚୋରି କରିନେଇଛନ୍ତି। ନିକଟସ୍ଥ ହନୁମାନ ମନ୍ଦିରରେ ଥିବା ହୁଣ୍ଡି ବାକ୍ସକୁ ମଧ୍ୟ ନେଇଯାଇଥିଲେ। ସେହିପରି ବରିପଟା ଗ୍ରାମର ମନ୍ଦିରରୁ ରୁପା ମୁକୁଟ, ବାସନ, ଘଣ୍ଟ ଓ ଅନ୍ୟ କିଛି ପୂଜା ସାମଗ୍ରୀ ନେଇଯାଇଛନ୍ତି।

ସେହି ଗାଁର ହୃଦାନନ୍ଦ ଧଳଙ୍କ ବାସଗୃହ ସମ୍ମୁଖ ହନୁମାନ ମନ୍ଦିରରୁ ସୁନାଚିତା, ରୁପା ଆଖିକୁ ମଧ୍ୟ ଚୋର ନେଇଯାଇଛନ୍ତି। ଚଷାଖଣ୍ଡ ପଞ୍ଚାୟତ ବୋତଲଟାଙ୍ଗ ଲକ୍ଷ୍ମୀନାରାୟଣ ମନ୍ଦିରରୁ ସୁନା ମୁକୁଟ, ରୁପା ଅଳଙ୍କାର, ରୁପାଘୋଡ଼ା, ଚାରୋଟି ଘଣ୍ଟ, କରତାଳ ଓ ଝାଞ୍ଜ ଇତ୍ୟାଦିକୁ ମନ୍ଦିର କବାଟ ଭାଙ୍ଗି ନେଇଯାଇଛନ୍ତି। ସକାଳେ ଏ ସମ୍ପର୍କରେ ଭିନ୍ନ ଭିନ୍ନ ଅଭିଯୋଗ ପାଇବା ପରେ ମଙ୍ଗଳପୁର ଥାନା ଅଧିକାରୀ ରିନାରାଣୀ ସାହୁ ସଦଳବଳେ ପହଞ୍ଚିଥିଲେ। ଏକାଧିକ ମନ୍ଦିରରେ ଚୋରି ହୋଇଥିବାରୁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଅନ୍ୟପଟେ ବିରିପଟା ଉଚ୍ଚବିଦ୍ୟାଳୟ ଗେଟ୍‌ ଚାବି ଭଙ୍ଗାଯାଇଥିଲେ ହେଁ କୌଣସି ଜିନିଷ ଚୋରି ହୋଇନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର