ରାଉରକେଲା: ରାଜଧାନୀ ଭୁବନେଶ୍ବର ପରି ରାଉରକେଲାରେ ‘ମୋ ବସ୍’ରେ ଯାତ୍ରୀଙ୍କଠୁ ଚୋରି। ଆଜି ଏମିତି ଘଟଣା ଘଟିଛି ପାନପୋଷ- ଏସ୍ଟିଆଇ ଛକ ମଧ୍ୟରେ। ଉଦିତନଗର ଥାନା ସମ୍ମୁଖରେ ଚୋରକୁ ଉତ୍ତମ-ମଧ୍ୟମ ଦେଇ ଉଦିତନଗର ଥାନାରେ ଜିମା ଦେଇଛନ୍ତି। ଚୋରି ଟଙ୍କା ଫେରାଇବା ପରେ ଚୋରକୁ ଥାନାରୁ ଛାଡି ଦିଆଯାଇଛି। ଏହି ଘଟଣା ପରେ ସହରରେ ଚାଲୁଥିବା ମୋ ବସ୍ରେ ଯାତ୍ରା କେତେ ସୁରକ୍ଷିତ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଛେଣ୍ଡ କଲୋନି କଳିଙ୍ଗ ବିହାରରେ ଔଷଧ ବିକ୍ରେତା ପ୍ରଜ୍ଞାପ୍ରଦୀପ୍ତ ଲେଙ୍କା ରହନ୍ତି। ସେ ଆଜି ଦିନ ପ୍ରାୟ ସାଢ଼େ ୧୧ଟାରେ ‘ମୋ ବସ୍’ରେ ପାନପୋଷରୁ ଏସ୍ଟିଆଇ ଆସୁଥିଲେ। କାମ ଥିବାରୁ ଏସ୍ଟିଆଇ ଛକ ପରିବର୍ତ୍ତେ ହୋଟେଲ ମେ’ ଫେୟାର ଛକରେ ଓହ୍ଲାଇଥିଲେ। ହଠାତ୍ ପକେଟରେ ମନି ପର୍ସ ନଥିବା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ତାଙ୍କ ସିଟ୍ ପଛରେ ଜଣେ ଯାତ୍ରୀ ଛିଡା ହୋଇଥିବାରୁ ସନ୍ଦେହ ହୋଇଥିଲା। ସେତେବେଳକୁ ବସ୍ ମେ’ ଫେୟାର ଛକ ଛାଡି ଦେଇଥିଲା। ସେ ଓ ତାଙ୍କର ଜଣେ ସହଯୋଗୀ ବସ୍କୁ ପିଛା କରି ଉଦିତଗର ଥାନା ସମ୍ମୁଖରେ ଅଟକାଇଥିଲେ। ତାଙ୍କ ପଛରେ ଛିଡା ହୋଇଥିବା ଯୁବକକୁ ବସ୍ରୁ ଓହ୍ଲାଇ ଥାନାକୁ ନେଇଥିଲେ। ସ୍ଥାନୀୟ ଲୋକ ମାଡ଼ ମାରିବାରୁ ଯୁବକ ଜଣକ ଟଙ୍କା ଚୋରି କରିଥିବା ସ୍ବୀକାର କରିଥିଲା।