ଝରାବାହାଲ ଚର୍ଚ୍ଚରେ ଡକାୟତି: ଦୁଇ ଫାଦରଙ୍କୁ ହାତଗୋଡ ବାନ୍ଧି ନିସ୍ତୁକ ମାଡ଼

ଲୁଟିନେଲେ ୧୦ ଲକ୍ଷ ଟଙ୍କା ଓ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର

ରାଉରକେଲା: ଗତକାଲି ବିଳମ୍ବିତ ରାତିରେ ଲାଠିକଟା ବ୍ଲକ ଅନ୍ତର୍ଗତ ଝରାବାହାଲ ଚର୍ଚ୍ଚରେ ୧୫ରୁ ଅଧିକ ଅସାମାଜିକ ଯୁବକ ପଶି ଆତଙ୍କ ଖେଳାଇଥିଲେ। ସେମାନେ ଚର୍ଚ୍ଚ ସଂଲଗ୍ନ ଫାଦର୍‌ଙ୍କ ବଙ୍ଗଳାରେ ପଶି ଦୁଇ ଫାଦରଙ୍କ ହାତଗୋଡ଼ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଚର୍ଚ୍ଚ ପରିସରସ୍ଥ ବିଦ୍ୟାଳୟର ଆଲମିରା ଭାଙ୍ଗି ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କା ଓ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଲୁଟି ନେଇଥିଲେ। ଅସାମାଜିକ ଯୁବକଙ୍କ ମାଡ଼ରେ ଗୁରୁତର ଦୁଇ ଫାଦରଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ର ସ୍ବତନ୍ତ୍ର କ୍ୟାବିନ୍‌ରେ ଭର୍ତ୍ତି କରାଯାଇଛି।

ରାଉରକେଲା ଏସ୍‌ପି ବ୍ରିଜେଶ ରାୟ, ଡିଏସ୍‌ପି ନିର୍ମଳ ମହାପାତ୍ର ଆର୍‌ଜିଏଚ୍‌ରେ ପହଞ୍ଚି ଦୁଇ ଫାଦରଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ଲିଖିତ ଅଭିଯୋଗ ଆଧାରରେ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ବ୍ରାହ୍ମଣୀତରଙ୍ଗ ପୁଲିସ ଘଟଣାର ତଦନ୍ତ କରିବା ସହ ଫେରାର ଅଭିଯୁକ୍ତମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଘଟଣା ପରେ ସୁରକ୍ଷା ଦୃଷ୍ଟିରୁ ଚର୍ଚ୍ଚରେ ପୁଲିସ ମୁତୟନ କରାଯାଇଛି। ରାତି ଅଧରେ ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଲାଠିକଟା ବ୍ଲକ ଅନ୍ତର୍ଗତ ଝରାବାହାଲରେ ଏକ ଚର୍ଚ୍ଚ ରହିଛି। ଚର୍ଚ୍ଚ ପରିସରସ୍ଥ ଫାଦରବଙ୍ଗଳାରେ ଫାଦର ନାରିଆଲ ବିଲୁଙ୍ଗ (୫୦) ଓ ଫାଦର ଆଲୱିସ୍‌ ଖାଲ୍‌କୋ (୬୦) ରହନ୍ତି।

ଶୁକ୍ରବାର ରାତି ପ୍ରାୟ ସାଢ଼େ ୩ଟାରେ ୧୫ରୁ ଅଧିକ ଅସାମାଜିକ ଯୁବକ ଚର୍ଚ୍ଚର ଗେଟ୍‌ ଭାଙ୍ଗି ଜୋରଜବରଦସ୍ତ ଭିତରକୁ ପଶିଥିଲେ। ନାରିଆଲ ବିଲୁଙ୍ଗ ରହୁଥିବା ପ୍ରକୋଷ୍ଠକୁ ୭ ଜଣ, ଆଲୱିସ୍‌ଙ୍କ କୋଠରିକୁ ୫ ଜଣ ପଶିଥିଲେ। ଅନ୍ୟ ୩ରୁ ଅଧିକ ଯୁବକ୍‌ ଗେଟ୍‌ ବାହାରେ ଛିଡା ହୋଇଥିଲେ। ନାରିଆଲଙ୍କ ହାତଗୋଡ଼ ବାନ୍ଧି ଲାଠି, ଲୁହାରଡ୍‌ ଆଦିରେ ନିସ୍ତୁକ ମାଡ଼ ମାରିଥିଲେ। ଟଙ୍କା କେଉଁଠୁ ଅଛି ବୋଲି ପଚାରିଥିଲେ। କିଛି ନ କହିବାରୁ ଦୁହିଁଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଜୀବନରୁ ମାରିଦେବାକୁ ଧମକଚମକ ଦେଇଥିଲେ। ଜୀବନ ବଞ୍ଚାଇବା ଭୟରେ ଦୁହେଁ ବିଦ୍ୟାଳୟ ଆଲିମରାରେ କିଛି ନାମଲେଖା ଟଙ୍କା ଅଛି ବୋଲି କହିଥିଲେ।

ଫାଦରଙ୍କ କହିବାନୁଯାୟୀ ଅସାମାଜିକ ଯୁବକ ବିଦ୍ୟାଳୟର ଆଲମିରା ଭାଙ୍ଗି ପ୍ରାୟ ୧୦ ଲକ୍ଷ ଟଙ୍କା ଓ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଲୁଟ୍‌ କରି ଫେରାର ହୋଇଯାଇଥିଲେ। ଖବର ପାଇ ସ୍ଥାନୀୟ ପୁଲିସ୍‌ ପହଞ୍ଚି ଚର୍ଚ୍ଚ ଭିତରୁ ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆର୍‌ଜିଏଚ୍‌ ପଠାଇଥିଲେ। ବ୍ରାହ୍ମଣୀତରଙ୍ଗ ଥାନାଧିକାରୀ ରାଉତ ପାତ୍ର, କଲୁଙ୍ଗା ଫାଣ୍ଡି ଅଧିକାରୀ ପୂର୍ଣ୍ଣ ରାଉତ ଘଟଣାସ୍ଥଳରେ ପହଞ୍ଚିଥିଲେ। ରାଜଗାଙ୍ଗପୁର ବିଧାୟକ ଡା. ରାଜନ ଏକ୍କା, ଲାଠିକଟା ବ୍ଲକ୍‌ ଅଧ୍ୟକ୍ଷ ଦିଲୀପ ଖେସ୍, ରାଉରକେଲା ଡାଇସିସ୍‌ର ବିସପ୍‌ କିଶୋର କୁମାର କୁଜୁର, ଜଡ଼ାକୁଦର ସରପଞ୍ଚ ପ୍ରତିମା ମାଝୀ, ବିରକେରା ସରପଞ୍ଚ ରବି ତିର୍କି, ଜିଲ୍ଲା ପରିଷଦ ସଭ୍ୟ ବିନ୍ଦୁ ଯୋସେଫ୍‌ ଖେସ୍, ମହେଶ ନାଗ ଓ ଅନ୍ୟ ଫାଦରମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର