ଥାନା ନିକଟ ଦୋକାନରୁ ଲକ୍ଷାଧିକ ଟଙ୍କାର ଚୋରି

ହାଟଡ଼ିହି : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ନନ୍ଦିପଦା ଥାନାଠାରୁ ମାତ୍ର ୧୦୦ ମିଟର ଦୂରରେ ୨ ଦୋକାନରୁ ଲକ୍ଷାଧିକ ଟଙ୍କାର ଚୋରି ହୋଇଛି।  କିଛିଦିନ ତଳେ ମରୈଗାଁ ବଜାରରୁ ୪/୫ଟି ଦୋକାନରୁ ଚୋରି ହୋଇଥିବାବେଳେ ବୁଧବାର ରାତିରେ ପୁଣି ଚୋରି ଲୋକଙ୍କ ମନରେ ଭୟ ସଞ୍ଚାର କରିଛି। ମେଡିସିନି ଦୋକାନ ଓ ତେଜରାତି ଦୋକନରୁ ଏହି ଲୁଟ ହୋଇଛି। ଚୋରି କରିବା ପରେ ଦୁର୍ବୃତ୍ତମାନେ ବାଇକ୍ ଛାଡ଼ି ଚାଲି ଯାଇଛନ୍ତି।

ସୁଆର କମ୍ପ୍ଲେକ୍ସରେ ସୁଦାମ ଚରଣ ସାହୁଙ୍କ ମେଡିସିନ ଦୋକାନ ରହିଛି। ସେ ରାତିରେ ଦୋକାନ ବନ୍ଦ କରି ଘରକୁ ଆସିଥିଲେ। ଗୁରୁବାର ସକାଳୁ ଦୋକାନକୁ ଗଲାବେଳେ ସ୍କାଇଲାଇଟ ଭାଙ୍ଗିଥିବା ଦେଖି ଚୋରି ହୋଇଥିବା ଜାଣିପାରିଥିଲେ। ଦୁର୍ବୃତ୍ତମାନେ ଦୋକାନ ଭିତରେ ଥିବା ୪୦ ହଜାର ୬ଶହ ଟଙ୍କା ନେଇଯାଇଛନ୍ତି। ଅନେକ ସାମଗ୍ରୀ ଭାଙ୍ଗିରୁଜି ନଷ୍ଟ କରିଛନ୍ତି।  ପାଖରେ ଥିବା ଏକ ତେଜରାତି ଦୋକାନ ଭାଙ୍ଗି ୬୦ହଜାରରୁ ଅଧିକ ନଗଦ ଟଙ୍କା ନେଇଯାଇଛନ୍ତି। ଏକ ଷ୍ଟିଲ କତୁରି, ଛାତ ଉପରେ ଶାବଳ, ଗୋଟିଏ ବାଇକ ଚାବି ଛାଡିଯାଇଛନ୍ତି।

ଦୋକାନ ଠାରୁ ଦୁଇଶହ ମିଟର ଦୂରରେ ଏକ ହିରୋହୋଣ୍ଡା ପାସନ ପ୍ରୋ ବାଇକ ରଖାଯାଇ ଥିବାବେଳେ ଦୀର୍ଘ ସମୟ ପର୍ଯ୍ୟନ୍ତ କେହି ଗାଡ଼ିଟିକୁ ନେଇ ନଥିଲେ। ଫଳରେ ସ୍ଥାନୀୟ ଲୋକଙ୍କ ସନ୍ଦେହ ହେବାରୁ ଛାତ ଉପରେ ଛାଡ଼ିଯାଇଥିବା ବାଇକ ଚାବିରେ ସେହି ବାଇକଟି ଖୋଲିଯିବାରୁ ତାହା ଚୋରମାନେ ଛାଡି ଯାଇଥିବା ସନ୍ଦେହକରି ଗାଡ଼ିଟିକୁ ପୁଲିସକୁ ହସ୍ତାନ୍ତର କରିଥିଲେ।  କିଛିଦିନ ତଳେ ୪/୫ଟି ଦୋକାନରୁ ଚୋରି ହୋଇଥିବାବେଳେ ଆଜି ପର୍ଯ୍ୟନ୍ତ ପୁଲିସ ଲୁଟେରାଙ୍କ ପତ୍ତା ପାଇନି। ଦୁଇ ଦୋକାନୀଙ୍କ ପକ୍ଷରୁ ଥାନାରେ ଏତଲା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।  ନନ୍ଦିପଦା ପୁଲିସ ରାତି ପାଟ୍ରୋଲିଂ କରୁନଥିବାରୁ ଚୋରି ବୃଦ୍ଧି ପାଉଛି ବୋଲି ଲୋକେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର