ଦଶରଥପୁର: ବିଭିନ୍ନ ସ୍ଥାନରେ ଏକାଧିକ ମନ୍ଦିରରୁ ଚୋରି ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ମଙ୍ଗଳପୁର ଥାନା ପୁଲିସ। ଅଭିଯୁକ୍ତମାନେ ହେଲେ ମଙ୍ଗଳପୁର ଥାନା ଇସମାଇଲପୁର ଗ୍ରାମର ଦିବାକର ବେହେରା ଓରଫ ବୁଲୁ, ଲାଲମଲ୍ଲିକପାଟଣା ଗ୍ରାମର ଦୀପକ କୁମାର ଦାସ ଓରଫ ସିଲୁ, କରାଣ୍ଡିପୁର ଗ୍ରାମର କବାଡ଼ିବାଲା ସେକ ତାରିଖ ଅଜିତ, ଥାଲକୁଡ଼ି ଗ୍ରାମର ପିତ୍ତଳ ଦୋକାନୀ ନାରାୟଣ ସାହୁ। ଏନେଇ ଥାନା ପକ୍ଷରୁ ୫୯/୨୩ରେ ଦଫା ୪୫୭/୩୮୦/୪୧୧ରେ ମାମଲା ରୁଜୁ କରି ସମସ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ସେମାନଙ୍କଠାରୁ ଏକାଧିକ ହାତଘଣ୍ଟା, ଓଳା ଘଣ୍ଟା, ଦୀପ, ନୋଟା, ଡିବି, ହାତଘଣ୍ଟି, ଗିନା ସହ ଏକ ହଣ୍ଡା ଆକ୍ଟିଭା ଜବତ କରାଯାଇଛି।
ସୂଚନାଥାଉକି ଗତ କିଛି ମାସ ହେବ ମଙ୍ଗଳପୁର, ଦଶରଥପୁର ଥାନା ଓ ଯାଜପୁରଟାଉନ ଥାନା ଅଞ୍ଚଳରୁ ୨୫ରୁ ଅଧିକ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ବୁଲୁ ଓ ସିଲୁ ଏସବୁ ମନ୍ଦିରରୁ ଚୋରି କରି କରାଣ୍ଡିପୁରର କବାଡ଼ିବାଲା ସେକ ତାରିଖ ଓ ମଙ୍ଗଳପୁର ବଜାରରେ ଥିବା ଥାଲକୁଡ଼ି ଗ୍ରାମର ବାସନ ଦୋକାନୀ ନାରାୟଣ ସାହୁଙ୍କୁ ନିୟମିତ ଭାବେ ବିକ୍ରି କରିଆସୁଥିଲେ। ପ୍ରଥମେ ୨ ଚୋରଙ୍କୁ ଉଠାଇନେଇ ପଚରାଉଚରା କରାଯିବାପରେ ସମସ୍ତ କଥା ଜଣାପଡ଼ିଥିଲା।
ଆଇଆଇସି ରୀନାରାଣୀ ସାହୁଙ୍କ ତତ୍ତ୍ବାବଧାନରେ ଏଏସଆଇ ଚନ୍ଦନ ମହାନ୍ତି ଓ ବିକ୍ରମ ରାଉତରାୟ ତଦନ୍ତ କରୁଥିଲେ। ଏସଆଇ ଅନ୍ତର୍ଯ୍ୟାମୀ ଶ୍ରୀଚନ୍ଦନ, କୈଳାଶ ଚନ୍ଦ୍ର ଭୋଇ, ଏଏସଆଇ ସଂଯୁକ୍ତା ପଣ୍ଡା, ଅଭିମନ୍ୟୁ ବେହେରା ସହଯୋଗ କରିଥିଲେ।