ଜୟପୁର: ମହାରାଣୀପେଟାସ୍ଥିତ ମା’ କନକପରମେଶ୍ବରୀ ମନ୍ଦିର ପରିସରରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର, ଟଙ୍କା, ସିସିଟିଭି କ୍ୟାମେରାର ହାର୍ଡଡିସ୍କ ଆଦି ଚୋରି ହୋଇଛି। ଏ ନେଇ ଜୟପୁର ଟାଉନଥାନା‌ରେ ଏତଲା ହୋଇଛି।

Advertisment

ସୂଚନା ଅନୁଯାୟୀ, ଆଜି ସକାଳୁ ମହାରାଣୀପେଟାସ୍ଥିତ ମାଁ କନକପରମେଶ୍ବରୀ ମନ୍ଦିରର ପୂଜକ ପୂଜା କରିବା ପାଇଁ ମନ୍ଦିର ଖୋଲି ଦେଖିବା ବେଳକୁ ମନ୍ଦିର ଓ କାର୍ଯ୍ୟାଳୟର ଚାବି ଭାଙ୍ଗିଥିବା ଦେଖିଥିଲେ। ସେ ମନ୍ଦିର ପରିଚାଳନା କମିଟି ସଭାପତି ଭି.ସତ୍ୟନାରାୟଣ, ଉପସଭାପତି କେ.ଶ୍ରୀନିବାସ ରାଓ, ସଂପାଦକ ଏସ୍ ଭେଙ୍କଟ ରାମଣା, ଏସ୍ ବିଶ୍ବେଶ୍ବର ରାଓ, କୋଷାଧ୍ୟକ୍ଷ କେ.ରାମ ପ୍ରସାଦ, ପି.ସୁରେଶ ଆଦିଙ୍କୁ ବା ଜଣାଇଥିଲେ। ମନ୍ଦିର କାର୍ଯ୍ୟାଳୟର ଅଲମିରା ଭାଙ୍ଗି ଏଥିରୁ ୨୧ହଜାର ୧୪୨ଟଙ୍କା ସୁନା ୨୪କ୍ୟାରେଟର ୧୪ଗ୍ରାମ, ରୁପା ୩୧୨ଗ୍ରାମ, ରୁପାର ପୂଜା ସାମଗ୍ରୀ ୩୫୦ଗ୍ରାମ, ସିସି କ୍ୟାମେରାର ଡିଭିଆର ଚୋରୀ ହୋଇଥିବା ଜଣାପଡ଼ିଥିଲା।

ସେଭଳି ମୁଖ୍ୟମନ୍ଦିରରୁ ମା’ଙ୍କ ୨କିଲୋ ରୁପାର ମକରତୋରଣମ, ୨୦୦ଗ୍ରାମ ରୁପାର ୨ଟି ମୁକୁଟ, ୬ଗ୍ରାମର ଦୁଇଟି ସୁନା ମଙ୍ଗଳସୁତ୍ର, ୩୦୦ଗ୍ରାମର ରୁପାର ମାଁଙ୍କ ପାଦ, ରୁପାର ତ୍ରିଶୁଳ ଓ ଛତା ଚୋରୀ ହୋଇଥିବା ଦେଖିଥିଲେ। ତୁରନ୍ତ ଜୟପୁର ଟାଉନଥାନା ପୁଲିସକୁ ସୂଚନା ଦେଇଥିଲେ। ଥାନା ଅଧିକାରୀ ରମଣୀ ରଂଜନ ଦଳାଇ ସଦଳବଳ ପହଚିଂ ଘଟଣାର ତଦନ୍ତ କରିଥିଲେ। ପରେ କୋରାପୁଟରୁ ପୁଲିସ କୁକୁର ବି ଆସି ବୁଲିଥିଲା। ନିୟମିତ ଭାବେ ମନ୍ଦିରକୁ ଯିବା ଆସିବା କରୁଥିବା ଏବଂ ମନ୍ଦିର ସହ ସଂପୂର୍ଣ୍ଣ ସଂପୃକ୍ତି ରହିଥିବା ବ୍ୟକ୍ତି ବିଶେଷ ଜଣକ ହିଁ ମାଡ଼ଙ୍କ ମନ୍ଦିରରୁ ଏଭଳି ଚୋରୀ କରିଥିବା ପରିଚାଳନା କମିଟି ପକ୍ଷରୁ ସଂଦେହ କରାଯାଉଛି। ତେବେ ସଂଧ୍ୟା ପର୍ଯ୍ୟନ୍ତ ପୁଲିସର ହାତରେ କିଛି ସୁରାକ୍ ମିଳି ନଥିବା ବେଳେ ମନ୍ଦିର ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍ ସଂଗ୍ରହ କରିବାରେ ଲାଗିଛି ପୁଲିସ। ଟାଉନଥାନାରେ ଚୋରୀ ମାମଲା ରୁଜୁ କରାଯିବା ସହ ଘଟଣାର ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।