ଖୋର୍ଦ୍ଧା: ସଦର ଥାନା ଅନ୍ତର୍ଗତ ଧଉଳିମୁହଁ ଗାଁର ଅଧିଷ୍ଠାତ୍ରୀ ଦେବୀ ମା’ କାଳିକା ମନ୍ଦିରରୁ ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଦାନହୁଣ୍ଡି ସହ ଦେବୀଙ୍କ ପିନ୍ଧା ଅଳଙ୍କାର ଓ ଅନ୍ୟ ପୂଜା ସାମଗ୍ରୀ ଲୁଟି ନେଇଛନ୍ତି। ତେବେ ମନ୍ଦିର ପୂଜକ, ସରପଂଚଙ୍କ ପକ୍ଷରୁ ଲିଖିତ ଭାବେ ଅଭିଯୋଗ କରାଯାଇଥିଲେ ମଧ୍ୟ ସଦରଥାନା ପୁଲିସ ଏନେଇ କୌଣସି ଅଭିଯୋଗ ହୋଇନଥିବା କହି ଘଟଣାକୁ ଏଡ଼ାଇ ଦେଉଥିବା ସାଧାରଣରେ ପୁଲିସର ବିଶ୍ବସନୀୟତା ପ୍ରତି ସନ୍ଦେହ ସୃଷ୍ଟି କରିଛି।
ମନ୍ଦିରର ପୂଜକ ପ୍ରସନ୍ନମିଶ୍ର, ସରପଂଚ ଶତୃଘ୍ନ ବେହେରା ଓ ଅନ୍ୟ ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଆଜି ସକାଳେ ମନ୍ଦିରର ଖୋଲିବାକୁ ଯିବା ବେଳେ ମନ୍ଦିରର ଭିତର ଗୃହର ଚାବିଭାଙ୍ଗି ପଡ଼ିଥିବା ଓ ଦାନହୁଣ୍ଡି ଦୁଇଟି ଭାଙ୍ଗି ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇପୂଜକ ଗାଁର ସରପଂଚ, ନାଏବସରପଂଚ ଓ ମନ୍ଦିର ପରିଚାଳନା କମିଟିକୁ ସୂଚନା ଦେଇଥିଲେ। ଦେବୀଙ୍କ ରୁପା କିରଟି ୩ଟି, ସୁନାଚିତା ୪ଟି, ରୁପାହାର ୨ଟି, ରୁପାଚୁଡ଼ି ୬ଟି, ସୁନାରମଙ୍ଗଳସୂତ୍ର ୨ଟି, ସୁନାଚୁଡ଼ି ୧ ହଳ ସହ ଅନ୍ୟ ପୂଜାସାମଗ୍ରୀ ଚୋରି ହୋଇ ଥିବା ବେଳେ ମନ୍ଦିରର ପରିସରରେ ଥିବା ଦୁଇଟି ହୁଣ୍ଡିରୁ ସମସ୍ତ ଦାନଅର୍ଥ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ।
ଏନେଇ ସେମାନେ ପୂର୍ବାହ୍ଣରେ ଲିଖିତ ଭାବେ ଥାନାରେ ଅଭିଯୋଗ କରିଥିଲେ। ତେବେ ଏନେଇ ଥାନା ଅଧିକାରୀ ବିଦିତା ନାୟକଙ୍କ ପଚାରିବାରେ ଲିଖିତ ଅଭିଯୋଗ ହୋଇନାହିଁ। ମୌଖିକ ଅଭିଯୋଗ ପରେ ପୁଲିସର ଏକଟିମ୍ ଯାଇ ଘଟଣାସ୍ଥଳରେ ଅନୁସନ୍ଧାନ କରି ଫେରିଛି। ଚୋରି ନେଇ ଏବେ କିଛି କୁହାଯାଇ ପାରିବ ନାହିଁ ବୋଲି କହିଥିଲେ।
୨୦୨୨ରେ ଗଡ଼ଖୋର୍ଦ୍ଧା ନିକଟ ମନ୍ଦିର ଓ ପରେ ଟିଏଲ୍ସି ପଡ଼ିଆ ନିକଟ ହନୁମାନ ମନ୍ଦିରରୁ ଚୋରି ହୋଇଥିଲା। ପ୍ରାୟ ୧ ବର୍ଷ ବ୍ୟବଧାନ ପରେ ପୁଣି ଥରେ ମନ୍ଦିର ଚୋରି ସକ୍ରିୟ ହୋଇଥିବା ଦେଖିବାକୁ ମିଳିଛି। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଏଭଳି ଏକ ସମ୍ବେଦନଶୀଳ ମାମଲାରେ ପୁଲିସର ସମ୍ବେଦନହୀନତା ଓ ତତ୍ପରହୀନତା ସାଧାରଣରେ ଆଶ୍ଚର୍ଯ୍ୟ ସୃଷ୍ଟି ହୋଇଛି।