ଏସ୍‌ଟିଏଫ୍ ପଞ୍ଝାରେ ଚୋରା ବନ୍ଧୁକ ରାକେଟ୍ : ୮ ବନ୍ଧୁକ, ୧୨ ରାଉଣ୍ଡ ଗୁଳି ଜବତ, ୨ ଗିରଫ

ଏସ୍‌ଏଲ୍‌ଆର୍‌ ରାଇଫଲ୍ ରଖିଥିବା ସନ୍ଦେହ, ଚଢ଼ଉ ବେଳେ ଫେରାର ହୋଇଗଲା ମୁଖ୍ୟ ଅଭିଯୁକ୍ତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାରର ପେଣ୍ଠସ୍ଥଳୀ ପାଲଟିଛି ରାଜଧାନୀ। ଏଠାରୁ ହିଁ ରାଜଧାନୀ ଓ ଆଖପାଖ ଅଞ୍ଚଳରେ ବନ୍ଧୁକ କାରବାରକୁ ନିୟନ୍ତ୍ରଣ କରୁଛନ୍ତି ବେପାରୀ। ଗତରାତିରେ ଚନ୍ଦକା ଦାସପୁର ବ୍ରିଜ୍‌ ନିକଟରେ ବନ୍ଧୁକ କାରବାର ହେଉଥିବା ବେଳେ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ ଚଢ଼ଉ କରି ୨ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି। ତେବେ ମୁଖ୍ୟ ବେପାରୀ ଘଟଣାସ୍ଥଳରୁ ଫେରାର୍‌ ହୋଇଯିବା‌ରେ ସକ୍ଷମ ହୋଇଥିବା ଜଣାଯାଇଛି। ଅଭିଯୁକ୍ତଦ୍ବୟ ହେଲେ ଖୋର୍ଦ୍ଧା ଅଞ୍ଚଳର ରାକେଶ ଚନ୍ଦ୍ର ଜେନା ଓ ବିକାଶ ବେହେରା। ସେମାନଙ୍କଠାରୁ ଏସ୍‌ଟିଏଫ୍ ଏକ ଛର୍‌ରା(ବନ୍ଧୁକ) ସମେତ ୮ ବନ୍ଧୁକ, ୧୨ ରାଉଣ୍ଡ ଗୁଳି ଜବତ କରିଛି। ଜବତ ଅସ୍ତ୍ରଶସ୍ତ୍ର ଭିତରେ ଗୋଟିଏ ତାଇଵାନ୍‌ ନିର୍ମିତ ବିଦେଶୀ ରିଭଲଭର୍‌ ଓ ଏସ୍‌ଏଲଆର(ସେଲ୍ଫ ଲୋଡେଡ୍ ରାଇଫଲ) ଗୁଳି ରହିଛି। ଏହି ବିଦେଶୀ ବନ୍ଧୁକର ଦାମ୍ ୧ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଏସ୍‌ଏଲଆର୍‌ ଗୁଳି ଜବତ ହୋଇଥିବାରୁ ଏହି ରାକେଟ ପାଖରେ ଏସଏଲଆର୍‌ ରାଇଫଲ୍ ରହିଥିବା ସନ୍ଦେହ କରାଯାଇଛି। ଡିଲ୍ ପୂର୍ବରୁ ସେମାନେ ଧରା ପଡ଼ିଯାଇଥିବା ଏସଟିଏଫ୍ ଅନୁମାନ କରୁଛି। ପୂଜା ପୂର୍ବରୁ ଏତେ ପରିମାଣର ବନ୍ଧୁକ ଧରାପଡ଼ିବା ଘଟଣା ରାଜଧାନୀରେ ଆଲୋଡ଼ନ ସୃଷ୍ଟି କରିଛି।

ଆଜି ଅପରାହ୍‌ଣରେ ଏସ୍‌ଟିଏଫ୍ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇ କହିଛନ୍ତି ଯେ ଚନ୍ଦକା ଓ ଆଖପାଖ ଅଞ୍ଚଳରେ ଚୋରା ବନ୍ଧୁକ କାରବାର ନେଇ ସୂଚନା ମିଳିଥିଲା। ସେହି ସୂଚନା ଆଧାରରେ ଏହି ଚଢ଼ଉ କରାଯାଇଥିଲା। ଦୁଇଜଣ ଧରାପଡ଼ିଥିବା ବେଳେ ଜଣେ ଫେରାର୍‌ ହୋଇଯାଇଛି। ଫେରାର୍‌ ବନ୍ଧୁକ ବେପାରୀଠାରୁ ଚୋରା କାରବାର ନେଇ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିପାରିବ। ଏହି ବନ୍ଧୁକ କେଉଁଠୁ ଆସୁଛି, କେତେ ଟଙ୍କାରେ କିଣା ଯାଉଛି, କେତେ ଟଙ୍କାରେ ବିକ୍ରି ହେଉଛି; ସେ ନେଇ ତଦନ୍ତ ଜାରି ରହିଛି। ଆବଶ୍ୟକ ପଡ଼ିଲେ, ଧରାପଡ଼ିଥିବା ଦୁଇ ବନ୍ଧୁକ ବେପାରୀଙ୍କୁ ରିମାଣ୍ଡରେ ଅଣାଯାଇ ଅଧିକ ପଚରାଉଚରା କରାଯିବ। ମାଉଜର୍‌ ୩୫ରୁ ୪୦ ହଜାର ଟଙ୍କା ଓ ଦେଶୀ ରିଭଲଭର୍‌ ୨୫ରୁ ୩୦ ହଜାର ଟଙ୍କାରେ ବିକ୍ରି ହେଉଥିବା ଜଣାପଡ଼ିଛି। ସଂଗଠିତ ଅପରାଧ ବିରୋଧରେ ଏସଟିଏଫ୍‌ର ଅପରେସନ୍‌ ଜାରି ରହିଛି। ଅପରାଧୀମାନଙ୍କ ବିରୋଧରେ ଆଗକୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ଶିକାରୀଙ୍କୁ ଯୋଗାଉଥିଲେ ଛର୍‌ରା
ଦୁଇ ବେପାରୀଙ୍କଠାରୁ ଜବତ ୮ଟି ବନ୍ଧୁକ ଭିତରେ ଗୋଟିଏ ଛର୍‌ରା ରହିଛି। ଏହି ଛର୍‌ରା ମୁଖ୍ୟତଃ ବନ୍ୟଜନ୍ତୁ ଶିକାର କରିବାରେ ବ୍ୟବହାର ହୋଇଥାଏ। ତେଣୁ ଏହାକୁ ସେମାନେ ବନ୍ୟଜନ୍ତୁ ଶିକାରୀଙ୍କୁ ଯୋଗାଉଥିବା ସନ୍ଦେହ କରାଯାଉଛି। ଏସଟିଏଫ୍ ଏ ନେଇ ଅଧିକ ତଦନ୍ତ କଲେ ବନ୍ୟଜନ୍ତୁ ଶିକାର ଉପରେ ମଧ୍ୟ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିପାରିବ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ, ଲକ୍‌ଡାଉନ୍‌ ସମୟରେ ଶିକାରୀମାନେ ସକ୍ରିୟ ହୋଇଉଠିଥିଲେ। ଏହି ସମୟ ମଧ୍ୟରେ ୧୦ରୁ ଅଧିକ ଶିକାରୀଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କଠାରୁ ବନ୍ଧୁକ, ଗୁଳି ଜବତ କରାଯାଇଥିଲା। ତେଣୁ ଗିରଫ ଶିକାରୀଙ୍କୁ ମଧ୍ୟ ପଚରାଉଚରା କରାଗଲେ ଅଧିକ ତଥ୍ୟ ମିଳିପାରିବ। ଦୁଇ ଦିନ ତଳେ ଭଦ୍ରକରେ ଏସଟିଏଫ୍ ହାତରେ ଧରା ପଡ଼ଥିବା ଟିଟୋର ସହଯୋଗୀଠାରୁ ଗୋଟିଏ ବନ୍ଧୁକ ଓ ଗୁଳି ଜବତ କରାଯାଇଥିଲା। ତାକୁ ପଚରାଉଚରା ସମୟରେ ଯେଉଁ ତଥ୍ୟ ମିଳିଥିଲା, ସେହି ଆଧାରରେ ଏହି ରାକେଟ ଧରା ପଡ଼ିଥିବା ମଧ୍ୟ କୁହାଯାଉଛି।

ନୟାଗଡ଼ରେ କାରଖାନା!
ଧରାପଡ଼ିଥିବା ଦୁଇ ବେପାରୀଙ୍କ ପାଖରୁ ଗୋଟିଏ ବିଦେଶୀ ମାଉଜର ଜବତ ହୋଇଥିବା ବେଳେ ଅନ୍ୟ ମାଉଜରଟି ବିହାରରୁ ଆସିଥିବା ସନ୍ଦେହ କରୁଛି ଏସଟିଏଫ୍। ବାକି ଦେଶୀ ରିଭଲଭରଗୁଡ଼ିକ ଆଖପାଖ ଅଞ୍ଚଳରେ ତିଆରି ହେଉଥିବା ସନ୍ଦେହ କରାଯାଉଛି। ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନୟାଗଡ଼ ସହରଠାରୁ ଅଳ୍ପ ଦୂରରେ ଥିବା ଏକ ପାହାଡ଼ରେ ଏହି ବନ୍ଧୁକ ତିଆରି ଚାଲିଛି। ସେଠାରେ ଏକାଧିକ ଶାଳରେ ବନ୍ଧୁକ ତିଆରି ଚାଲିଛି। ସେଠାରୁ ବନ୍ଧୁକ ନୟାଗଡ଼ ସମେତ ଖୋର୍ଦ୍ଧା, ଭୁବନେଶ୍ବର, ପୁରୀ ଓ ଆଖପାଖ ଅଞ୍ଚଳକୁ ଚାଲାଣ କରାଯାଉଛି। ବନ୍ଧୁକ ଚୋରା ଚାଲାଣ ପାଇଁ ଏଜେଣ୍ଟ ରହିଛନ୍ତି। ସେମାନଙ୍କ ଜରିଆରେ ଏହି ବନ୍ଧୁକକୁ ବିଭିନ୍ନ ଅଞ୍ଚଳକୁ ଚୋରା ଚାଲାଣ କରାଯାଉଛି। କିଛି ବର୍ଷ ପୂର୍ବରୁ ସେହି ଦେଶୀ କାରଖାନାରେ ପୁଲିସ ଚଢ଼ଉ କରିଥିଲା। କିନ୍ତୁ ପୁଣି ବନ୍ଧୁକ କାରବାର ଚାଲିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର