ଯେତେ ଖୋଜିଲେ ସେତେ ମିଳୁଛି

ସିଦ୍ଧମଠ ସଂରକ୍ଷିତ ଜଂଗଲରେ ଲୁଚାଇ ରଖୁଛନ୍ତି ଚୋରା ଖଣିଜ

ପୁଲିସ, ବନ ବିଭାଗ ଚଢ଼ଉ ପରେ ଖଣି ବିଭାଗ ଚେତିଲା
ଆଉ ୨୦ ମେଟ୍ରିକ ଟନ୍ ମାଙ୍ଗାନିଜ, ୨୫ ମେଟ୍ରିକ ଟନ୍ ଲୁହାପଥର ଗୁଣ୍ଡ ଓ ୨୫ ମେଟ୍ରିକ ଟନ୍ ପେଲେଟ୍ ଜବତ

ବଡ଼ବିଲ : କେନ୍ଦୁଝର ଜିଲ୍ଲାର ଯୋଡ଼ା,ବଡ଼ବିଲ ଅଞ୍ଚଳରେ ଖଣିଜ ଲୁଟ୍‌ ଚରମସୀମାରେ ପହଞ୍ଚିଛି। ଯେତେ ଚଢ଼ଉ ହେଉଛି ସେତେ ଅଧିକ ଖଣିଜ ଦ୍ରବ୍ୟ ଜବତ ହେଉଛି। ମାଫିଆମାନେ ବନ୍ଦ ଖଣିକୁ ମୁଖ୍ୟତଃ ଟାର୍ଗେଟ କରି ଲୁହାପଥର ଏବଂ ମାଙ୍ଗାନିଜ ଚୋରି କରି ଜଂଗଲ ମଧ୍ୟରେ ଲୁଚାଇ ରଖୁଛନ୍ତି। ଏଥିସହ ଝାଡ଼ଖଣ୍ଡ ସୀମାରେ ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ଏହାର ସିଧାସଲଖ ଫାଇଦା ଖଣି ମାଫିଆଙ୍କୁ ମିଳୁଛି। ସିଦ୍ଧମଠ ଜଂଗଲରୁ ବନ ବିଭାଗ ଏବଂ ପୁଲିସ ପକ୍ଷରୁ ହୋଇଥିବା ଚଢ଼ଉରେ ଲଗାତର ସଫଳତା ମିଳିବା ପରେ ଖଣି ବିଭାଗ ତତ୍ପର ହୋଇଉଠିଛି।

ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବନବିଭାଗ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲ, ଡୁମୂର୍ତ୍ତା ଅଞ୍ଚଳରେ ଚଢ଼ଉ ପାଇଁ ଯୋଜନା କରିଥିଲେ। ଏହାପରେ ଯୋଡା ଖଣି ମଣ୍ଡଳ ଅଧିକାରୀଙ୍କ ସହ ଯୋଗାଯୋଗ କରି ମିଳିତ ଚଢ଼ଉ କରିଥିଲେ। ଏହି ଚଢ଼ଉରେ ୨୦ ମେଟ୍ରିକ ଟନ୍ ମାଙ୍ଗାନିଜ, ୨୫ ମେଟ୍ରିକ ଟନ୍ ଲୁହାପଥର ଗୁଣ୍ଡ ଓ ୨୫ ମେଟ୍ରିକ ଟନ୍ ପେଲେଟ୍ ଜବତ୍ ହୋଇଥିବା ବଡ଼ବିଲ ବନାଞ୍ଚଳ ଅଧିକାରୀ ସୁରଜିତ କୁମାର ସାହୁ କହିଛନ୍ତି। ଜବତ ଖଣିଜର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ‌େ ବୋଲି ଜଣାଯାଇଛି। ଏହି ଚଢ଼ଉରେ ବଡ଼ବିଲ ବନାଞ୍ଚଳ ଅଧିକାରୀ ଶ୍ରୀ ସାହୁଙ୍କ ସହ ବନଖଣ୍ଡ ଅଧିକାରୀ ଦଶରଥ ଗିରି, ଦେବଜାନୀ ମହାନ୍ତ, ମଳୟ ଜେନା, ଖଣି ବିଭାଗର ଅଧିକାରୀ ଓ କର୍ମଚାରୀ ସାମିଲ ଥିଲେ।

ସମ୍ବନ୍ଧିତ ଖବର