ଭୋଗରାଇ/କମର୍ଦ୍ଦା: ହାଇଦ୍ରାବାଦରୁ ଚୋରି ଟଙ୍କା ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅନ୍ତର୍ଗତ ବଡ଼ମନ୍ଦାରୁଣୀ ଗ୍ରାମରୁ ଶନିବାର ଉଦ୍ଧାର ହୋଇଛି। ସ୍ଥାନୀୟ ପୁଲିସ ସହାୟତାରେ ହାଇଦ୍ରାବାଦ ପୁଲିସ ବଡ଼ମନ୍ଦାରୁଣୀ ଗାଁରେ ପହଞ୍ଚି ଉମାକାନ୍ତ ବେହେରାଙ୍କ ଖତଗଦାରୁ ୧୪ ଲକ୍ଷ ଟଙ୍କା ଜବତ କରିଥିଲା। ଅଭିଯୋଗ ଅନୁସାରେ, ବଡ଼ମନ୍ଦାରୁଣୀ ଗ୍ରାମର ଉମାକାନ୍ତ ବେହେରାଙ୍କ ଜ୍ୱାଇଁ ତଥା ଭୋଗରାଇ ଥାନା ଅଧୀନ ସୋହରିଆ ଗ୍ରାମର ଗୋପାଳ ବେହେରା ହାଇଦ୍ରାବାଦରେ ଗୋଟିଏ କମ୍ପାନିରେ ୧୦ ବର୍ଷ ଧରି କାମ କରୁଥିଲେ। ସେଠାରେ ଗତ ୮ ତାରିଖରୁ ୧୦ ତାରିଖ ଯାଏ ୩ ଦିନ ଧରି ବ୍ୟାଙ୍କ ଛୁଟି ଥିବାରୁ ମାଲିକ କମ୍ପାନି ଲକରରେ ୨୦ ଲକ୍ଷ ୮୦ ହଜାର ୬୭୦ ଟଙ୍କା ରଖିଥିଲେ। ଏହି ସୁଯୋଗରେ ଗୋପାଳ ଟଙ୍କାକୁ ଚୋରି କରି ହାଇଦ୍ରାବାଦରେ ରହୁଥିବା ଶାଳକ ରାଜେନ୍ଦ୍ର ବେହେରାଙ୍କୁ ଦେଇଥିଲେ।
ସେହି ଟଙ୍କାକୁ ରାଜେନ୍ଦ୍ର ଆଣି ଜଳେଶ୍ବର ଷ୍ଟେସନରେ ପହଞ୍ଚିଥିଲେ। ସେଠାରେ ବାପା ଉମାକାନ୍ତ ଓ ମା’ ସୁମତୀଙ୍କୁ ଡାକି ଟଙ୍କା ଭର୍ତ୍ତି ବ୍ୟାଗ ଦେଇ ପୁଣି ହାଇଦ୍ରାବାଦ ଫେରି ଯାଇଥିଲେ। ଏନେଇ କମ୍ପାନି ମାଲିକ ହାଇଦ୍ରାବାଦର ଛେତ୍ରୀନାକା ଥାନାରେ ଅଭିଯୋଗ କରିବା ପରେ ପୁଲିସ କେସ ନଂ. ୩୬୩/୨୪ରେ ମାମଲା ରୁଜୁ କରି ସେଠାରୁ ରାଜେନ୍ଦ୍ରଙ୍କୁ ଗିରଫ କରିଥିଲା। ଆଜି ସକାଳେ ବଡ଼ମନ୍ଦାରୁଣୀ ଗ୍ରାମରେ ହାଇଦ୍ରାବାଦର କ୍ରାଇମବ୍ରାଞ୍ଚ ଓ କମର୍ଦ୍ଦା ପୁଲିସ ପହଞ୍ଚି ମିଳିତ ଭାବେ ଉମାକାନ୍ତଙ୍କ ଘର ଓ ଆଖପାଖ ଅଞ୍ଚଳରେ ଖାନତଲାସୀ କରିଥିଲେ। ପରେ ଉମାକାନ୍ତଙ୍କ ଘରବାଡ଼ିରେ ଥିବା ଖତଗଦାରୁ ୧୪ ଲକ୍ଷ ଟଙ୍କା ପୁଲିସ ପାଇଥିଲା। ସୁମତୀଙ୍କୁ ପୁଲିସ ପଚରାଉଚରା କରିବା ପରେ ଛାଡ଼ି ଦେଇଥିବା ବେଳେ ଗୋପାଳଙ୍କୁ ଖୋଜାଖୋଜି କରାଯାଉଥିବା କମର୍ଦ୍ଦା ଥାନା ପୁଲିସ ପକ୍ଷରୁ ସୂଚନା ମିଳିଛି।