ହାଇୱା ଚୋରାଇ ଓଲଟି ଥାନାରେ ଅଭିଯୋଗ କଲେ, ମାମଲା ଚପାଇ ଦେବାକୁ ପୁଲିସର ଉଦ୍ୟମ

ଖୋର୍ଦ୍ଧା: ଗାଡ଼ି ଚୋରାଇ ବିକ୍ରି କରିଦେଲେ, ଓଲଟି ଭଦ୍ର ବ୍ୟକ୍ତି ଭଳି ଥାନାକୁ ଆସି ଗାଡ଼ି ଚୋରି ହୋଇଛି ବୋଲି ଅଭିଯୋଗ କଲେ । ଏହା କୌଣସି ଚଳଚ୍ଚିତ୍ରର ଦୃଶ୍ୟ ନୁହେଁ, ଖୋର୍ଦ୍ଧାରେ ଘଟିଥିବା ଏକ ଅଭିନବ ଚୋରି ମାମଲା । ଏହି ଘଟଣା ଘଟି ଏକ ସପ୍ତାହ ବିତିଯାଇଥିବା ବେଳେ ମାମଲାକୁ ଚପାଇ ରଖିବାକୁ ଖୋର୍ଦ୍ଧା ଟାଉନ ଥାନା ପୁଲିସ ଉଦ୍ୟମ କରୁଥିବା ଜଣାଯାଇଛି ।

ସୂଚନାନୁସାରେ, ୬ ମାସ ପୂର୍ବେ ଖୋର୍ଦ୍ଧା ଅଂଚଳର ଜଣେ ବ୍ୟକ୍ତିଙ୍କ ଏକ ହାଇୱାକୁ ଅନ୍ୟ ଜଣେ ବ୍ୟକ୍ତି ମାସିକ ଭଡ଼ାରେ ନେଇଥିଲେ । ଚୁକ୍ତି ଅନୁସାରେ ମାସିକ ୧୫ ହଜାର ଟଙ୍କା ଦେବାକୁ ବ୍ୟକ୍ତି ଜଣକ ରାଜି ହୋଇଥିଲେ । କିନ୍ତୁ ୭ ଦିନ ପୂର୍ବେ ଭଡ଼ାରେ ନେଇଥିବା ବ୍ୟକ୍ତିଜଣକ ଖୋର୍ଦ୍ଧା ଟାଉନ ଥାନାରେ ଆସି ଅଭିଯୋଗ କଲେ ଯେ ଉକ୍ତ ହାଇୱାଟି ଚୋରି ହୋଇଯାଇଛି । ପୁଲିସ ଏନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ଅନୁସନ୍ଧାନରେ, ଅଭିଯୋଗ କରିଥିବା ବ୍ୟକ୍ତି ହିଁ ଅଭିଯୁକ୍ତ ବୋଲି ଜଣାପଡ଼ିଲା । ଏପରିକି ଅଭିଯୁକ୍ତକୁ ପାରଦୀପରୁ ଗିରଫ କରିବା ସହ ହାଇୱାଟିକୁ ମଧ୍ୟ ଜବତ କରି ପୁଲିସ ହେଫାଜତରେ ରଖାଯାଇଛି । ଅପରପକ୍ଷରେ, ମାମଲାକୁ ଚପାଇ ଦେବା ସହ ଅଭିଯୁକ୍ତକୁ କୌଣସି ପ୍ରକାରେ ଖସାଇଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ଏନେଇ ଟାଉନ ଥାନା ସହ ଯୋଗାଯୋଗ କରିବାରେ ଏନେଇ ପରେ ସୂଚନା ଦିଆଯିବ ବୋଲି କହି ଏଭଳି କହି ଏଡ଼ାଇ ଦେଇଛି । ଏଭଳି ଏକ ଗୁରୁତର ଅପରାଧିକ ମାମଲା ସମ୍ପର୍କରେ ପୁଲିସର ଏଭଳି ପ୍ରତିକ୍ରିୟା ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସମ୍ବନ୍ଧିତ ଖବର