ଆନନ୍ଦପୁରରୁ ଚୋରି ଟ୍ରକ୍ ସୋରରୁ ଜବତ, ୨ ଅଟକ

ସୋର: ଗତକାଲି ରାତିରେ ଆନନ୍ଦପୁରରୁ ଚୋରି ହୋଇଥିବା ଏକ ୧୨ ଚକିଆ ଟ୍ରକ୍ ଆଜି ଆନନ୍ଦପୁର ପୁଲିସ୍‌ ସୋର ପୁଲିସ୍‌ ସହାୟତାରେ ସୋର ଥାନା ମାଣିପୁର ଗ୍ରାମରୁ ଜବତ କରିଛି। ଏଥିରେ ସଂପୃକ୍ତି ସନ୍ଦେହରେ ଦୁଇଜଣ ଯୁବକଙ୍କୁ ପୁଲିସ୍‌ ଅଟକ ରଖିବା ସହିତ ସେମାନଙ୍କଠାରୁ ଏକ ତେଲଙ୍ଗା କଟୁରି ଓ ଗୋଟିଏ ପଲସର ଓ ଗୋଟିଏ ଆପାଚି ବାଇକ୍ ଜବତ କରିଛି। ଆନନ୍ଦପୁର ଦଧିବାମନପୁର ଗ୍ରାମର ପ୍ରଶାନ୍ତ କୁମାର ସାହୁଙ୍କ ଓଡି ୧୧ଏ ୬୯୫୧ ନମ୍ବର ଟ୍ରକଟି ସେ ଗତକାଲି ରାତିରେ ଘର ଆଗରେ ରଖିଥିବା ବେଳେ ଗାଡ଼ିରେ ଜଣେ ହେଲପର ଶୋଇଥିଲେ। ଦୁର୍ବୃତ୍ତମାନେ ଟ୍ରକଟିକୁ ଚୋରିକରି ଆଣି ଯାଜପୁରଠାରେ ହେଲପରକୁ ଫିଙ୍ଗିଦେଇ ଗାଡ଼ି ନେଇ ଚାଲି ଯାଇଥିଲେ।

ହେଲପରଙ୍କଠାରୁ ଖବର ପାଇ ଟ୍ରକ୍ ମାଲିକ ପ୍ରଶାନ୍ତ ଆନନ୍ଦପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ଆନନ୍ଦପୁର ପୁଲିସ ତଦନ୍ତ ଆରମ୍ଭ କରି ଟ୍ରକଟି ସୋର ଅଞ୍ଚଳରେ ଥିବା ଜାଣି ପାରିଥିଲେ। ସୋର ପୁଲିସ୍‌ ସହାୟତାରେ ଆନନ୍ଦପୁର ପୁଲିସ ମାଣିପୁରରୁ ଚୋରି ଟ୍ରକ ଜବତ କରିବା ସହିତ ଭଡ଼ରାପଦା ଗ୍ରାମର ଜଣେ ଯୁବକଙ୍କ ସହିତ ଅନ୍ୟ ଜଣେ ସହଯୋଗୀକୁ ଅଟକ ରଖି ଘଟଣାର ଅଧିକ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର