ଇଣ୍ଟର୍‌ସିଟିକୁ ପଥର ମାଡ଼, ଏସି କୋଚ୍‌ କାଚ ଭାଙ୍ଗିଲା

ସମ୍ବଲପୁର: ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ୍‌ ଉପରେ ପଥର ମାଡ଼ ହୋଇଛି। ଏଥିରେ ଏସି କୋଚ୍‌ର ଗୋଟିଏ କାଚ ଭାଙ୍ଗି ଯାଇଥିଲା ବେଳେ ଯାତ୍ରୀମାନେ ଅଳ୍ପକେ ବର୍ତି ଯାଇଛନ୍ତି। ମଙ୍ଗଳବାର ରାତିରେ ଟ୍ରେନ ନଂ ୧୮୩୦୪ ଇଣ୍ଟରସିଟି ଏକ୍ସପ୍ରେସ୍‌ ପୁରୀରୁ ସମ୍ବଲପୁର ଅଭିମୁଖେ ଆସୁଥିଲାବେଳେ ରାତି ପ୍ରାୟ ୯ଟା ବେଳେ ବୋଇଣ୍ଡାରୁ ରେଢ଼ାଖୋଲ ଷ୍ଟେସନ୍‌ ମଧ୍ୟବର୍ତୀ ଅଞ୍ଚଳରେ କେହି ଦୁର୍ବୃତ୍ତ ଏହା ଉପରେ ପଥର ମାଡ଼ କରିଥିଲା। ଫଳରେ ସି-୧ କୋଚ୍‌ର ସିଟ୍‌ ନମ୍ବର ୧୩/୧୪ ନିକଟରେ ଥିବା କାଚଟି ଭାଙ୍ଗି ଯାଇ କୋଚ୍‌ ଭିତରେ ବିଛାଡ଼ି ହୋଇ ପଡ଼ିଥିଲା। ଅବଶ୍ୟ ସୌଭାଗ୍ୟବଶତଃ ପଥରଟି କାଚରେ ମାଡ଼ ହୋଇ ବାହାରକୁ ଫେରି ଯିବାରୁ କେହି ଆହତ ହୋଇ ନଥିଲେ। ଆର୍‌ପିଏଫ୍‌ ଥାନା ଅଧିକାରୀ ପ୍ରବୀଣ କୁମାରଙ୍କୁ ଘଟଣା ସମ୍ପର୍କରେ ପଚାରିବାରେ ସେ ଏ ସଂପର୍କରେ ଖବର ପାଇନଥିଲି, ମୁଁ ତୁରନ୍ତ ରେଢ଼ାଖୋଲ ଆର୍‌ପିଏଫ୍‌ ସହ ଯୋଗାଯୋଗ କରୁଛି ବୋଲି କହିଥିଲେ। ତେବେ ଉକ୍ତ ଟ୍ରେନ୍‌ରେ କେହି ସୁରକ୍ଷା କର୍ମୀ ମୁତୟନ ହେଉ ନଥିବା ସେ ସ୍ୱୀକାର କରିଥିଲେ।

ସମ୍ବନ୍ଧିତ ଖବର