କୋଣାର୍କ ଏକ୍ସପ୍ରେସକୁ ଟେକାମାଡ଼ : ହାଇଦ୍ରାବାଦ ଯାତ୍ରୀ ଗୁରୁତର

ଟ୍ରେନ ଅଟକିଲା, ଜିଆରପିର ତଦନ୍ତ

ଛତ୍ରପୁର : ରମ୍ଭା ଷ୍ଟେସନ ନିକଟ ବାହାଡ଼ାପଲ୍ଲୀ ଗାଁ ରାସ୍ତାରେ ଚଳନ୍ତା କୋଣାର୍କ ଏକ୍ସପ୍ରେସ୍‌ ଉପରକୁ ଟେକାମାଡ଼ ହୋଇଛି। କିଛି ଯୁବକ ଉକ୍ତ ରାସ୍ତାରେ ଛିଡା ହୋଇ ଟ୍ରେନ ଉପରେ କ୍ରମାଗତ ଟେକାପଥର ମାଡ଼ କରିଥିଲେ। ଟ୍ରେନ ଝରକା ନିକଟରେ ବସିଥିବା ଜଣେ ହାଇଦ୍ରାବାଦ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣକ ଜଗତସିଂହପୁର ଜିଲ୍ଲା ବାଲିକୁଦା ଗ୍ରାମର ସୁଶାନ୍ତ ରାଉଳ ବୋଲି ଜଣାଯାଇଛି। ତାଙ୍କ ମୁଣ୍ତକୁ ଗୋଟିଏ ବଡ଼ ପଥର ବାଜି ମୁଣ୍ତରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଅନ୍ୟ କେତେ ଜଣ ଯାତ୍ରୀ ତୁରନ୍ତ ଚେନ୍ ଟାଣି ଟ୍ରେନ୍‌ ଅଟକାଇଥିଲେ। ସେଠାରୁ ୧୦୮ଆମ୍ବୁଲାନ୍ସରେ ସୁଶାନ୍ତଙ୍କୁ ଛତ୍ରପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମୁଣ୍ତରେ ୨୦ ଟି ସିଲେଇ ପଡିଛି। ବ୍ରହ୍ମପୁର ରେଳବାଇ ଇନ୍ସପେକ୍ଟର ଦିଲ୍ଲୀପ କୁମାର ବାହାଡାପଲ୍ଲୀ ଗ୍ରାମକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ଆହତ ସୁଶାନ୍ତ ଏବଂ ତାଙ୍କ ଅନ୍ୟ ଦୁଇ ବନ୍ଧୁକୁ ଇଣ୍ଟରସିଟି ଜରିଆରେ ଭୁବନେଶ୍ବର ପଠାଯାଇଛି। ପ୍ରକାଶ ଥାଉକି ଯେ, ଜଗତସିଂହପୁର ଜିଲ୍ଲା ବାଲିକୁଦା ଗ୍ରାମର ସୁଶାନ୍ତ ଏବଂ ତାଙ୍କ ଦୁଇ ସାଙ୍ଗ ଭୁବନେଶ୍ବରରୁ ହାଇଦ୍ରାବାଦ ଯାତ୍ରା କରୁଥିଲେ।

ସମ୍ବନ୍ଧିତ ଖବର