ଯୋଡ଼ା : ପୁଲିସ ଗାଡ଼ିକୁ ପଥର ମାଡ଼

ତରୁଆଁରେ ପୁଲିସ ଗାଡ଼ି ଭଙ୍ଗାରୁଜା, ୬ ଅଟକ

ଯୋଡ଼ା : କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଜଗଦଳା-ଫୁଲଝର ରାସ୍ତାର ବଳଭଦ୍ରପୁର ଗ୍ରାମ ନିକଟରେ ଆଜି ଲୋକେ ଗ୍ରାମ ରାସ୍ତାକୁ ସିଲ୍‌ କରି ଡମ୍ପର ଚଳାଚଳକୁ ବନ୍ଦ କରିଥିଲେ। ଏହି ସମୟରେ ପୁଲିସ ପହଞ୍ଚିବାରୁ ଲୋକେ ପୁଲିସ ଗାଡ଼ି ଉପରକୁ ଅତର୍କିତ ପଥର ମାଡ଼ କରିଥିଲେ। ପଥର ମାଡ଼ରେ ଗାଡ଼ି ଭଙ୍ଗିଥିବାବେଳେ ପୁଲିସ କର୍ମଚାରୀ ପ୍ରାଣ ବିକଳରେ ସେଠାରୁ ଦୌଡ଼ି ପଳାଇଥିଲେ। ଏହି ଘଟଣା ପରେ ସେଠାରେ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି। ୧୦ରୁ ଊର୍ଦ୍ଧ୍ବ ଗ୍ରାମବାସୀଙ୍କୁ ପୁଲିସ ଉଠାଇ ଆଣି ପଚରାଉଚରା କରୁଛି।

ପ୍ରାପ୍ତ ସୂଚନା ଅନୁସାରେ, ଲକ୍‌ଡାଉନ୍‌ ପାଇଁ ଗାଁର ଆଠଦଶ ଜଣ ବ୍ୟକ୍ତି ଏକାଠି ହୋଇ ସକାଳ ‌ସାଢ଼େ ୯ଟା ବେଳେ ଗାଁରେ କାହାରିକୁ ପ୍ରବେଶ କରାଇ ନଦେବାକୁ କାଠଗଣ୍ତି ପକାଇ ରାସ୍ତା ଅବରୋଧ କରିଥିଲେ। ଏହି ସମୟରେ ଉକ୍ତ ରାସ୍ତାଦେଇ ଫୁଲଝରର ଏକ କାରଖାନାକୁ ପିଲେଟ ବୋଝେଇ ପାଇଁ ଯାଉଥିବା ଡମ୍ପରଗୁଡ଼ିକୁ ଗ୍ରାମବାସୀ ଅଟକାଇଥିଲେ। ଡମ୍ପର ଚଳାଚଳ ଯୋଗୁଁ କରୋନା ଭୂତାଣୁ ସଂକ୍ରମଣର ଆଶଙ୍କା ଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ଗାଡ଼ି ଚଳଚଳ ବନ୍ଦ କରିବାକୁ ଦାବି କରିଥିଲେ। ଖବର ପାଇ ଦୁଇଟି ଗାଡ଼ିରେ ପୁଲିସ ଫୋର୍ସ ଘଟଣାସ୍ଥଳ‌ରେ ପହଞ୍ଚିଥିଲେ। ଉତ୍ତ୍ୟକ୍ତ ଲୋକେ ପୁଲିସ ଗାଡ଼ି ଉପରକୁ ପଥର ମାଡ଼ କରିଥିଲେ। ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବାରୁ ପୁଲିସ କର୍ମଚାରୀମାନେ ସେଠାରୁ ଦୌଡ଼ି ପଳାଇଥିଲେ। ପରେ ବଡ଼ବିଲ ଏସ୍‌ଡିପିଓ ସତ୍ୟବିକାଶ ଭୂୟାଁ ଓ ବାମେବାରୀ ଥାନାଧିକାରୀ ଅମିତାଭ ଦାସ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ପୁଲିସ ଗାଡ଼ିକୁ ଥାନାକୁ ଆଣିଥିଲେ। ଏହି ଘଟଣାରେ ୧୦ରୁ ଊର୍ଦ୍ଧ୍ବ ଯୁବକଙ୍କୁ ଅଟକ ରଖି ପୁଲିସ ଜେରା କରୁଛି।

ତରୁଆଁରେ ପୁଲିସ ଗାଡ଼ି ଭଙ୍ଗାରୁଜା, ୬ ଅଟକ
ଆନନ୍ଦପୁର : ଏକ ଗଣ୍ଡଗୋଳ ଘଟଣାର ତଦନ୍ତ ପାଇଁ ରାମଚନ୍ଦ୍ରପୁର ପୁଲିସ ତରୁଆଁ ଗ୍ରାମକୁ ଯାଇଥିବା ବେଳେ ଗ୍ରାମବାସୀ ପୁଲିସ ଗାଡ଼ିର କାଚ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ପୁଲିସ ଲୋକଙ୍କୁ ନିସ୍ତୁକ ପିଟିବା ସହ ଘରେ ପଶି ଭଙ୍ଗାରୁଜା କରିଛି। ଏହାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୁଲିସ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଗିରଫ ଭୟରେ ତରୁଆଁ ଗ୍ରାମ ଜନଶୂନ୍ୟ‌ ହୋଇଯାଇଛି। ପୁଲିସ ସୂଚନା ଅନୁସାରେ ତରୁଆଁ ଗ୍ରାମରେ ଆଜି ସକାଳେ ଏକ ଘରପୋଡ଼ିକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏନେଇ ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ ହେବା ପରେ ପୁଲିସ ସନ୍ଧ୍ୟାରେ ତଦନ୍ତ ପାଇଁ ଗ୍ରାମକୁ ଯାଇଥିଲା। ଗ୍ରାମର ମହିଳାମାନେ ଥାନାଧିକାରୀ ରାଜେନ୍ଦ୍ର କୁମାର ସ୍ବାଇଁ ଏବଂ ପୁଲିସ କର୍ମଚାରୀଙ୍କୁ ଅଟକ ରଖିଥିଲେ। ଗ୍ରାମର କିଛି ଲୋକେ ପୁଲିସ ଗାଡ଼ିର କାଚ ଭାଙ୍ଗି ଦେଇଥିଲେ ବୋଲି ଥାନାଧିକାରୀ ଶ୍ରୀ ସ୍ବାଇଁ କହିଛନ୍ତି। ଅନ୍ୟପକ୍ଷରେ ଗ୍ରାମବାସୀ ପୁଲିସ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି। ସନ୍ଧ୍ୟାରେ ୪ଟି ଗାଡ଼ିରେ ପୁଲିସ ପହଞ୍ଚିଥିଲେ। ଗ୍ରାମବାସୀଙ୍କୁ ମାଡ଼ ମାରିଥିଲେ। ଏପରିକି ଘରେ ପଶି ବିଭିନ୍ନ ଆସବାବପତ୍ର ଓ ଏକାଧିକ ବାଇକ୍‌ ଭଙ୍ଗାରୁଜା କରିଥିଲେ। ମହିଳାମାନେ ମଧ୍ୟ ପୁଲିସ ଆକ୍ରମଣର ଶିକାର ହୋଇଥିଲେ ବୋଲି ଗ୍ରାମବାସୀ ଅଭି‌ଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର