କଟକ କେଶରପୁରରେ ଉତ୍ତେଜନା : ପୁଲିସକୁ ଢେଲାମାଡ଼; ୫୦ରୁ ଅଧିକ ଅଟକ; ପୁଲିସର ଲାଠିମାଡ଼, ୩ ପ୍ଲାଟୁନ୍ ଫୋ‌ର୍ସ ମୁତୟନ

କଟକ-ମହାନଦୀବିହାର : ଗୋଷ୍ଠୀ ବିବାଦକୁ ନେଇ କେଶରପୁର ଅଞ୍ଚଳରେ ଆଜି ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। ରାସ୍ତାରେ ଏକାଠି ହୋଇଥିବା କେତେକ ଦୁର୍ବୃତ୍ତ ପୁଲିସ ଉପରକୁ ଢେଲାମାଡ଼ କରିଥିବା ବେଳେ ପୁଲିସ୍‌ ସେମାନଙ୍କୁ ଘଉଡ଼ାଇବା ପାଇଁ ଲାଠିମାଡ଼ କରିବା ସହ ୫୦ରୁ ଅଧିକ ଯୁବକଙ୍କୁ ଅଟକ ରଖିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଲାଗି ରହିଛି। ପରିସ୍ଥିତି ଉପରେ ନଜର ରଖିବାକୁ ସେଠାରେ ତିନି ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ସୂଚନା‌ ଅନୁଯାୟୀ, କେଶରପୁର ଅଞ୍ଚଳର ଦୁଇ ଗୋଷ୍ଠୀ ମଧ୍ୟରେ ଗତକାଲିଠାରୁ ବିବାଦ ଲାଗି ରହିଥିଲା। ଆଜି ଏହି ଘଟଣାକୁ ନେଇ କିଛି ଯୁବକ ରାସ୍ତାରେ ଏକାଠି ହୋଇ ଆଲୋଚନା କରୁଥିଲେ। ମଙ୍ଗଳାବାଗ ଥାନା ଆଇଆଇସି ଅମିତାଭ ମହାପାତ୍ର ସେଠାରେ ପହଞ୍ଚି ଏହି ଯୁବକଙ୍କୁ ଏଭଳି ଜମା ନ ହୋଇ ଘରକୁ ଚାଲିଯିବା ପାଇଁ କହିଥିଲେ। ସେହି ସମୟରେ ଉଭୟ ପକ୍ଷ ମଧ୍ୟରେ କଥା କଟାକଟି ହୋଇଥିଲା। ଏହାକୁ ନେଇ ଉତ୍ତେଜନା ସୃଷ୍ଟି ହେବା ସହ ସ୍ଥାନୀୟ ଯୁବକମାନେ ଏକାଠି ହୋଇ ପୁଲିସ୍‌ ଉପରକୁ ଢେଲାମାଡ଼ କରିଥିଲେ। ଢେଲାମାଡ଼ରେ ଆଇଆଇସି ଆହତ ‌େହାଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇ ଡିସିପି ଅଖିଳେଶ୍ବର ସିଂହ ୩ ପ୍ଲାଟୁନ୍‌ ଫେ‌ାର୍ସ ସହ ସେଠାରେ ପହଞ୍ଚିଥିଲେ। ଗଣ୍ଡଗୋଳକାରୀ ଯୁବକଙ୍କୁ ଘଉଡ଼ାଇବା ପାଇଁ ପୁଲିସ୍‌ ଲାଠିମାଡ଼ କରିବା ସହ ବିଭିନ୍ନ ସ୍ଥାନରେ ଲୁଚି ରହିଥିବା ୫୦ରୁ ଅଧିକ ଯୁବକଙ୍କୁ ଥାନାକୁ ଉଠାଇ ଆଣିଥିଲା। ଏବେ ପୁଲିସ ଘଟଣାସ୍ଥଳର ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି ଏବଂ ଏହି ଘଟଣାରେ ଅନ୍ୟ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ଶ୍ରୀ ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର