ରାଜଧାନୀ ଏକ୍ସପ୍ରେସ୍‌କୁ ପଥର ମାଡ଼ : ଘଣ୍ଟାଏ ଅଟକିଲା ଟ୍ରେନ୍, ଆରପିଏଫ୍‌ର ତଦନ୍ତ

କୋରେଇ : ଭୁବନେଶ୍ବରରୁ ଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ସପ୍ରେସ୍‌ ଉପରକୁ ଆଜି ଯାଜପୁର ଜିଲ୍ଲା ଅନ୍ତର୍ଗତ କୋରେଇ ରେଳ ଷ୍ଟେସନ୍‌ରେ କେହି ଦୁର୍ବୃତ୍ତ ପଥର ମାଡ଼ କରିଛି। ଫଳରେ ଟ୍ରେନ୍‌ର ଗୋଟିଏ ବଗିରେ କାଚ ଭାଙ୍ଗି ଯାଇଥିବା ବେଳେ ଯାତ୍ରୀମାନଙ୍କର କୌଣସି କ୍ଷତି ହୋଇନାହିଁ। ପଥର ମାଡ଼ ପରେ ଘଣ୍ଟାଏରୁ ଅଧିକ ସମୟ ଧରି ଟ୍ରେନ୍‌ଟି କୋରେଇ ଷ୍ଟେସନ୍‌ରେ ଅଟକିଥିଲା। ଯାଜପୁର-କେନ୍ଦୁଝରରୋଡ ଓ ଭଦ୍ରକ ଷ୍ଟେସନ୍‌ର ୫ ଜଣିଆ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।

ଭୁବନେଶ୍ବରରୁ ଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ସପ୍ରେସ୍‌ ନମ୍ବର-୨୨୮୧୧ ଟି ଆଜି ଅପରାହ୍ନରେ କୋରେଇ ଷ୍ଟେସନ୍‌ ଅତିକ୍ରମ କରୁଥିବା ବେଳେ କେହି ଦୁର୍ବୃତ୍ତ ହଠାତ୍ ପଥର ମାଡ଼ କରିଥିଲା। ଫଳରେ ଟ୍ରେନ୍‌ର ଏସି ବଗି ନମ୍ବର ବି-୮ ରେ ଥିବା ଗୋଟିଏ ଝରକାର କାଚ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ଝରକା ନିକଟରେ ବସିଥିବା ଯାତ୍ରୀ ଏ ସମ୍ପର୍କରେ ସୁରକ୍ଷା କର୍ମୀଙ୍କୁ ଜଣାଇବା ପରେ ଟ୍ରେନ୍‌ଟି କୋରେଇ ଷ୍ଟେସନ୍‌ରେ ଅଟକିଥିଲା। ପରେ ଯାଜପୁରରୋଡ ଷ୍ଟେସନ୍ ଆରପିଏଫ୍ ଅଧିକାରୀ ସହଦେବ ବେହେରା ଓ ଏଏସ୍‌ଆଇ ଡି.ଜି ରାଓଙ୍କ ସମେତ ଭଦ୍ରକରୁ ଏକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ତେବେ ଘଣ୍ଟାଏ ପରେ ଟ୍ରେନ୍‌ଟି ପୁଣି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା। ପ୍ରକାଶ ଯେ, ପୂର୍ବରୁ ଶତାବ୍ଦୀ ଏକ୍ସପ୍ରେସ୍‌ ଉପରକୁ ମଧ୍ୟ ପଥର ମାଡ଼ ହୋଇଥିଲା। ରେଳ ବିଭାଗ ପକ୍ଷରୁ ଏନେଇ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର