ଖୋର୍ଦ୍ଧା: ଖୋର୍ଦ୍ଧା ଗ୍ରାମାଂଚଳରେ ବେଆଇନ ମାଙ୍କଡ଼ା ପଥର ଖଣି ଖନନ ଓ ଚାଲାଣ ଏଭଳି ଉକ୍ରଟ ହୋଇଛି ଯେ ଯିଏ ଯେଉଁଠାରେ ପାରିଲା ଖୋଳି ଖୋଳି ନେଉଛନ୍ତି। କେତେବେଳେ ଡରାଇ ଧମକାଇ ତ କେତେବେଳେ ନିଜକୁ ସରକାରୀ କର୍ମଚାରୀଙ୍କ ପରିଚୟ ଦେଇ ଦିନଦିପହରେ ଲୁଟ ଚାଲିଛି। ଆଜି ଏଭଳି ଏକ ଅଭିଯୋଗ ଦେଇ ଟାଙ୍ଗୀ ତହସିଲ ଅନ୍ତର୍ଗତ ଓଳସିଂହ ଗାଁର ଲୋକମାନେ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

Advertisment

ଆଜି ପୂର୍ବାହ୍ଣରେ ଗ୍ରାମର ପ୍ରାୟ ୭୦ରୁ ଉଦ୍ଧ୍ୱର୍ ବ୍ୟକ୍ତି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ଏକ ଦାବିପତ୍ର ଦେଇଛନ୍ତି । ଏନେଇ ଲୋକଙ୍କ କହିବା କଥା ହେଲା ଗାଁର ସରକାରୀ ସ୍କୁଲ କଡ଼ରେ ପ୍ଲଟ ନମ୍ବର ୩୩୭, ଖାତା ନମ୍ବର ୩୭୨, ୨୭୧ ଓ ୩୭୦ ରହିଛି । ତେବେ କିଛି ଦିନ ପୂର୍ବେ ନିଜକୁ ସରକାରୀ କର୍ମଚାରୀ ବୋଲି ପରିଚୟ ଦେଇ ମାପଚୁପ କରିଥିଲେ । ଏହାପରେ ଆଜି ସେଠାରୁ ମାଙ୍କଡ଼ା ପଥର ଖୋଳିବା ଆରମ୍ଭ କରିଛନ୍ତି । ଏହା ଦେଖି ଗାଁ ଲୋକ ଏକଜୁଟ ହୋଇ ପ୍ରତିବାଦ କରିଥିଲେ ।

ତେବେ ଯେଉଁ ସ୍ଥାନରେ ଖଣି ଖୋଳୁଛନ୍ତି ତାହା ସ୍କୁଲ ନିକଟରେ ହୋଇଥିବାରୁ ଛାତ୍ରଛାତ୍ରୀମାନେ ଖେଳାଖେଳି କରନ୍ତି ଓ କୌଣସି ସମୟରେ ଦୁର୍ଘଟଣା ଘଟିବା ସମ୍ଭାବନା ରହିଛି । ଏହା ସହ ମୁଖ୍ୟ ସଡ଼କ ସହ ସେହି ରାସ୍ତା ଦେଇ ଗାଁକୁ ସଂଯୋଗ ରାସ୍ତା ରହିଛି । ଏପରିସ୍ଥଳେ ପ୍ରଶାସନ କିଭଳି ଭାବେ ଗାଁ କମିଟିର ଅନୁମତି ନନେଇ ଖଣି ଖୋଳିବାକୁ ଅନୁମତି ଦେଲେ ବୋଲି ପ୍ରଶ୍ନ କରିବା ସହ ଯେଉଁମାନେ ଖୋଳୁଛନ୍ତି ସେମାନଙ୍କୁ ତୁରନ୍ତ ଧରି ସେମାନଙ୍କ ଯାଂଚ କରିବାକୁ ଦାବି କରିଛନ୍ତି । ଯଦି ଏହା ବନ୍ଦ ନହୁଏ ତେବେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।