ସୁନ୍ଦରଗଡ଼: ଏମ୍‌ସିଏଲ୍‌ ବସୁନ୍ଧରା ଗର୍ଜନବାହାଲର କୋଇଲା ଖଣିରେ ବିସ୍ଫୋରଣକୁ ନେଇ କରଲିକଛାର ଗାଁରେ ଅସନ୍ତୋଷ ଲାଗି ରହିଥିବାବେଳେ ରବିବାର ଏଠାରେ ଅଭାବନୀୟ ପରିସ୍ଥିତି ଦେଖାଦେଇଥିଲା।  ଗର୍ଜନବାହାଲ ଖଣି କର୍ତ୍ତୃପକ୍ଷ ଓ ଗାଁ ଲୋକେ ମୁହାଁମୁହିଁ ହୋଇଥିଲେ। ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ, ରବିବାର ଅପରାହ୍‌ଣରେ ଗାଁରେ ଗଣେଶ ଭସାଣି ପାଇଁ ପ୍ରସ୍ତୁତି ଚାଲିଥିଲା। ଗାଁର ଜିତେନ ମାଝୀଙ୍କ ଘରେ ନୃତ୍ୟଗୀତ ପାଇଁ ଝିଅମାନଙ୍କ ସାଜସଜ୍ଜା ଚାଲିଥିଲା। ପ୍ରାୟ ଅପରାହ୍ଣ ୩ଟାରେ ଖଣିରେ ବିସ୍ଫୋରଣ ହୋଇଥିଲା ଓ ଏକାଧିକ ପଥର ଖଣ୍ଡ ଉଡ଼ି ଆସି ଏଠିସେଠି ପଡ଼ିଥିଲା। ଗୋଟିଏ ପଥର ଜିତେନ ମାଝୀଙ୍କ ଆଜବେଷ୍ଟସ୍‌ ଛାତକୁ ଫଟାଇ ଘର ଭିତରେ ଥିବା ଝିଅମାନଙ୍କ ଉପରେ ପଡ଼ିଥିଲା।  ଜିତେନଙ୍କ ସ୍ତ୍ରୀ, ତାଙ୍କର ଓ ଭାଇଙ୍କର ୨ଝିଅ ଓ ପଡ଼ୋଶୀ ଘରର ଯୁବତୀ ଦୀପା ମାଝୀ ଆହତ ହୋଇଥିଲେ। ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା।

Advertisment

ଭାଙ୍ଗିଲା ଆଜବେଷ୍ଟସ୍‌ ଛାତ, ଗ୍ରାମବାସୀ ଆହତ 
ତାତିଲେ ଲୋକେ, ଅଧିକାରୀଙ୍କୁ ଧସ୍ତାଧସ୍ତି

ଗାଁ ‌ଲୋକେ ଗର୍ଜନବାହାଲ ଖଣି କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଇ ତୁରନ୍ତ ଆସି ଦେଖିଯିବାକୁ କହିଥିଲେ।  ଖଣି ପରିଚାଳକ, ପ୍ରକଳ୍ପ ଅଧିକାରୀ ସମେତ ଅନେକ କର୍ମଚାରୀ କରଲିକଛାର ଆସି ସ୍ଥିତି ଦେଖିଥିଲେ। କ୍ଷତିପୂରଣ ପ୍ରଦାନ ସହ ଗାଁକୁ ସମ୍ପୂର୍ଣ୍ଣ ବିସ୍ଥାପିତ କରି ଖଣି ଖନନ ଓ ବିସ୍ଫୋରଣ କାର୍ଯ୍ୟ କରିବାକୁ ଲୋକେ ଦାବି କରିଥିଲେ। ଏହାକୁ ନେଇ କମ୍ପାନି ଅଧିକାରୀ ଓ ଗାଁ ଲୋକଙ୍କ ମଧ୍ୟରେ କଥା କଟାକଟି ଓ ଧସ୍ତାଧସ୍ତା ହୋଇଥିଲା।  ଗାଁ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ ଅଧିକାରୀ। ଉତ୍ତେଜନା ଖବର ପାଇ ହେମଗିର ପୁଲିସ ପହଞ୍ଚି ଅଧିକାରୀମାନଙ୍କୁ ଉଦ୍ଧାର କରିଥିଲେ। ଏ ନେଇ ଗାଁର କସ୍ତୁରୀ ନାଏକ ନାମ୍ନୀ ଜଣେ ମହିଳା ହେମଗିର ଥାନାରେ ଏତଲା ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଥିବା ଜଣାପଡ଼ିଛି।  ଅନ୍ୟପଟେ ଗର୍ଜନବାହାଲ ଖଣି କର୍ତ୍ତୃପକ୍ଷ ମଧ୍ୟ ଏତଲା ଦେଇଥିବା କୁହାଯାଉଛି। ଏ ସମ୍ପର୍କରେ ଗର୍ଜନବାହାଲ କୋଇଲା ଖଣି ପ୍ରକଳ୍ପ ଅଧିକାରୀ ନୀରଜ ବରନ ସାମଲଙ୍କୁ ପଚାରିବାରୁ ସେ ଏ ସମ୍ପର୍କରେ କିଛି ଜାଣି ନଥିବା କହିଥିଲେ। ଉପଖଣ୍ଡ ଆରକ୍ଷୀ ଅଧିକାରୀ ନିର୍ମଳ କୁମାର ମହାପାତ୍ର କହିଛନ୍ତି, ଖଣି ବିସ୍ଫୋରଣକୁ ନେଇ କରଲିକଛାର ଓ ଗର୍ଜନବାହାଲ ଖଣି ପ୍ରକଳ୍ପ ଅଧିକାରୀ ମୁହାଁମୁହିଁ ହୋଇଥିବା ପୁଲିସକୁ ସୂଚନା ମିଳିଥିଲା।  କିନ୍ତୁ କୌଣସି ପକ୍ଷ ଏତଲା ଦେଇନାହାନ୍ତି ବୋଲି ସେ କହିଛନ୍ତି।