ପୁରୀ: ଆନ୍ଧ୍ରପ୍ରଦେଶରୁ ଉଦ୍ଧାର ହୋଇଛି ଗଙ୍ଗବଂଶ ରାଜୁତି ସମୟର ଶିଳାଲେଖ। ଆନକାପାଲେ ଜିଲ୍ଲା ଅନ୍ତର୍ଗତ ଅଚ୍ୟୁତପୁରମ୍ ମଣ୍ଡଳ ମାଡ଼ୁଥୁରୁ ଗ୍ରାମରୁ ମିଳିଥିବା ଶିଳାଲେଖରୁ ଚୋଡ଼େଶ୍ବର ମନ୍ଦିରର ନିର୍ମାଣ ସମ୍ପର୍କରେ ତଥ୍ୟ ମିଳିଛି। ଗଙ୍ଗବଂଶୀ ରାଜା ତୃତୀୟ ରାଜରାଜ ଦେବଙ୍କ ସମୟରେ ଏହି ମନ୍ଦିର ନିର୍ମାଣ ହୋଇଥିଲା। ତୃତୀୟ ରାଜରାଜ ଥିଲେ ଗଙ୍ଗ ସମ୍ରାଟ ଅନନ୍ତବର୍ମନ ଚୋଡ଼ଗଙ୍ଗ ଦେବଙ୍କ ପୌତ୍ର। ତୃତୀୟ ରାଜରାଜ ଦେବଙ୍କ ଏକ ତାମ୍ରଶାସନ ପୁରୀ ଜିଲ୍ଲା ଦାଶଗୋବା ଗ୍ରାମରୁ ମିଳିଥିଲା। ପିତାମହ ଚୋଡ଼ଗଙ୍ଗ ଦେବଙ୍କ ସମ୍ମାନ ଉଦ୍ଦେଶ୍ୟରେ ମାଡ଼ୁଥୁରୁସ୍ଥିତ ଶିବାଳୟର ନାମ ‘ଚୋଡ଼େଶ୍ବର’ ରଖାଯାଇଥିବା ଆକଳନ କରିଛନ୍ତି ଇନ୍ଟାକ (ଇଣ୍ଡିଆନ୍ ନାସନାଲ୍ ଟ୍ରଷ୍ଟ ଫର୍ ଆର୍ଟ ଆଣ୍ଡ୍ କଲଚରାଲ୍ ହେରିଟେଜ୍)ର ଗବେଷଣା ଦଳ।
ଚୋଡ଼ଗଙ୍ଗ ଦେବଙ୍କ ସମ୍ମାନାର୍ଥେ ନିର୍ମିତ ହୋଇଥିଲା ‘ଚୋଡ଼େଶ୍ବର’ ମନ୍ଦିର
ଇନ୍ଟାକ ପକ୍ଷରୁ ଆନ୍ଧ୍ରପ୍ରଦେଶରେ କଳିଙ୍ଗ ଐତିହ୍ୟର ଦସ୍ତାବିଜ୍ ପ୍ରସ୍ତୁତି ଚାଲୁ ରହିଥିବା ବେଳେ ଶିଳଲେଖ ସମ୍ପର୍କରେ ତଥ୍ୟ ଅନ୍ବେଷଣ ଜାରି ରହିଛି। ଅନୁସନ୍ଧାନ ଦଳରେ ଇନ୍ଟାକ୍ର ପ୍ରକଳ୍ପ ସଂଯୋଜକ ଦୀପକ କୁମାର ନାୟକ, ସଦସ୍ୟ ସୁମନ ପ୍ରକାଶ ସ୍ବାଇଁ ଓ ଲିପିତତ୍ତ୍ବବିତ ବିଷ୍ଣୁମୋହନ ଅଧିକାରୀ ସାମିଲ ହୋଇଥିଲେ। ଶିଳାଲେଖ ବାବଦରେ ଲିପିତତ୍ତ୍ବବିତ ଶ୍ରୀ ଅଧିକାରୀ କହିଛନ୍ତି, ଏଥିରେ ତେଲୁଗୁ ଭାଷା ଓ ଲିପି ଖୋଦିତ ହୋଇଛି। ଳାଲେଖରେ ଥିବା ସୂଚନା ମୁତାବକ ଚୋଡ଼େଶ୍ବର ମନ୍ଦିର ନିର୍ମାଣ ତୃତୀୟ ରାଜରାଜ ଦେବଙ୍କ ସମୟରେ କରାଯାଇଥିଲା। ସିତ୍ତାମା ସେଟ୍ଟିଙ୍କ ତିନି ପୁତ୍ର ପ୍ରୋଲି ସେଟ୍ଟି, ପୋତି ସେଟ୍ଟି, ଭାମି ସେଟ୍ଟି ଚୋଡ଼େଶ୍ବର ମନ୍ଦିର ପାଇଁ ଭୂମିଦାନ ସହ ମନ୍ଦିର ନିର୍ମାଣ କରିଥିଲେ। ମନ୍ଦିରରେ ଅଖଣ୍ଡ ଦୀପ ଜଳାଇବାର ବ୍ୟବସ୍ଥା କରାଯାଇଥିଲା। ଅଭିଲେଖର ପ୍ରାରମ୍ଭରେ ଗଙ୍ଗ ରାଜବଂଶର ପ୍ରତୀକ ଚିହ୍ନ ବୃଷଭ ଚିତ୍ର ଖୋଦିତ ହୋଇଛି।
ଇନ୍ଟାକ୍ର ପ୍ରକଳ୍ପ ସଂଯୋଜକ ଦୀପକ କୁମାର ନାୟକଙ୍କ କହିବା ଅନୁଯାୟୀ, ମନ୍ଦିର ନିର୍ମାଣ ଓ ଭୂମିଦାନ ତୃତୀୟ ରାଜରାଜ ଦେବଙ୍କ ରାଜୁତିର ପ୍ରଥମ ଅଙ୍କ ୧୧୯୭ରୁ ୯୮ ମଧ୍ୟରେ ସମାହିତ ହୋଇଥିବା ଅନୁମାନ କରାଯାଏ। କିଛି ବର୍ଷ ତଳେ ତୃତୀୟ ରାଜରାଜ ଦେବଙ୍କ ଏକ ତାମ୍ରଶାସନ ପୁରୀର ଦାଶଗୋବା ଗ୍ରାମରୁ ମିଳିଥିଲା। ତୃତୀୟ ରାଜରାଜ ଥିଲେ ଅନନ୍ତବର୍ମନ ଚୋଡ଼ଗଙ୍ଗ ଦେବଙ୍କ ପୌତ୍ର। ମିଳିଥିବା ତାମ୍ରଶାସନରୁ ସ୍ପଷ୍ଟ ଯେ ପୁରୀର ପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରର ପୁନଃନିର୍ମାଣ ଚୋଡ଼ଗଙ୍ଗ ଦେବଙ୍କ ସମୟରେ ହୋଇଥିଲା। ସେହି ସମୟରେ କଳିଙ୍ଗ ରାଜ୍ୟର ସୀମା ଉତ୍ତରରେ ଗଙ୍ଗା ନଦୀଠାରୁ ଦକ୍ଷିଣରେ ଗୋଦାବରୀ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା। ଏବେ ଆନ୍ଧ୍ରପ୍ରଦେଶ ରାଜ୍ୟର ଆନକାପାଲେ ଅଞ୍ଚଳ ମଧ୍ୟ କଳିଙ୍ଗର ଅନ୍ତର୍ଭୁକ୍ତ ଥିଲା। ତେଣୁ ନିଜ ପିତାମହ ଚୋଡ଼ଗଙ୍ଗଦେବଙ୍କ ସମ୍ମାନ ଉଦ୍ଦେଶ୍ୟରେ ମାଡ଼ୁଥୁରୁରେ ନିର୍ମିତ ଶୈବପୀଠର ନାମ ‘ଚୋଡ଼େଶ୍ବର’ ହୋଇଥିବା ଅନୁମାନ କରାଯାଏ ବୋଲି ଶ୍ରୀ ନାୟକ କହିଛନ୍ତି।