ଆର୍‌ଆଇଙ୍କୁ ପଥର ମାଫିଆଙ୍କ ଆକ୍ରମଣ

ରାଜସ୍ବ କର୍ମଚାରୀଙ୍କୁ ସୁରକ୍ଷା ଦେଉନି ପୁଲିସ

ବେଗୁନିଆ :ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲାରେ ମାଙ୍କଡ଼ାପଥର ମାଫିଆଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ତହସିଲ ପକ୍ଷରୁ ବିଭିନ୍ନ ମାଙ୍କଡ଼ାପଥର ଖଣିରେ ଚଢ଼ଉ କରାଯାଉଥିବା ବେଳେ ପୁଲିସ ରାଜସ୍ବ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କୁ ସୁରକ୍ଷା ଦେବାକୁ ଯାଉନଥିବା ଅଭିଯୋଗ ହୋଇଛି। ଏହିପରି ଏକ ଘଟଣାକ୍ରମରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳରେ ଜଣେ ଆର୍‌ଆଇଙ୍କୁ ଆକ୍ରମଣ କରି ମାଫିଆମାନେ ମାଙ୍କଡ଼ାପଥର ବୋଝେଇ ଗାଡ଼ି ଛଡ଼ାଇନେଇଛନ୍ତି । ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସୂଚନା ଅନୁସାରେ, ବେଗୁନିଆ ତହସିଲ ପକ୍ଷରୁ ଅତିରିକ୍ତ ତହସିଲଦାର ମମତା ଦାସ ବାଘମାରି, ଡାଳତୋଳା ରାଜସ୍ୱ ନିରୀକ୍ଷକ(ଆର୍‌ଆଇ)ଙ୍କ ସହ ବିଭିନ୍ନ ଖଣିରେ ଚଢ଼ଉ କରି ରାସ୍ତାରୁ ଏକ ବେଆଇନ ମାଙ୍କଡ଼ାପଥର ବୋଝେଇ ମିନିଟ୍ରକ୍‌ ଜବତ କରିଥିଲେ। ବାଘମାରି ରାଜସ୍ୱ ନିରୀକ୍ଷକ ମନୋଜ ଦାସ ଜବତ ମିନିଟ୍ରକ୍‌କୁ ତହସିଲ କାର୍ଯ୍ୟାଳୟ ଅଭିମୁଖେ ନେଇ ଆସୁଥିବାବେଳେ ପଥର ମାଫିଆଙ୍କ ଏକ ଦଳ ଚଣ୍ଡିଆପଲ୍ଲା ରାସ୍ତା ନିକଟରେ ତାଙ୍କୁ ଅଟକାଇଥିଲେ। ନିକଟସ୍ଥ ଜଙ୍ଗଲ ଭିତରୁ ଗାଡ଼ିକୁ ପୂରାଇ ଦେବାସହିତ ତାଙ୍କୁ ବିଭିନ୍ନ ପ୍ରକାର ଧମକଚମକ ଦେବା ସହ ଆକ୍ରମଣ କରିଥିଲେ। ଏହାପରେ, ଗାଡ଼ିରୁ ଠେଲିଦେଇ ମାଫିଆମାନେ ମିନିଟ୍ରକ୍‌କୁ ନେଇ ପଳାଇଥିଲେ।

ତହସିଲ ପକ୍ଷରୁ ଏ ନେଇ ବେଗୁନିଆ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ପୁଲିସ ଏନେଇ୧୯୧/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ମିନିଟ୍ରକ୍‌ ଗାଡ଼ିକୁ ଜବତ କରିବା ସମୟରେ ଅତିରିକ୍ତ ତହସିଲଦାର ପୁଲିସକୁ ସହାୟତା ମାଗିଥିଲେ ମଧ୍ୟ ପୁଲିସ୍‌ ଠିକ୍‌ ସମୟରେ ପହଞ୍ଚିନଥିଲା। ତହସିଲ ପ୍ରଶାସନ ଏବଂ ପୁଲିସ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁ ଏଭଳି ଘଟଣା ଘଟିଥିବା ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର