ପଥର ଖଣି ଲିିଜ୍ ଚଞ୍ଚକତା ପ୍ରସଙ୍ଗ: ଅଡ଼ୁଆରେ ଜିଲ୍ଲା ପ୍ରଶାସନ

କଂଗ୍ରେସର ଆନ୍ଦୋଳନ ଧମକ; ବିଜେପି ବି ମୁହଁ ଖୋଲିଲା

ମାଲକାନଗିରି : ପଥର ଖଣି ଲିଜ୍ ପ୍ରଦାନରେ ଚଞ୍ଚକତା ହୋଇଥିବା ଅଭିଯୋଗ ପରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଉପରେ ଆରମ୍ଭ ହୋଇଛି ସଣ୍ଡୁଆଶି ଆକ୍ରମଣ। ନିରପେକ୍ଷ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଜି ଜୁଲାଇ ମାସ ୪ତାରିଖ ପର୍ଯ୍ୟନ୍ତ ମହଲତ ଦେଇଛି କଂଗ୍ରେସ। ଏହାପରେ ଆନ୍ଦୋଳନକୁ ଜୋରଦାର କରିବ ବୋଲି ଚେତାବନୀ ଦେଇଛି। ଅନ୍ୟପଟେ କଂଗ୍ରେସ କରିଥିବା ଅଭିଯୋଗକୁ ଆଜି ଦୋହରାଇଛି ବିଜେପି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବି ଦାବି କରିଛି। ଯାହାଫଳରେ ପ୍ରଶାସନ ପାଇଁ ଚାରିଆଡ଼ୁ ଅଡ଼ୁଆ ବଢ଼ିବା ସହ ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ସନ୍ଦେହ କ୍ରମଶଃ ଦୃଢ଼ୀଭୂତ ହେବାରେ ଲାଗିଛି।

ଆଜି କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ କଂଗ୍ରେସ ଟିମ୍ ଯାଇଥିଲା। ତେବେ ଜିଲ୍ଲାପାଳ ୱାଇ. ବିଜୟ ଗୃହ ଏକାନ୍ତବାସରେ ରହିଥିବାରୁ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନଙ୍କୁ ଭେଟିଥିଲେ କଂଗ୍ରେସ ପ୍ରତିନିଧି। ପ୍ରଥମେ ଟେଣ୍ଡରକୁ ରଦ୍ଦ କରିବା, ଏହାସହ ବେଆଇନ ଘର ଉପରେ ଦିଆଯାଇଥିବା ସଲଭେନସିକୁ ରଦ୍ଦ କରିବା, ଜିଲ୍ଲାପାଳ ଚଲାଉଥିବା ଦାମୀ ଏମ୍‌ଜି ହେକ୍ଟର ଗାଡିକୁ ସିଜ କରିବା ଓ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା କରିଥିବା କର୍ମଚାରୀଙ୍କୁ ତଦନ୍ତ ପରିସରଭୁକ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ କଂଗ୍ରେସ ଦାବି କରିଛି।

ତେବେ ଦାବିପତ୍ର ପ୍ରଦାନ ସମୟରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଲିଜ୍ ପ୍ରକ୍ରିୟାରେ ସାମିଲ ହୋଇଥିବା ଡେପୁଟି କଲେକ୍ଟର ଅଶ୍ବିନୀ କୁମାର ଭୁୟାଁଙ୍କୁ ଘେରି ଯାଇଥିଲେ କଂଗ୍ରେସ ନେତା। ଏହାପରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ପ୍ରଶ୍ନବାଣରେ ଥତମତ ହୋଇଯାଇଥିଲେ ଡେପୁଟି କଲେକ୍ଟର। ପ୍ରଥମେ ଲିଜ୍‌ ଆବେଦନ ସଂପର୍କିତ କାଗଜପତ୍ର ବାକ୍ସ ଜିଲ୍ଲାପାଳଙ୍କ ବାସଭବନରେ ସିଲ୍ ହୋଇଥିବା କହିଥିଲେ। ଏହାପରେ କଥା ବଦଳାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳାୟରେ ବାକ୍ସ ସିଲ୍ ହୋଇଥିବା ଉତ୍ତର ଦେଇଥିଲେ। ସେହିପରି ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟକୁ ଆଧାର କରି ଅନେକ ପ୍ରଶ୍ନ କରାଯାଇଥିବା ବେଳେ ସନ୍ତୋଷ ଜନକ ଉତ୍ତର ଦେବାରେ ବିଫଳ ହୋଇଥିଲେ ଡେପୁଟି କଲେକ୍ଟର। ଜିଲ୍ଲାପାଳ ଦୁଇ ଦିନ ତଳେ ଦେଇଥିବା ସଫେଇ ଏବଂ ଆଜି ଡେପୁଟ କଲେକ୍ଟର ରଖିଥିବା ଉତ୍ତରରେ ବି ଆଦୌ ତାଳମେଳ ରହି ନଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସୁରକ୍ଷା ବ୍ୟବସ୍ଥାକୁ ନେଇ ବି ପିସିସି କାର୍ଯ୍ୟକାରୀ ସଭାପତି ଶ୍ରୀ ମାଝି ପ୍ରଶ୍ନ ଉଠାଇଥିଲେ। ଦାବିପତ୍ର ପ୍ରଦାନ ବେଳେ ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର, କାର୍ଯ୍ୟକାରୀ ସଭାପତି ରାମ ପ୍ରସାଦ ପଟନାୟକ, କାଲିମେଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ମାଲା ମାଢି, ପେଣ୍ଡ୍ରା ପଣ୍ଡା, ପି.କେଶୁ ରାଓ, ଜି.ଶ୍ରୀନିବାସ ରାଓ, ପଦ୍ମ ପାଙ୍ଗି ପ୍ରମୁଖ ଉପସ୍ଥିତ ଥିଲେ।

ତେବେ ଦୁଇ ଦିନ ଧରି ଉପରୋକ୍ତ ପ୍ରସଙ୍ଗ ଉପରେ ନଜର ରଖିଥିବା ବିଜେପି ଆଜି ମୁହଁ ଖୋଲିଛି। ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ବିଜେପି ସଭାପତି ଆଦିତ୍ୟ ମାଢି କଂଗ୍ରେସର ସ୍ବର ସହ ସ୍ବର ମିଳାଇଛନ୍ତି। ପଥର ଖଣି ଲିଜ୍ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି। ତେଣୁ ଏହି ଅଭିଯୋଗ ନିମନ୍ତେ ଉଚ୍ଚସ୍ତରୀୟ ଯାଞ୍ଚ କମିଟି ଗଠନ କରାଯାଉ। ଏହି କମିଟି ଦ୍ବାରା ହିଁ ଅଭିଯୋଗର ତଦନ୍ତ କରିବାକୁ ଦାବି କରିଥିଲେ।

ସମ୍ବନ୍ଧିତ ଖବର