ଚିକିଟି: ଜଣାଶୁଣା ହାସ୍ୟ ଅଭିନେତା ପପୁ ପମ୍ପମ୍ଙ୍କ ମଞ୍ଚକୁ ପଥରମାଡ଼ କରିଥିବା ଯୁବକର ଉନ୍ମତ୍ତକାଣ୍ଡ। ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀଙ୍କ ଗଳାକୁ ନିର୍ମମ ଭାବେ ଛୁରୀରେ କାଟିଦେଇଛି। କେବଳ ସେତିକି ନୁହେଁ, ଟାଣିଟାଣି ନେଇ ଏକ କୂଅ ଭିତରେ ପକାଇବା ସହିତ ଏକ ବଡ଼ ପଥର ଫିଙ୍ଗି ମୁଣ୍ଡକୁ ଛେଚି ଦେଇଛି। ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ଏହି ପ୍ରତ୍ୟକ୍ଷଦର୍ଶୀଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଗୁରୁତର ଆହତ ହୋଇଥିବା ଏହି ପ୍ରତ୍ୟକ୍ଷଦର୍ଶୀ ହେଉଛନ୍ତି, ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଓ ଗୋଳନ୍ଥରା ଥାନା ଅଧୀନ ସୁରଳ ଗ୍ରାମର ଗୋପାଳ ବେହେରା (୫୫)। ଗତ ୧୭ ତାରିଖ ଦିନ ଜାଗରଯାତ୍ରା ଅବସରରେ ଗଁାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପପୁ ପପ୍ପମ୍ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଚାଲିଥିବା ବେଳେ ମଞ୍ଚରେ ପଥରମାଡ଼ ହୋଇଥିଲା। ଫଳରେ, ଅଧାରୁ କାର୍ଯ୍ୟକ୍ରମ ଛାଡ଼ି ଚାଲିଯାଇଥିଲେ ପପୁ। ଏହାପରେ ଘଟଣାକୁ ନେଇ ଗଁା କମିଟି ପକ୍ଷରୁ ତନାଘନା କରାଯାଇଥିଲା। ଗ୍ରାମର ଟୁନା ବେହେରା (୩୫) ନାମକ ଜଣେ ଯୁବକ ହିଁ ପଥର ଫୋପାଡ଼ିଛି ବୋଲି ଗୋପାଳ ଗ୍ରାମବାସୀଙ୍କୁ କହିଥିଲେ।
ଏହାକୁ ନେଇ ଆଜି ରାତିରେ ଗ୍ରାମରେ ସଭା ବସିବା ପାଇଁ ସ୍ଥିର ହୋଇଥିଲା ଏବଂ ଟୁନାକୁ ଉପସ୍ଥିତ ରହିବାପାଇଁ କୁହାଯାଇଥିଲା। ଗଁା କମିଟିର ପୂର୍ବ ପଦକ୍ଷେପକୁ ଦୃଷ୍ଟିକୁ ଆଣିଲେ ଟୁନା ଉପରେ ୨ରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇଥା’ନ୍ତା। ମାତ୍ର, ଏହାର ଗୋଟିଏଦିନ ପୂର୍ବରୁ ଅର୍ଥାତ୍ ଗତକାଲି ରାତି ୧୦ଟାରେ ଟୁନା ଗୋପାଳଙ୍କ ଘରକୁ ଯାଇ ଟୁନା ଧମକ ଦେଇଥିଲା। ପଥର ଫୋପାଡ଼ିବା ଯଦି ଦେଖିଛ, ତା’ହେଲେ କାହାକୁ କିଛି କହିବନି। କହିଲେ ପରିଣାମ ଭୟଙ୍କର ହେବ ବୋଲି କହିଥିଲା। ମାତ୍ର, ଧମକଚମକକୁ ଗୋପାଳ ଭୟ କରି ନଥିଲେ। ବରଂ ଯାହା ଦେଖିଛନ୍ତି, ତାହା ହିଁ ଗ୍ରାମସଭାରେ କହିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଫଳରେ, ଟୁନା ଉତ୍କ୍ଷିପ୍ତ ହୋଇପଡ଼ି ଲୁଚାଇ ରଖିଥିବା ଏକ ଛୁରୀ ବାହାର କରି ଗୋପାଳଙ୍କ ତଣ୍ଟିକୁ କାଟି ଦେଇଥିଲା। ଆଉ ଟାଣି ଟାଣି ନେଇ ପଞ୍ଚାୟତ ଅଫିସ୍ ନିକଟ କୂଅରେ ଫୋପାଡ଼ିଦେଇଥିଲା। ଗୋପାଳ ମରିଯିବେ ବୋଲି ଭାବି ପଳାଇ ଆସୁଥିଲା। କିନ୍ତୁ, କୂଅ ଭିତରୁ ଗୋପାଳଙ୍କ ଚିତ୍କାର ଶୁଣି ଟୁନା ଏକ ବଡ଼ପଥର ନେଇ ତାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଫିଙ୍ଗିଦେଇଥିଲା। ଏହାପରେ ଚମ୍ପଟ ମାରିଥିଲା।
ଏ ସମ୍ପର୍କରେ ପରିବାରବର୍ଗ ଓ ଗ୍ରାମବାସୀ ଜାଣିପାରି ସଂଗେସଂଗେ ଗୋପାଳଙ୍କୁ କୂଅ ଭିତରୁ ଉଦ୍ଧାର କରିଥିଲେ। ଏହାପରେ, ରାତାରାତି ବ୍ରହ୍ମପୁର ବଡ଼ ମେଡିକାଲକୁ ଆଣିଥିଲେ। କିନ୍ତୁ, ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବିଳମ୍ବିତ ରାତିରେ ହିଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ପୁତୁରା ତଥା ନାଏବ ସରପଞ୍ଚ କେଶବ ବେହେରା କହିଛନ୍ତି।
ଅନ୍ୟପକ୍ଷରେ, ଗୋଳନ୍ଥରା ଥାନାରେ କେଶବ ଏକ ଏତଲା ଦେବାପରେ ପୁଲିସ ତଦନ୍ତକୁ ତ୍ବରାନ୍ବିତ କରିଛି। ଅଭିଯୁକ୍ତ ଟୁନାକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି। ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ଆକ୍ରମଣକାରୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି ହୋଇଛି। ତେବେ ଟୁନା ମଧ୍ୟ କାହିଁକି ପପୁଙ୍କ ମଞ୍ଚ ଉପରକୁ ପଥରମାଡ଼ କରିଥିଲା, ଏହାର ଟିକିନିଖି ତଦନ୍ତ ହେଲେ ସତ ସାମ୍ନାକୁ ଆସିବ ବୋଲି ଜଣାପଡ଼ିଛି।