ରାଜଗାଙ୍ଗପୁର: ରବିବାର ବିଳମ୍ବିତ ରାତିରେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ମହରମ ଶୋଭାଯାତ୍ରା ଉପରେ ପଥରମାଡ଼ ହୋଇଛି। ଏହାପରେ ସୋମବାର ସକାଳେ ୨ ଗୋଷ୍ଠୀ ମଧ୍ୟରେ ହଣାକଟା ହୋଇଛି। ଏଥିରେ ଉଭୟ ପକ୍ଷର ୬ ଜଣ ଆହତ ହୋଇଛନ୍ତି। ୨ ଆହତଙ୍କୁ ରାଜଗାଙ୍ଗପୁର ଡାକ୍ତରଖାନା ଓ ୪ଜଣ ଗୁରୁତରଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାସ୍ଥଳରୁ ଖଣ୍ଡା, ଭୁଜାଲି ଆଦି ବିଭିନ୍ନ ମାରଣାସ୍ତ୍ର ଜବତ କରିଛି।
ସୂଚନା ଅନୁସାରେ, ରବିବାର ରାତିରେ ମହରମ ଶୋଭାଯାତ୍ରା ସହର ପରିକ୍ରମା କରୁଥିବା ସମୟରେ ତାଲିକିପଡ଼ା ଆମ୍ବେଦକର କଲୋନିରେ ପଥରମାଡ଼ ହୋଇଥିଲା। ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଉଠାଇ ନେଇ ପରେ ଛାଡ଼ି ଦେଇଥିଲା। ଅନ୍ୟପକ୍ଷରେ ରବିବାର ରାତିରେ ସୁଭାଷଛକ ଓ ରବାନୀଛକରେ ବିଭିନ୍ନ ତାଜିଆ ବାହାରିଥିଲା। ଏହି ଶୋଭାଯାତ୍ରାରେ ଖେଳକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଆହତ ସୟଦ ଆସିଫ ରାଜା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ରାଜଗାଙ୍ଗପୁର ପୁଲିସ ଘଟଣାକୁ ଅତି ହାଲୁକା ଭାବେ ନେଇଥିଲା। ଆସନ୍ତାକାଲି ଘଟଣା ସମ୍ପର୍କରେ ବୁଝାଯିବ କହି ଏତଲା ରଖିନଥିଲା।
ଏହି ବିବାଦ ସୋମବାର ସକାଳେ ଉଗ୍ରରୂପ ନେଇଥିଲା। ଆଜାଦରୋଡ୍ ଓ ରବାନୀଛକରେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଖଣ୍ଡା,ଭୁଜାଲି ବୁଲିଥିଲା। ଏଥିରେ ଉଭୟ ପକ୍ଷର ୬ଜଣ ଆହତ ହୋଇଥିଲେ। ଖବରପାଇ ରାଜଗାଙ୍ଗପୁର ଥାନାଧିକାରୀ ମନୋରଞ୍ଜନ ପ୍ରଧାନ ପୁଲିସ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ପରିସ୍ଥିତି ନିୟନ୍ତ୍ରଣ କରିବା ସହ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲା। ପୁଲିସ ସେଠାରୁ ଖଣ୍ଡା, ଭୁଜାଲି ଆଦି ବିଭିନ୍ନ ମାରଣାସ୍ତ୍ର ଜବତ କରିଥିଲା। ଏ ସଂକ୍ରାନ୍ତରେ ରାଜଗାଙ୍ଗପୁର ଥାନାରେ ଉଭୟପକ୍ଷରୁ ଏତଲା ପରେ ମାମଲା ରୁଜୁ ହୋଇଛି। ସହରର ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ କରାଯାଇଛି। ପୁଲିସ ୪ ଜଣଙ୍କୁ ଅଟକ ରଖିଛି। ରବିବାର ମହରମ ପାଇଁ ରାଜଗାଙ୍ଗପୁରରେ ୧୩ ପ୍ଲାଟୁନ୍ ପୁଲିସ ମୁତୟନ ହୋଇଥିଲେ। ଡିଆଇଜି ଓ ଏସ୍ପିଙ୍କ ଉପସ୍ଥିତିରେ ଶୋଭାଯାତ୍ରା ଉପରେ ପଥରମାଡ଼ ହେବା ଏବଂ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବା ନେଇ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି। ଗଣ୍ଡଗୋଳ ଘଟଣାରେ ପୁଲିସ ତ୍ବରିତ ପଦକ୍ଷେପ ନେଇଥିଲେ ସୋମବାର ସକାଳ ଘଟଣାକୁ ଏଡ଼ାଇ ଦିଆଯାଇ ପାରିଥାନ୍ତା ବୋଲି ମତପ୍ରକାଶ ପାଇଛି।