ପ୍ରାଶାସନିକ ନୀତିନିୟମ ଖେଳର ସୁଯୋଗ ନେଉଛନ୍ତି ମାଫିଆ: ମାସକୁ ଦେଢ଼କୋଟି ଟଙ୍କାର ପଥର ଚୋରା ଚାଲାଣ!

ନୀଳଗିରି: ପ୍ରାଶାସନିକ ନୀତିନିୟମର ଖେଳ ଭିତରେ ଖାଦାନରୁ ପଥର ଉତ୍ତୋଳନ ବାଧାପ୍ରାପ୍ତ ହୋଇଛି। ଯାହାର ସୁଯୋଗରେ ମାଲାମାଲ ହେଉଛନ୍ତି ମାଫିଆ। ରାଜସ୍ବ ବିଭାଗ ଓ ବନ ବିଭାଗକୁ ଚକ୍‌ମା ଦେଇ ଦିନରାତି ପଥର ଲୁଟ୍‌ କରୁଛନ୍ତି। ସେପଟେ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଥିବା ଜଣାପଡ଼ିଛି।

ବାଲେଶ୍ବର ଜିଲ୍ଲା ନୀଳଗିରି ପୌରାଞ୍ଚଳ ଅଧୀନ ମିରିଗିଣିସ୍ଥିତ ନଂ. ୧ ଓ ନଂ. ୨ ପଥର ଖଣି ନିଲାମ ଦିଆଯାଇଥିଲା। ହେଲେ ଉଭୟ ଇକୋ ସେନ୍‌ସିଟିଭ୍‌ ଜୋନ୍‌ ମଧ୍ୟରେ ରହିଥିବା ଜଣାପଡ଼ିଥିଲା। ଫଳରେ ନିଲାମ କାର୍ଯ୍ୟକାରୀ ହେବା ଜାଣି ସ୍ଥାନୀୟ ଲୋକ ବିରୋଧ କରିଥିଲେ। ସେହିପରି ନିଲାମଧାରୀ ଅସନ୍ତୋଷ ପ୍ରକାଶ କରିଥିଲେ। ଫଳରେ ପଥର ଉତ୍ତୋଳନ ହୋଇ ପାରିଲାନି। ତେବେ ଏପରି ସମୟରେ ସ୍ଥାନୀୟ ଅଞ୍ଚଳର ପଥର ମାଫିଆମାନେ ସକ୍ରିୟ ହୋଇଉଠିଛନ୍ତି। ଉଭୟ ଖଣିରୁ ପ୍ରତିଦିନ ବେଆଇନ ପଥର ଖୋଳା ଚାଲିଛି। ମାଫିଆମାନେ ସ୍ଥାନୀୟ କିଛି ଲୋକଙ୍କୁ ଅର୍ଥ ଲୋଭ ଦେଖାଇ କାରବାର ଚଳାଇଛନ୍ତି। ସେମାନେ ବିପଦସଂକୁଳ ଅବସ୍ଥାରେ ପଥର ଖୋଳୁଛନ୍ତି। ପାହାଡ଼ରୁ ତଳକୁ ପଥର ଖସାଇ ସେଗୁଡ଼ିକୁ ଭାଙ୍ଗୁଛନ୍ତି ଏବଂ ଚାଲାଣ କରୁଛନ୍ତି।

ବୈଷୟିକ ପଦ୍ଧତିରେ ପଥର ଫଟାଇଲେ ଶବ୍ଦ ହେବ ଏବଂ ମାଫିଆଙ୍କ କଳାକାରନାମା ଧରାପଡ଼ିଯିବ ବୋଲି ପଥର ଫଟାଇବା ପାଇଁ ସେମାନେ ଅଭିନବ ଉପାୟ ଅବଲମ୍ବନ କରୁଛନ୍ତି। ନିଆଁରେ ପଥରକୁ ଗରମ କରି ଫଟାଉଥିବା ଦେଖିବାକୁ ମିଳିଛି। ମିରିଗିଣିସ୍ଥିତ ନଂ. ୧ ଓ ନଂ. ୨ ପଥର ଖଣିରୁ ପ୍ରତିଦିନ ପ୍ରାୟ ୧୦୦ ଟ୍ରିପ୍‌ ପଥର ଚୋରା ଚାଲାଣ ହେଉଛି। ପଥର ଟ୍ରିପ୍‌ ପିଛା ଦାମ୍‌ ୫ ହଜାର ଟଙ୍କା ଥିବା ବେଳେ ମାଫିଆମାନେ ଦିନକୁ ୫ ଲକ୍ଷ ଟଙ୍କାର ପଥର ଚାଲାଣ କରୁଛନ୍ତି। ହିସାବକୁ ନେଲେ ମାସକୁ ଦେଢ଼ କୋଟି ଟଙ୍କାର ପଥର ଚାଲାଣ ହେଉଥିବା ଜଣାପଡ଼ିଛି। ଯେଉଁ ଟଙ୍କା ସରକାର ସିଧାସଳଖ ହରାଉଥିବା କୁହାଯାଉଛି।

ତେବେ ମିରିଗିଣିସ୍ଥିତ ନଂ. ୧ ଓ ନଂ. ୨ ପଥର ଖଣିରେ ଏତେ କାଣ୍ଡକାରନାମା ହେଉଥିବ‌ା ବେଳେ ରାଜସ୍ବ ବିଭାଗ କିଛି ନଜାଣିପାରିବା‌ ବିଶ୍ବାସଯୋଗ୍ୟ ହେଉ ନାହିଁ। ଫଳରେ ବୁଦ୍ଧିଜୀବୀମାନେ ପଥର ମାଫିଆଙ୍କ ସହ ରାଜସ୍ବ ବିଭାଗ ଓ ବନ ବିଭାଗର ଅଧିକାରୀ ତଥା କର୍ମଚାରୀଙ୍କ ଭିତିରି ସଂପର୍କ ରହୁଥିବା ସଂଦେହ କରୁଛନ୍ତି।

ପଥର ଚୋରି ନେଇ ନୀଳଗିରି ତହସିଲଦାର ଅଶେଷ ନାୟକଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ ପଥର ଚୋରା କାରବାର ରୋକିବା ପାଇଁ ଯଥେଷ୍ଟ ପଦକ୍ଷେପ ନେଇଛନ୍ତି। ପଥର ଚାଲାଣ ହେଉଥିବା ଗାଡ଼ି ଧରପଗଡ଼ ହେଉଛି। ତଥାପି ମାଫିଆମାନେ ଦୁଇପାଦ ଆଗରେ ରହୁଛନ୍ତି। ସେମାନଙ୍କୁ ଚେକ୍‌ ଦେବାକୁ ସ୍ବତନ୍ତ୍ର ଯୋଜନା ହାତକୁ ନେବା ପାଇଁ ପଡ଼ିବ। ତେବେ ଖଣି ନିଲାମ ଓ ବନ୍ଦ ନେଇ ଯାହା ସମସ୍ୟା ରହିଛି, ସେଗୁଡ଼ିକ ଖୁବ୍‌ଶୀଘ୍ର ସମାଧାନ ହୋଇଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର