ପଥର ମାଫିଆଙ୍କ ପଲା ଭାରି: ଚୋରା ଚାଲାଣକାରୀ ଓ ତହସିଲ କର୍ମଚାରୀ ଛକାପଞ୍ଝା

୪ ମାସରେ ୭୫ ଗାଡ଼ି ଜବତ, ଜରିମାନା ଆଦାୟ ୧୯ ଲକ୍ଷ

ଟାଙ୍ଗୀ: ପ୍ରଶାସନ ଯେତିକି ଚାଲାକ ପଥର ମାଫିଆ ଦୁଇ ପାଦ ଆଗରେ। ବାରମ୍ବାର ଚଢ଼ଉ, ଗାଡ଼ି ଜବତ ଓ ମୋଟା ଅଙ୍କର ଜରିମାନା ସତ୍ତ୍ବେ ଟାଙ୍ଗୀ ଅଞ୍ଚଳରେ ପଥର ଚୋରା ଚାଲାଣ ବନ୍ଦ ହେଉନାହିଁ। ପଥର ଚୋରା ଚାଲାଣ ରୋକିବା ପାଇଁ ପ୍ରତ୍ୟେକ ଦିନ ତହସିଲ ପକ୍ଷରୁ ମାଫିଆଙ୍କ ଉପରେ କଡ଼ା ଦୃଷ୍ଟି ରଖାଯାଇଥିବା ବେଳେ ମାଫିଆମାନେ ମଧ୍ୟ ତହସିଲଦାର ଓ ବିଭାଗୀୟ କର୍ମଚାରୀଙ୍କ ଗତିବିଧି ଉପରେ ନଜର ରଖିଛନ୍ତି। ଚୋର ଓ ଚଢ଼ଉକାରୀଙ୍କ ମଧ୍ୟରେ ଛକାପଞ୍ଝା ଖେଳ ମଧ୍ୟରେ ଅନେକ ସମୟରେ ପଥର ମାଫିଆଙ୍କ ପଲା ଭାରି ପଡୁଥିବା ଦେଖିବାକୁ ମିଳୁଛି।

ଖୋର୍ଧା ଜିଲ୍ଲା ଟାଙ୍ଗୀ ତହସିଲ ଅଧୀନରେ ରହିଛି ମାତ୍ର ୪ ଟି ସରକାରୀ ସ୍ବୀକୃତିପ୍ରାପ୍ତ ମାଙ୍କଡ଼ା ପଥର ଖଣି। କିନ୍ତୁ ଏହା ବ୍ୟତିତ ରହିଛି ଶତାଧିକ ବେଆଇନ ମାଙ୍କଡ଼ା ପଥର ଖଣି। ତେବେ ଚଳିତ ବର୍ଷ ଫେବ୍ରୁଆରି ମାସ ଠାରୁ ଗତକାଲି ସୁଦ୍ଧା ୭୫ ଟି ବେଆଇନ ମାଙ୍କଡ଼ା ଓ କଳାମୁଗୁନି ପଥର ବୋଝେଇ ଗାଡି ଜବତ କରାଯାଇଛି। ଏବାବଦକୁ ଜରିମାନା ଆଦାୟ କରାଯାଇଛି ୧୯ ଲକ୍ଷ ୪୩ ହଜାର ୩୬୦ ଟଙ୍କା। ଟାଙ୍ଗୀ ତହସିଲ ଅଧିନସ୍ଥ ବରିକୋରେ ଗୋଟିଏ ମାଙ୍କଡ଼ା ପଥର ଖଣି, ନିରାକାରପୁରରେ ଗୋଟିଏ ଓ ଓଳସିଂହ ପଞ୍ଚାୟତର ଡମଣଭୂଇଁରେ ଦୁଇଟି ଖଣିକୁ ସରକାର ନିଲାମ କରୁଛନ୍ତି। ଅନ୍ୟ ଶତାଧିକ ଖଣି ବେଆଇନ ଭାବେ ଚାଲୁଛି।ପ୍ରତିଦିନ ଏହି ସବୁ ଚୋରା ମାଙ୍କଡ଼ା ପଥର ଖଣିରେ ଶତାଧିକ ପାଓ୍ବାର ଟିଲରରେ ଚାଲିଛି ପଥର କଟା। କୁହୁଡ଼ି ନିଜିଗଡ଼, ବଡପାରି ପଞ୍ଚାୟତର ବିଭିନ୍ନ ଅଞ୍ଚଳ, ନିରାକାରପୁର ପଞ୍ଚାୟତର ବିଭିନ୍ନ ଅଞ୍ଚଳ, ସୁନ୍ଦରପୁର ପଞ୍ଚାୟତଠାରୁୁ ଭୁଷଣ୍ଡପୁର, ନୂଆପଡ଼ା ପଞ୍ଚାୟତର ବିଭିନ୍ନ ଅଞ୍ଚଳ, ଉଗ୍ରତାରା ମନ୍ଦିର ନିକଟରେ, ଏପରିକି ଜଙ୍ଗଲ ଭିତରେ ଏକାଧିକ ଖଣି ଚାଲୁଛି। ରୟତି ଜମିରେ ମଧ୍ୟ ବେଆଇନ ଭାବେ ପଥର କଟାଯାଇ ବିକ୍ରି ହେଉଛି।

ଦିନ ହେଉ କି ରାତି ସବୁ ସମୟରେ କୁହୁଡ଼ି ନିଜିଗଡ଼ ସମେତ ବିଭିନ୍ନ ଅଞ୍ଚଳରୁ ଶତାଧିକ ମାଙ୍କଡ଼ା ପଥର ବୋଝେଇ ଟ୍ରକ୍‌ ପାରିକୁଦ ମାଲୁଦ ଅଞ୍ଚଳକୁ ପଠାଯାଉଥିଲା। ଦିନରେ ବିଭିନ୍ନ ଅଞ୍ଚଳର ତହସିଲଦାର ମାନଙ୍କ ଚଢ଼ଉ ଯୋଗୁଁ ବିଭିନ୍ନ ଥାନାକୁ ମାସିକ ବଟି ଦେଇ ପଥର ମାଫିଆ ବେଧଡ଼କ ଚୋରା ଚାଲାଣ କରୁଥିଲେ। କିନ୍ତୁ ଏବେ କିଛି ଦିନ ହେଲା ବାଲୁଗାଁ ନବନିଯୁକ୍ତ ଏସ୍ଡି‌ପିଓ ମାନସ ରଂଜନ ବାରିକଙ୍କ ବାରମ୍ବାର ଅତର୍କିତ ଚଢଉ ଓ ଗାଡ଼ି ଜବତ ସହିତ ଡ୍ରାଇଭର୍‌କୁ କୋର୍ଟ ଚାଲାଣ ଫଳରେ ମାଙ୍କଡା ପଥର ଚୋରା ଚାଲାଣରେ କିଛିଟା ରୋକ୍‌ ଲାଗିଛି। ଟାଙ୍ଗୀ ତହସିଲଦାରଙ୍କ ଗତିବିଧିକୁ ଏହି କାର୍ଯ୍ୟାଳୟ ମୁଖ୍ୟ ଫାଟକ, ଏପରିକି ରାସ୍ତାର ବିଭିନ୍ନ ସ୍ଥାନରେ ମାଫିଆ ନଜର ରଖିଥାନ୍ତି। ଏହି ଅନୁସାରେ ଚୋରା ମାଙ୍କଡ଼ା ପଥର ବୋଝେଇ ଟ୍ରାକ୍ଟର୍, ଟ୍ରକ୍‌ର ଗତିପଥକୁ ପରିବର୍ତନ କରାଯାଇ ସତର୍କତାର ସହ ବେପାର କରୁଛନ୍ତି।

ଚୋରା ମାଙ୍କଡ଼ା ପଥର ବୋଝେଇ ଟ୍ରକ୍‌ ହେଉ ବା ଟ୍ରାକ୍ଟର୍‌, ଜରିମାନା ସହ ଗାଡ଼ି ଗୁଡିକର କାଗଜପତ୍ର ଯଥା ପରମିଟ୍‌, ଫିଟନେସ୍‌, ପ୍ରଦୂଷଣ ପ୍ରମାଣ ପତ୍ର ଯାଞ୍ଚ କରିବା ଯଥେଷ୍ଟ ଆବଶ୍ୟକତା ଥିଲେ ମଧ୍ୟ ସହଯୋଗୀ କର୍ମଚାରୀ, ଯଥେଷ୍ଟ ପୁଲିସ ସୁରକ୍ଷା ଅଭାବରୁ ଏସବୁ କାର୍ଯ୍ୟ କରାଯାଇପାରୁନଥିବା ଟାଙ୍ଗୀ ତହସିଲଦାରଙ୍କ ଦାୟିତ୍ବରେ ଥିବା ଅତିରିକ୍ତ ତହସିଲଦାର ଶରତ ଚନ୍ଦ୍ର ଦେହୁରି ମତବ୍ୟକ୍ତ କରିଛନ୍ତି। ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେବାରେ ସରକାରଙ୍କ ରୁଗ୍ଣ‌ ମାନସିକତା ଯୋଗୁଁ ବିନା ପଞ୍ଜିକରଣ, ଜାଲ୍‌ ନମ୍ବର ପ୍ଲେଟ୍‌ ଏପରିକି ଟ୍ରାକ୍ଟର୍ରେ‌ ନମ୍ବର ନଥାଇ ଟ୍ରେଲରରେ ମୋଟରସାଇକଲ୍‌ ନମ୍ବର ଲଗାଇ ଚୋରା ମାଙ୍କଡ଼ା ପଥର ଚାଲାଣ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି।

ମହାମାରୀ କରୋନା ସମୟରେ ମାସ୍କ୍‌ ଚେକିଂ, ଏନ୍‌ଫୋର୍ସମେଣ୍ଟ୍‌ ଭଳି ଗୁରୁ ଦାୟିତ୍ବ ଥିଲେ ମଧ୍ୟ ଟାଙ୍ଗୀ ତହସିଲଦାରଙ୍କ ବଦଳି ପରେ ନୂଆ ବାବୁଙ୍କର ଦେଖାନାହିଁ। ତହସିଲଦାରଙ୍କ ସମେତ ଅଧିନସ୍ଥ କର୍ମଚାରୀଙ୍କ ଉପରେ ପଥର ମାଫିଆ ଅନେକ ଥର ଆକ୍ରମଣ କରିଛନ୍ତି। ତେଣୁ ତହସିଲ କର୍ମଚାରୀମାନେ ମାଫିଆଙ୍କ ଆଡ଼ୁ ନିଜ ଜୀବନ ପ୍ରତି ବିପଦ ମଣୁଛନ୍ତି। ପୁରୁଣା ନିୟମ ମଧ୍ୟ ପଥର ମାଫିଆଙ୍କୁ ସୁହାଉଛି। ନିଲାମ ହେଉ ଅବା ଚୋରା ମାଙ୍କଡ଼ା ପଥର ଖଣିରୁ ମାଙ୍କଡ଼ା ପଥର ଉତ୍ତୋଳନ ପରେ ମାଟି ପକାଇ ସମତଳ କରାଯାଉନଥିବାରୁ ଏହି ତହସିଲ ଅଧିନରେ ଥିବା ଶତାଧିକ ଖଣି ଖାଲଖମାରେ ଭରିଯାଇଛି। ଶହ ଶହ ଗାଈଗୋରୁ ଏହିସବୁ ଖଣିରେ ପଡ଼ି ପ୍ରାଣ ହରାଉଛନ୍ତି। ପ୍ରଶାସନର ନା ଅଛି ଚିନ୍ତା ନା ଖଣି ମାଫିଆଙ୍କୁ ସମ୍ପୂର୍ଣ୍ଣ ରୋକିବାରେ ଆଖିଦୃଶିଆ ପଦକ୍ଷେପ।

ସମ୍ବନ୍ଧିତ ଖବର