ନୟାଗଡ଼ରୁ ଧରାପଡ଼ିଲା ‘ଷ୍ଟୋନ୍‌ମ୍ୟାନ୍’ ନାରାୟଣ

ଫନି ପରେ ଏସ୍‌ସିବି ମାନସିକ ୱାର୍ଡରୁ ଖସି ଯାଇଥିଲା, ଛଟପଟ ‌ହୋଇ ଅନ୍ୟର ମୃତ୍ୟୁ ଦେଖି ଆନନ୍ଦ ପାଉଥିଲା

କଟକ/ଭୁବନେଶ୍ବର : ୨୪ ଘଣ୍ଟା ମଧ୍ୟରେ କଟକରେ ତିନି ତିନି ଜଣଙ୍କୁ ଗଳା କାଟି ହତ୍ୟା କରି ଆତଙ୍କ ସୃଷ୍ଟି କରିଥିବା ସିରିଆଲ କିଲର୍ ବା ଷ୍ଟୋନ୍‌ମ୍ୟାନ୍‌ ଶେଷରେ କଟକ କମିସନରେଟ ପୁଲିସ ହାତରେ ଧରାପଡ଼ିଛି। ତା’ର ନାଁ ନାରାୟଣ ସାହୁ(୩୫)। ୫ ଦିନର ଅନୁସନ୍ଧାନ ଓ ଚଢ଼ଉ ପରେ ଗତକାଲି ବିଳମ୍ବିତ ରାତିରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ସୁନାମୁହିଁ ଅଞ୍ଚଳରୁ ପୁଲିସର ଏକ ସ୍ବତନ୍ତ୍ର ଟିମ୍ ନାରାୟଣ ସାହୁ(୩୫)କୁ ଗିରଫ କରିଛି। ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ତାକୁ ଧରା ଯାଇଥିବା କୁହାଯାଉଛି। ନାରାୟଣକୁ କମିସନର ସତ୍ୟଜିତ ମହାନ୍ତି, କଟକ ଡିସିପି ଅଖିଳେଶ୍ବର ସି˚ହ, କ୍ରାଇମ୍‌ ବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ମଧ୍ୟ ତାକୁ ଦୀର୍ଘ ସମୟ ଧରି ଜେରା କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରୁ ପୁଲିସ ତାକୁ ପଚରାଉଚରା କରି ତା’ଠାରୁ ସତ ଉଗାଳିବାକୁ ଚେଷ୍ଟା କରୁଛି। ସେହିପରି ଭୁବନେଶ୍ବର ସ୍ପେସାଲ ସ୍କ୍ବାଡ୍‌ର ଏକ ଟିମ୍‌ କଟକ ଯାଇ ତାକୁ ମଧ୍ୟ ଜେରା ଆରମ୍ଭ କରିଛି। ଜେରା ସମୟରେ ସେ ବେଳେବେଳେ ସାଧାରଣ ଲୋକଙ୍କ ଭଳି କଥାବାର୍ତ୍ତା କରୁଥିବା ବେଳେ ହଠାତ୍‌ ରାଗିଯାଉଛି। ପୁଣି କେତେବେଳେ ହସୁଛି। ତା’ର ଏଭଳି ଅସ୍ବାଭାବିକ ଆଚରଣ ପୁଲିସକୁ ଅଡ଼ୁଆରେ ପକାଇଛି।

ପୁଲିସ କହିବା ଅନୁଯାୟୀ ନାରାୟଣ ଜଣେ ମାନସିକ ରୋଗୀ। ସେ କଟକ ବଡ଼ମେଡିକାଲ ମାନସିକ ରୋଗ ପ୍ରତିଷ୍ଠାନରେ ଚିକିତ୍ସିତ ହେଉଥିଲା ଏବଂ ‘ଫନି’ ପରେ ସେଠାରୁ ଖସି ପଳାଇଥିଲା। ସେଠାରୁ ଆସି ମାଲଗୋଦାମ ଓଭରବ୍ରିଜ ତଳେ ରହୁଥିଲା। ବିନା କାରଣରେ ହଠାତ୍‌ ଉତ୍ତ୍ୟକ୍ତ ହୋଇ ପଡୁଥିବା ନାରାୟଣ କିଛି ଦିନ ହେଲା କଟକରେ ଏଭଳି ହତ୍ୟାକାଣ୍ଡ ଘଟାଉଥିଲା। ତେବେ କେଉଁ କାରଣରୁ ସେ ଏଭଳି ରାସ୍ତାକଡ଼ର ନିରୀହ ଲୋକଙ୍କୁ ହତ୍ୟା କରୁଥିଲା, ତାହା ଏଯାଏ ସ୍ପଷ୍ଟ ହୋଇପାରି ନାହିଁ। ଆସନ୍ତାକାଲି ମାନସିକ ରୋଗ ବିଶେଷଜ୍ଞଙ୍କ ସହାୟତାରେ ତାକୁ ଜେରା କରାଯାଇ ତଥ୍ୟ ଆଦାୟ କରାଯିବ ବୋଲି ପୁଲିସ କମିସନର ସତ୍ୟଜିତ ମହାନ୍ତି କହିଛନ୍ତି। କଟକ ସୁଇଟ୍ସ ଷ୍ଟଲ୍‌ ପାଖ ସିସି କ୍ୟାମେରା ଫୁଟେଜ, ଓଏମ୍‌ପି ଛକର ଜଣେ ବ୍ୟବସାୟୀଙ୍କ ବୟାନ ଓ ସିସି କ୍ୟାମେରା ରେକର୍ଡିଂ ଆଧାରରେ ନାରାୟଣକୁ ଧରାଯାଇଥିବା ପୁଲିସ କହୁଛି।

ଟାୱେଲ ପିନ୍ଧି ବୁଲୁଥିଲା, ଟାଙ୍ଗିଆରେ ମାରୁଥିଲା:
ନାରାୟଣ ପ୍ରାୟତଃ ଏକ ଟାୱେଲ ପିନ୍ଧୁଥିବା ବେଳେ ଆଉ ଏକ ଟାୱେଲ କାନ୍ଧରେ ପକାଇ ସହର ସାରା ବୁଲୁଥିଲା। ସ୍ଥାନୀୟ ଲୋକେ ବି ତାକୁ ଅନେକ ସମୟରେ ଏଭଳି ବୁଲିବାର ଦେଖିଛନ୍ତି। ୨୩ ତାରିଖ ଭୋର ପ୍ରାୟ ୪ଟା ବେଳେ ନାରାୟଣ ଏକ ବେଣ୍ଟଲଗା ଟାଙ୍ଗିଆ ଭଳି ଧାରୁଆ ଅସ୍ତ୍ରରେ ରାଣୀହାଟ କେନାଲ ରୋଡ ଅଞ୍ଚଳରେ ପ୍ରଥମ ଶିକାର କରିଥିଲା। ମୁଣ୍ଡକୁ ବି ପଥରରେ ଛେଚିଥିଲା। ଏକ ଚା’ ଦୋକାନରେ ମଜୁରିଆ କାମ କରୁଥିବା ଗୋଧି କାଳିଆ ଓରଫ କୋଦଣ୍ତ ରାଉତଙ୍କୁ ଶୋଇଥିବା ଅବସ୍ଥାରେ ହତ୍ୟା କରିଥିଲା। ପରଦିନ ୨୪ ତାରିଖ ଭୋର ପ୍ରାୟ ୪ଟା ବେଳେ ପାରଳା ମହାରାଜ ଉଦ୍ୟାନ ସାମ୍‌ନା ଫୁଟପାଥରେ ଶୋଇଥିବା ପଣ୍ତା ନାମକ ହୋଟେଲ୍‌ରେ ପାଣି ଦେଉଥିବା ଜଣେ ଲୋକକୁ ହତ୍ୟା କରିଥିଲା। ଏହାପରେ ସାମ୍‌ନା ଓଏମ୍‌ପି ଓଭର‌୍‌ବ୍ରିଜ ତଳେ ଶୋଉଥିବା ଜରି ଗୋଟାଳିଙ୍କୁ ବି ସମାନ ଢଙ୍ଗରେ ହତ୍ୟା ଉଦ୍ୟମ କରି ସଫଳ ହୋଇଥିଲା। ମୃତକମାନେ ଯନ୍ତ୍ରଣାରେ ଛଟପଟ ହୋଇ ମଲାବେଳେ ସେ ଏହା ଦେଖି ଖୁସି ହେଉଥିଲା। ଏପରି ଭାବେ ୨୪ ଘଣ୍ଟା ମଧ୍ୟରେ ଏହି ତିନିଟି ନୃଶଂସ ହତ୍ୟାକାଣ୍ଡ ଘଟାଇ କଟକରେ ‘ଷ୍ଟୋନ୍‌ମ୍ୟାନ୍‌’ ଆତଙ୍କ ଖେଳାଇ ଦେଇଥିବାବେଳେ ପୁଲିସର ନିଦ ହଜାଇ ଦେଇଥିଲା।

କେମିତି ଚିହ୍ନଟ ହେଲା ନ‌ାରାୟଣ:
କଟକରେ ଲଗାତାର ୩ଟି ହତ୍ୟାକାଣ୍ଡ ଘଟିବା ପରେ କମିସନରେଟ୍‌ ପୁଲିସ ପାଇଁ ଏହି ସିରିଅଲ କିଲର୍‌କୁ ଧରିବା ଚ୍ୟାଲେଞ୍ଜ ହୋଇ ପଡ଼ିଥିଲା। ପୁଲିସ କଟକ ବଡ଼ ମେଡିକାଲ ଯାଇ ମାନସିକ ୱାର୍ଡରେ ଖୋଳତାଡ଼ କରିଥିଲା। ଖବରୀ ସୂଚନା ଥିଲା କି ନାରାୟଣ ନାଁର ଜଣେ ମାନସିକ ବିକୃତ ରୋଗୀ ଏଭଳି କାଣ୍ଡ ଭିଆଉଛି। ତେଣୁ ପୁଲିସ କଟକ ବଡ଼ ମେଡିକାଲରେ ଚିକିତ୍ସା ହେଉଥିବା ନାରାୟଣ ନାମଧାରୀ ବ୍ୟକ୍ତିଙ୍କ ସମ୍ପର୍କରେ ଖୋଳତାଡ଼ ଆରମ୍ଭ କରିଥିଲା। ସମୁଦାୟ ୯ ଜଣ ନାରାୟଣ ନାମଧାରୀ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିଲେ। ସମସ୍ତେ ଚିକିତ୍ସିତ ହୋଇ ଘରକୁ ଫେରି ଯାଇଥିଲେ। ତେଣୁ ପୁଲିସର ଭିନ୍ନ ଭିନ୍ନ ଟିମ୍‌ ଏକା ସାଙ୍ଗରେ ୯ ଜଣଙ୍କ ଘରକୁ ଯାଇଥିଲା। ହତ୍ୟାକାଣ୍ଡ ବେଳର ସିସିଟିଭି ଫୁଟେଜ ମଧ୍ୟ ସାଙ୍ଗରେ ନେଇଥିଲା। ପୁଲିସ ଯେତେବେଳେ ଗଞ୍ଜାମର ବେଲଗୁଣ୍ଠାରେ ପହଞ୍ଚିଥିଲା, ସେଠାରେ ଲୋକେ ତୁରନ୍ତ ତାକୁ ଚିହ୍ନଟ କରିଥିଲେ ଏବଂ ଏହି ନାରାୟଣ ହିଁ ହତ୍ୟାକାରୀ ବୋଲି ସ୍ପଷ୍ଟ ହୋଇ ଯାଇଥିଲା।

କଟକରୁ ନୟାଗଡ଼ ଭାୟା ଭୁବନେଶ୍ବର:
ନାରାୟଣକୁ ଧରିବା ପାଇଁ ପୁଲିସର ୫ଟି ଟିମ୍‌ ଦିନରାତି ଲାଗି ପଡ଼ିଥିଲେ। କଟକ ତଥା ଜିଲ୍ଲା ବାହାରର ବିଭିନ୍ନ ଚଢ଼ଉ କରିଥିଲେ ବି ତା‌’ର ପତ୍ତା ମିଳି ନଥିଲା। ତେବେ ତଦନ୍ତରୁ ଜଣାପଡ଼ିଥିଲା ଯେ ୨୪ ତାରିଖ ଭୋରୁ ଓଏମ୍‌ପିରେ ଦୁଇଟି ହତ୍ୟାକାଣ୍ତ ଘଟାଇବା ପରେ ଦିନରେ ସେ ବିଭିନ୍ନ ଅଞ୍ଚଳ ବୁଲିଥିଲା। ସେଦିନ ସନ୍ଧ୍ୟାରେ ଜଣେ ବାଇକ ଚାଳକଙ୍କୁ ଓଏମ୍‌ପିରୁ ଲିଫ୍ଟ ମାଗି ଲିଙ୍କରୋଡ ଯାଇଥିଲା। ସେଠାରୁ ବସ୍‌ରେ ଭୁବନେଶ୍ବର ଯାଇଥିଲା। ବସ୍‌ରୁ ଓହ୍ଲାଇ ବସ୍‌ କିମ୍ବା ଟ୍ରକ୍‌ରେ ନୟାଗଡ଼ ପଳାଇଥିଲା। ପୁଲିସ ହାତରେ ଏଭଳି ପ୍ରମାଣ ମିଳିବା ପରେ ଗତକାଲି ୫ଟି ଟିମ୍‌ ନୟାଗଡ଼, ଗଞ୍ଜାମ, ପୁରୀ ସମେତ ଅନ୍ୟ ଜିଲ୍ଲାକୁ ଯାଇଥିଲେ। ତେବେ କଟକରୁ ଖସିଯିବା ପରେ ସେ ନିଜ ଭାଇ ଓ ଦାଦାଙ୍କ ଘରେ ରହିଥିବା ଖବର ପାଇ ପୁଲିସ ଗଞ୍ଜାମର ବେଲଗୁଣ୍ଠା ଏବ˚ ନୟାଗଡ଼ ସୁନାମୁହିଁରେ ଚଢ଼ଉ କରିଥିଲା। ଆଉ ଶେଷରେ ସୁନାମୁହିଁରେ ହିଁ ସ୍ଥାନୀୟ ସରପଞ୍ଚଙ୍କ ସାହାଯ୍ୟ ନେଇ ନାରାୟଣ ଘରେ ଚଢ଼ଉ କରି ତାକୁ କାବୁ କରିଥିଲା।

ସମ୍ବନ୍ଧିତ ଖବର