ଆଜୀବନ ସଜା କାଟୁଛନ୍ତି ଦୁଇ ‘ଷ୍ଟୋନ୍‌ମ୍ୟାନ୍‌’ ବ୍ରହ୍ମପୁରର ମହେଶ, ଯାଜପୁରର ସୁନିଲ

ନବେ ଦଶକରେ ହତ୍ୟା କରିଥିଲେ ୧୩ ଜଣଙ୍କୁ, କଟକର ୩ ହତ୍ୟା ମାମଲାରେ ଷ୍ଟୋନ୍‌ମ୍ୟାନ୍‌ର ପତ୍ତା ମିଳୁନି

କଟକ, (ଚିରଂଜୀବୀ କର): ଓଡ଼ିଶାର ଦୁଇଟି ଜେଲରେ ଏବେ ଦୁଇ ଜଣ ‘ଷ୍ଟୋନ୍‌ମ୍ୟାନ୍‌’ ଆଜୀବନ ସଜା କାଟୁଛନ୍ତି । ବ୍ରହ୍ମପୁରର ମହେଶ ପାଢ଼ୀ ଏବଂ ଯାଜପୁରର ସୁନିଲ ଜେନା ୧୩ ଜଣଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ମହେଶ ଏବେ ବ୍ରହ୍ମପୁର ଏବଂ ସୁନିଲ ଭୁବନେଶ୍ବରର ଝାରପଡ଼ା ଜେଲରେ ଥିବା ଜଣାପଡ଼ିଛି।

୧୯୯୯ ମସିହାରେ ବ୍ରହ୍ମପୁରରେ ପ୍ରଥମ ଥର ପାଇଁ ‘ଷ୍ଟୋନମ୍ୟାନ’ ମହେଶ ଯେଉଁ ଶିକାର ଆରମ୍ଭ କରିଥିଲା, ସେ ସମ୍ପର୍କରେ ଅନେକ ଚାଂଚଲ୍ୟକର ତଥ୍ୟ ଏବେ ସାମ୍ନାକୁ ଆସିଛି। ବ୍ରହ୍ମପୁର ଟାଉନ୍ ଥାନା ଅନ୍ତର୍ଗତ ସତ୍ୟନାରାୟଣ ମନ୍ଦିର ସାମ୍ନାରେ ଏକ ପାନ ଦୋକାନ ଦେଇଥିବା ମହେଶ ଏକ ସାଇକୋ କିଲର୍‌ ପାଲଟି ଯାଇଥିଲା ଏବଂ ରାସ୍ତାକଡ଼ରେ ଶୋଉଥିବା ୯ ଜଣ ଅସହାୟ ଲୋକଙ୍କୁ ପଥର ଛେଚି ହତ୍ୟା କରିଥିଲା। ପ୍ରଥମେ ସେ ୧୯୯୯, ମେ ୨୨ ତାରିଖରେ ବ୍ରହ୍ମପୁରରେ ବିଶ୍ୱନାଥ ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିଲା। ପରେ ରାମଲିଙ୍ଗମ ଟ୍ୟାଙ୍କ ନିକଟରେ ଜୁନ ୧୩ରେ ପି.ସନ୍ୟାସୀ ଏବଂ ୧୪ରେ ପର୍ଶୁରାମ ପାତ୍ରଙ୍କୁ ହତ୍ୟା କରିଥିଲା। ଜୁନ୨୨ରେ ବିଜିପୁର ମାର୍କେଟରେ ରାମା ରାଓ, ଜୁଲାଇ ୧୭ରେ ସୁବାସ ମହାନ୍ତି, ଅଗଷ୍ଟ ୧୫ରେ ସୁଧାଂଶୁ ଯୋଶୀ ଇଦ୍ୟାଦିଙ୍କୁ ହତ୍ୟା କରିଥିଲା । ଅଗଷ୍ଟ ୨୯ ତାରିଖରେ ଆଉ ଏକ ହତ୍ୟାକାଣ୍ଡ ପାଇଁ ଉଦ୍ୟମ କଲାବେଳେ ବ୍ରହ୍ମପୁର ପୁଲିସ ହାତରେ ଧରାପଡ଼ିଥିଲା। ମହେଶ ଧରା ପଡ଼ିବା ପୂର୍ବରୁ ଅନ୍ୟ ୪ ଜଣଙ୍କୁ ହତ୍ୟା ଉଦ୍ୟମ କଲା ବେଳେ ଅଳ୍ପକେ ସେମାନେ ବଂଚିଯାଇଥିଲେ। ଗିରଫ ପରେ ଜେରାବେଳେ ମହେଶ କିନ୍ତୁ ସବୁ ଘଟଣାକୁ ଅସ୍ୱୀକାର କରିବାରୁ ଭୁବନେଶ୍ୱରରେ ଥିବା ରାଜ୍ୟ ଫରେନସିକ ଲ୍ୟାବରେ ତା’ର ମିଛଧରା ପରୀକ୍ଷା କରାଯାଇଥିଲା। ମହେଶ ମିଛ କହୁଥିବା ପରୀକ୍ଷାରୁ ଜଣାପଡ଼ିବା ପରେ ତାକୁ ହାଇଦ୍ରାବାଦସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ହିପ୍ନୋଟିଜିମକୁ ନିଆଯାଇଥିଲା। ହାଇଦ୍ରାବାଦରୁ ପୁଲିସ ତାକୁ ଧରି ଫାଲାକନାମା ଏକ୍ସପ୍ରେସରେ ବ୍ରହ୍ମପୁର ଆଣୁଥିବା ବେଳେ ପଲାସା ଷ୍ଟେସନ ନିକଟରେ ଟ୍ରେନ୍ ଗତି କମିବା ସୁଯୋଗରେ ସେ ଟ୍ରେନରୁ ଡେଇଁ ଫେରାର ହୋଇଯାଇଥିଲା। ସେଠାରୁ ସେ ମୁମ୍ବାଇ ପଳାଇଥିଲା। ପରେ କଟକ ସହରରେ ଆସି କିଛି ଦିନ ଆଶ୍ରୟ ନେଇଥିଲା। ଚଣ୍ଡିଖୋଲରେ ଛପି ରହି କଦଳୀ ଓ ନଡ଼ିଆ ବ୍ୟବସାୟ ଆରମ୍ଭ କରିଥିଲା। କିନ୍ତୁ ତତ୍କାଳୀନ ବ୍ରହ୍ମପୁର ଏସ୍‌ପି ସୁଧାଂଶୁ ଷଡଙ୍ଗୀଙ୍କ ନେତୃତ୍ୱରେ ପୁଲିସ ଟିମ୍ ଚଣ୍ଡିଖୋଲରୁ ମହେଶକୁ ଗିରଫ କରିବାରେ ସଫଳ ହୋଇଥିଲା। ମହେଶ ହାବୁଡ଼ରୁ ଯେଉଁ ୪ ଜଣ ଖସିଯାଇଥିଲେ, ସେମାନେ ଟିଆଇ ପରେଡ୍‌ରେ ମହେଶକୁ ଚିହ୍ନଟ କରିଥିଲେ। ପରେ ମାମଲାର ଶୁଣାଣି କରି କୋର୍ଟ ତାକୁ ଆଜୀବନ କାରାଦଣ୍ଡ ସଜା ଶୁଣାଇଥିଲେ।

ସେହିପରି ଜେଲରେ ଥିବା ଆଉ ଜଣେ ‘ଷ୍ଟୋନମ୍ୟାନ’ ହେଉଛି ଯାଜପୁର ଜିଲ୍ଲା ବିଞ୍ଝାରପୁରର ସୁନିଲ ଜେନା। ରାସ୍ତାକଡ଼ରେ ଶୋଉଥିବା ୪ ଜଣ ଅସହାୟଙ୍କୁ ସେ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗରେ ୨୦୧୧ ଜୁଲାଇ ୨୨ ତାରିଖରେ ତାକୁ ଗିରଫ କରି ଝାରପଡା ଜେଲକୁ ପଠାଯାଇଥିଲା। କୋର୍ଟରେ ହତ୍ୟାକାଣ୍ଡ ପ୍ରମାଣିତ ହେବା ପରେ ତାକୁ ୨୦୧୨ ଏପ୍ରିଲ ୩୦ ତାରିଖରେ ଆଜୀବନ କାରାଦଣ୍ଡ ସଜା ହୋଇଥିଲା। ଜେଲରେ ମଧ୍ୟ ମାନସିକ ରୋଗରେ ପୀଡ଼ିତ ସୁନିଲ ହଠାତ ହିଂସ୍ର ହୋଇ ଉଠୁଥିଲା। ଝାରପଡ଼ା ଜେଲରେ ମାନସିକ ରୋଗ ବିଭାଗ ନ ଥିବାରୁ ତାକୁ ୮ ବର୍ଷ ତଳେ କଟକ ଚୌଦ୍ୱାରସ୍ଥିତ ସର୍କଲ ଜେଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ତାକୁ ଆୟତ୍ତ କରିବା ଡାକ୍ତର ଓ କର୍ମଚାରୀଙ୍କ ପକ୍ଷେ ସମ୍ଭବପର ହୋଇନଥିଲା। ସେ ଅନ୍ୟ କଏଦୀଙ୍କୁ ଆକ୍ରମଣ କରିଥିଲା। ଅବସ୍ଥା ଅସମ୍ଭାଳ ହେବାରୁ ପୁଣି ଝାରପଡ଼ା ଜେଲକୁ ପଠାଇ ଦିଆଯାଇଥିଲା। ୩ ବର୍ଷ ତଳେ ପୁଣି ତାକୁ ଝାରପଡ଼ାରୁ ଚୌଦ୍ୱାର ଜେଲର ମାନସିକ ରୋଗ ବିଭାଗକୁ ଅଣାଯାଇଥିଲା। ସେଠାରେ ଡାକ୍ତର ଏବଂ କର୍ମଚାରୀଙ୍କ ତଣ୍ଟି ଚିପିବାକୁ ଉଦ୍ୟମ କରିବାରୁ ବାଧ୍ୟ ହୋଇ ତାକୁ ଏକ ସ୍ୱତନ୍ତ୍ର ସେଲ୍‌ରେ ରଖି ନିୟମିତ ଇଂଜେକ୍ସନ ଦିଆ ଯାଉଥିଲା। ଏବେ ତାକୁ ଦ୍ୱିତୀୟ ଥର ପାଇଁ ଝାରପଡ଼ା ଜେଲକୁ ସ୍ଥାନାନ୍ତର କରାଯାଇଛି।

ଅନ୍ୟପଟେ ଗଲା ଜୁନ ୨୮ ତାରିଖରେ ପାରାଦୀପ ନେହେରୁ ବଙ୍ଗଳା ନିକଟରେ ଯେଉଁ ଦୁଇ ଶ୍ରମିକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିଲା, ସେମାନଙ୍କ ପରିଚୟ ଏବେ ଯାଏ ମିଳିନଥିବା ବେଳେ କମିସନରେଟ ପୁଲିସର ଦୁଇ ଜଣିଆ ଟିମ୍ ପାରାଦୀପ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ପାରାଦୀପ ଘଟଣା ସହିତ କଟକରେ ସଂଘଟିତ ୩ଟି ହତ୍ୟାକାଣ୍ଡର କି ସମ୍ପର୍କ ରହିଛି, ସେ ନେଇ ପୁଲିସ ଟିମ୍ ଅନୁଧ୍ୟାନ ଚଳାଇଛି। କଟକ କମିସନରେଟ୍ ପୁଲିସ ରାଣୀହାଟ କେନାଲ ରୋଡ, ବଡ଼ ମେଡିକାଲ କାର୍ଡିଓଲୋଜି ବିଭାଗ ଏବଂ ଓଏମପି ପାରଳା ମହାରାଜା ଉଦ୍ୟାନ ନିକଟରେ ଦୋକାନ କରିଥିବା ପ୍ରାୟ ୨୦ ଲୋକଙ୍କୁ ପଚରାଉଚରା କରିସାରିଲାଣି। କିନ୍ତୁ ସେମାନଙ୍କ ନିକଟରୁ ସେଭଳି କୌଣସି ତଥ୍ୟ ମିଳୁନାହିଁ ।

ରାସ୍ତାକଡ଼ର ଅସହା‌ୟ ଲୋକଙ୍କୁ ନୃଶଂସ ଭାବେ ହତ୍ୟା କରୁଥିବା ଲୋକଙ୍କ ଏଭଳି ଅଦ୍ଭୁତ ବ୍ୟବହାର ସମ୍ପର୍କରେ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାନସିକ ରୋଗ ବିଶେଷଜ୍ଞ ପ୍ରଶାନ୍ତ କୁମାର ମହାପାତ୍ର କହନ୍ତି, ପ୍ରଥମରେ ଏହା ‘ଆଣ୍ଟିସୋସିଆଲ୍ ପର୍ସନାଲିଟି ଡିଜଅର୍ଡର’ ବା ‘ସୋସିଓପାଥ’ ହୋଇପାରେ। ଏଭଳି ମାନସିକ ସ୍ଥିତିରେ ରୋଗୀ ଠିକ୍-ଭୁଲର ଫରକ ଜାଣିପାରେ ନାହିଁ । ଅନ୍ୟର ଭାବନାକୁ ଅନୁଭବ କରିବାର ଶକ୍ତି ହରାଇ ବସେ । ଦ୍ୱିତୀୟରେ ଏହା ଏକ ‘ଅବସେସନ୍’ ହେଇପାରେ। ଅର୍ଥାତ ନିର୍ଦ୍ଦିଷ୍ଟ ଏକ କଥା ବାବଦରେ ରୋଗୀ ଅଧିକ ଚିନ୍ତା କରେ। ପରେ ଯେଉଁକଥା ଅଧିକ ଭାବୁଥାଏ, ଶେଷରେ ତାକୁ ରୂପ ଦିଏ। ଏଭଳି ହତ୍ୟାକାଣ୍ଡ ଘଟାଇଲେ ମାନସିକ ସ୍ତରରେ ରୋଗୀକୁ ଶାନ୍ତି ମିଳେ। ତୃତୀୟରେ ଅତ୍ୟଧିକ ନିଶା ସେବନ ବି ଏକ କାରଣ ହୋଇପାରେ । ଏଭଳି ତିନିଟି କାରଣ ପାଇଁ ଜଣେ ରୋଗୀ ହତ୍ୟାକାଣ୍ଡ ଘଟାଇବାର ଆଶଙ୍କା ରହିଛି । ସାଧାରଣତଃ ଗଣ୍ଡଗୋଳିଆ ବା ବିଶୃଙ୍ଖଳିତ ପରିବାର, ବିଶ୍ୱସ୍ତ ଲୋକଠାରୁ ଧୋକା ଖାଇବା କିମ୍ବା ସଂପତ୍ତି ହଡ଼ପ ଇତ୍ୟାଦି କାରଣରୁ ରୋଗୀର ମାନସିକ ଅବସ୍ଥିତି ଏଭଳି ହୋଇଯାଏ। ୧୩ ବର୍ଷ ବୟସରୁ ଏଭଳି ବିକୃତି କ୍ରମାଗତ ଭାବେ ବୃଦ୍ଧି ପାଏ ଓ ୨୦ରୁ ୩୦ ବର୍ଷ ବେଳକୁ ‘ଷ୍ଟୋନମ୍ୟାନ’ ଭଳି ଭୟଙ୍କର ଅପରାଧୀ ପାଲଟିଯାଏ। ଏମାନଙ୍କୁ ଯଥାଶୀଘ୍ର କାଉନସେଲିଂର ଆବଶ୍ୟକତା ରହିଛି ବୋଲି ମତ ଦେଇଛନ୍ତି ଡାକ୍ତର ମହାପାତ୍ର।

ସମ୍ବନ୍ଧିତ ଖବର