ରାୟଗଡ଼ା: ଆକାଶରୁ ବାରମ୍ବାର ଖସୁଛି ଇଟା, ପଥର, ଅଙ୍ଗାର ସହ ଔଷଧ ପୁଡ଼ିଆ। ଶୁଣିବାକୁ ହୁଏତ ଅଜବ ଲାଗିପାରେ, କିନ୍ତୁ ଘଟଣା ସଂପୂର୍ଣ୍ଣ ସତ। ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ୍‌ ପିସ୍କାପଙ୍ଗା ପଞ୍ଚାୟତର ଦାଉଗୁଡ଼ା ଗାଁରେ ୧୦ଦିନ ହେଲା ଏଭଳି ଅସ୍ବାଭାବିକ ଘଟଣା ଘଟୁଛି। ଯାହା ଗ୍ରାମବାସୀଙ୍କ ନିଦ ହଜାଇ ଦେଇଥିଲା ବେଳେ ଭୟଭୀତ ଅବସ୍ଥାରେ ଦୁଇଟି ଘରେ ପୂରା ଗାଁର ଲୋକ ଆଶ୍ରୟ ନେଇଛନ୍ତି। ହୁଏତ କେହି ଜାଣିଶୁଣି ଏମିତି କରୁଥିବା ପ୍ରଥମେ ସନ୍ଦେହ କରାଯାଉଥିଲା। କିନ୍ତୁ ପୁଲିସ ନିଜ ଆଖିରେ ଯାହା ଦେଖିଲା, ତାଟକା ହୋଇଯାଇଥିଲା।

Advertisment

ଗାଁର ଜନସଂଖ୍ୟା ୬୦ ହୋଇଥିଲା ବେଳେ ପ୍ରାୟ ୧୦ ପରିବାର ବସବାସ କରୁଛନ୍ତି। ୧୦ଦିନ ତଳେ ହଠାତ୍‌ କିଛି ଘର ଉପରେ ଇଟା, ପଥର, ଅଙ୍ଗାର ସହ ଔଷଧ ପୁଡ଼ିଆ ଆଦି ପଡ଼ିଥିଲା। ଗାଁର କେହି ମନ୍ଦ ଉଦ୍ଦେଶ୍ୟ ରଖି ଏ ଭଳି କାମ କରୁଥିବା ସନ୍ଦେହ ହୋଇଥିଲା। ସମୟକ୍ରମେ ଏଭଳି ଘଟଣା ବଢ଼ିବା ସହ ପଥର ଓ ଇଟା ପଡ଼ି କିଛି ଘର ଆଜବେଷ୍ଟସ୍‌ ମଧ୍ୟ ଭାଙ୍ଗିଲା। ଦିନ ଅପେକ୍ଷା ରାତିରେ ଅଧିକ ହେବାରୁ ଲୋକେ ଅନିଦ୍ରା ହୋଇ ଘର ଆଖପାଖ ସହ ପୂରା ଗାଁରେ କାରଣ ଖୋଜିଲେ। କାମଧନ୍ଦା ବନ୍ଦ କରି ଠେଙ୍ଗାବାଡ଼ି ଧରି ଘରକୁ ଜଗିଲେ। ତଥାପି ଘଟଣା ପଛର କାରଣ ଜଣାପଡ଼ିଲା ନାହିଁ। ଶେଷରେ ନିଷ୍କର୍ଷରେ ପହଞ୍ଚିଛନ୍ତି ଯେ କେହି ଗୁଣିଗାରେଡ଼ି କରି ଏଭଳି କରୁଛି କିମ୍ବା କୌଣସି ଅଦୃଶ୍ୟ ତଥା ଅଲୌକିକ ଶକ୍ତି ଏଭଳି କରାଉଛି।

ଦୃଶ୍ୟ ଦେଖି ପୁଲିସ ତାଟକା
ପୁଲିସ ଉପସ୍ଥିତିରେ ପଥରଖଣ୍ଡମାନ ଶୂନ୍ୟରୁ ଖସିଲା
୧୦ଦିନ ହେଲା ଲାଗିରହିଛି ଅସ୍ବାଭାବିକ ଘଟଣା
ଦୁଇଟି ଘରେ ପୂରା ଗାଁ ଲୋକେ ନେଇଛନ୍ତି ଆଶ୍ରୟ

ସପ୍ତାହେ ହେଲା ଗାଁ ଲୋକ ଖାଇବା, ଶୋଇବା ଭୁଲି ଯାଇଛନ୍ତି। ଅଜଣା ଭୟ ଅହରହ ସେମାନଙ୍କ ପିଛା କରୁଛି। ବର୍ତ୍ତମାନ ପରିସ୍ଥିତି ଏମିତି ଯେ ଦୁଇଟି ଘରେ ପୂରା ଗାଁ ଲୋ‌କେ ଆଶ୍ରୟ ନେଇଛନ୍ତି। ସମାଧାନର ରାସ୍ତା ମିଳୁନଥିବା ବେଳେ ଛୋଟ ପିଲାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଏମିତି ପରିସ୍ଥିତିରେ ବାଧ୍ୟ ହୋଇ ଗ୍ରାମବାସୀ ପୁଲିସର ସହାୟତା ମାଗିଛନ୍ତି। ଆଜି ମୁନିଗୁଡ଼ା ଥାନା ଅଧିକାରୀ ସୌଦାମିନୀ ବେହେରା ଗୋଟିଏ ଟିମ୍‌ ନେଇ ଗାଁରେ ପହଞ୍ଚିଥିଲେ। ଘର ସମ୍ମୁଖରେ ଗଦାଇ ରଖିଥିବା ପଥର, ଇଟା, ଅଙ୍ଗାର ଏବଂ ଔଷଧ ପୁଡିଆ ଲୋକେ ବୁଲାଇ ଦେଖାଇଥିଲେ। ପୁଲିସ ମଧ୍ୟ ପ୍ରଥମେ ଅନ୍ଧବିଶ୍ବାସ ଓ କେହି ଚଗଲାମି କରୁଥିବା ସନ୍ଦେହ କରିଥିଲା। କିନ୍ତୁ ପୁଲିସ ଉପସ୍ଥିତିରେ ପଥର ଖଣ୍ଡ ଶୂନ୍ୟରୁ ପଡ଼ିଥିଲା। ଆଖପାଖରୁ କେହି ଏହାକୁ ଫୋପାଡ଼ୁଥିବା ଅନୁମାନ କରି ପୂରା ଗାଁରେ ଚକ୍କର କାଟିଥିଲା। ଯେଉଁ ଦିଗରୁ ପଥର ଆସୁଥିଲା ତନତନ କରି ଯାଞ୍ଚ କରିଥିଲା। ତଥାପି ଶୂନ୍ୟରୁ ପଥର ପଡ଼ିବା ବନ୍ଦ ହୋଇନଥିଲା। ଦୂରରୁ କେହି ପଥର ଫିଙ୍ଗିବାର ପ୍ରମାଣ ପୁଲିସକୁ ମିଳିନଥିଲା। ପୁଲିସ ପାଇଁ ଏଭଳି ଘଟଣା ଓ ଅନୁଭୂତି ସଂପୂର୍ଣ୍ଣ ନୂଆ ଥିଲା।

ଗ୍ରାମବାସୀଙ୍କୁ ସାହସ ଦେଇ ଫେରିଛି ପୁଲିସ। ଜୀବନ ପ୍ରତି ବିପଦ ରହିଥିବା ଦର୍ଶାଇ ଗାଁର ସୁନା ବିଡ଼ିକା, କୁମ୍ଭ ଗରଡ଼ିଆ, ରାଜେନ୍ଦ୍ର ଗରଡ଼ିଆ, ସୁବାସ ହିଆଲ, ଇନସୁ ହିଆଲ ପ୍ରମୁଖ ଲିଖିତ ଭାବେ ଦେଇଛନ୍ତି। ପରିସ୍ଥିତି ଉପରେ ପୁଲିସ ନଜର ରଖିଛି। ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଆଇଆଇସି ସୌଦାମିନୀ ବେହେରା କହିଛନ୍ତି।