ଶ୍ରୀମନ୍ଦିର ଉପରୁ ଟଳିନି ବିପଦ : ନାଟମଣ୍ଡପ ସ୍ଥିତି ସଙ୍ଗିନ୍‌, ଖସୁଛି ପ୍ଲାଷ୍ଟର ଖଣ୍ଡ, ପଥର ବିମ୍‌ କାନ୍ଥରୁ ଖସିଲାଣି

ରଥଯାତ୍ରା ସମୟରେ ମରାମତି ଯୋଜନା

ଭୁବନେଶ୍ୱର : ଜଗମୋହନ ମରାମତି ଶେଷ ହେବା ପରେ ଏବେ ନାଟ ମଣ୍ଡପ, ରୋଷଘର, ଭୋଗ ମଣ୍ଡପ ସଂରକ୍ଷଣ ଯୋଜନା ଆରମ୍ଭ ହୋଇଛି। ନାଟମଣ୍ଡପ, ରୋଷଘରର ଭିତର ପାର୍ଶ୍ୱରେ କାନ୍ଥ, ଚଟାଣ, ଛାତ ଫାଟି ଆଁ କରିଛି। ପଥର ହୁଗୁଳି ଗଲାଣି। ନାଟମଣ୍ଡପର ପଥର ବିମ୍‌ କାନ୍ଥରୁ ଖସିଗଲାଣି, ଅଧିକାଂଶ ସ୍ଥାନରେ ପ୍ଲାଷ୍ଟର ଖଣ୍ଡ ଖସୁଛି, ଧୁକୁଡ଼ି ଦ୍ୱାର ନିକଟରେ ପଥର କୌଣସି ମୁହୁର୍ତ୍ତରେ ଖସିପାରେ, ନାଟମଣ୍ଡପରେ ଥିବା ଗରୁଡ଼ ସ୍ତମ୍ଭ ନିକଟରେ ଚଟାଣର ପଥର ଭାଙ୍ଗିଗଲାଣି, ଭୋଗ ମଣ୍ଡପରେ ପଥର ବି ଖସିବା ସ୍ଥିତିରେ। ରୋଷ ଅଗଣାରେ ଚଟାଣରେ ପଥର ନଷ୍ଟ ହୋଇଗଲାଣି, ରୋଷ ଘର ଛାତ ବି ନଷ୍ଟ ହୋଇଯାଇଛି। ଏହିଭଳି ଅବସ୍ଥାରେ ଶ୍ରୀମନ୍ଦିର ଅଛି। ଏହାର ତୁରନ୍ତ ମରାମତି କରାନଗଲେ ପଥର ଅଜାଡ଼ି ହୋଇପଡ଼ିବ। ଏହିଭଳି ଆଶଙ୍କା ପ୍ରକାଶ କରିଛି ଏଏସ୍‌ଆଇ।

ଶ୍ରୀମନ୍ଦିରର ଭଗ୍ନ ରୂପକୁ ଏଏସ୍‌ଆଇ ଉପସ୍ଥାପନ କରିବା ପରେ ସରକାରଙ୍କ ମୁଣ୍ଡ ଚକ୍କର କାଟିଲାଣି। ତେଣୁ ଆସନ୍ତା ରଥଯାତ୍ରା ସମୟରେ ହିଁ ମନ୍ଦିରର ନିୟମିତ ମରାମତି ସହ ରୋଷଘର, ନାଟମଣ୍ଡପ, ଭୋଗ ମଣ୍ଡପର ତୁରନ୍ତ ମରାମତି କରିବାକୁ ଏଏସ୍‌ଆଇକୁ କୁହାଯାଇଛି। ବୈଷୟିକ କମିଟି ସହାୟତାରେ ଶ୍ରୀମନ୍ଦିରର ସଂରକ୍ଷଣ ବ୍ୟବସ୍ଥା କରିବାକୁ କୁହାଯାଇଛି। ସମସ୍ତ ଅତ୍ୟାବଶକ ନିର୍ମାଣ କାର୍ଯ୍ୟ ଯେପରି ରଥଯାତ୍ରା ଭିତରେ ଶେଷ ହେବ ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ, ପୂର୍ତ୍ତ ବିଭାଗ ଏବଂ ଏଏସ୍‌ଆଇକୁ ନେଇ ଏକ କମିଟି ଗଠନ କରିବାକୁ ନିଷ୍ପତ୍ତି ହୋଇଛି।

ନିକଟରେ ରଥଯାତ୍ରା ସମୟରେ ଶ୍ରୀମନ୍ଦିରର ଗର୍ଭଗୃହର ବାର୍ଷିକ ମରାମତି ଏବଂ ପୁନରୁଦ୍ଧାର ନେଇ ବସିଥିବା ବୈଠକରେ ଏଏସ୍‌ଆଇ ଶ୍ରୀମନ୍ଦିରର ବିପର୍ଯ୍ୟସ୍ତ ଅବସ୍ଥା ସମ୍ପର୍କରେ ରିପୋର୍ଟ ଦେଇଛି। ଏଏସ୍‌ଆଇ ରିପୋର୍ଟରେ କୁହାଯାଇଛି ଯେ, ନାଟମଣ୍ଡପ, ଭୋଗ ମଣ୍ଡପ ଏବେ ବିପଦଜନକ ଅବସ୍ଥାରେ ଥିବାରୁ ଏହାର ତୁରନ୍ତ ମରାମତି ହେବା ଦରକାର। ତେଣୁ ଏଏସ୍‌ଆଇ, ପୂର୍ତ୍ତ ବିଭାଗ ଏବଂ ମନ୍ଦିର ପ୍ରଶାସନ ଗର୍ଭଗୃହର ତଳ ମହଲା, ପ୍ରଥମ ମହଲା ଏବଂ ଦ୍ୱିତୀୟ ମହଲା ସମେତ ଅନ୍ୟାନ୍ୟ ଭିତ୍ତିଭୂମି ଆସନ୍ତା ୧୬ତାରିଖରେ ଯାଞ୍ଚ କରିବେ। ଏହାର ଭିଡିଏ ରେକର୍ଡିଂ କରାଯିବ। କେଉଁ ଜାଗାରେ ଫାଟ ସୃଷ୍ଟି ହୋଇଛି, କେଉଁଠି ପଥର ହୁଗୁଳି ଯାଇଛି ତା’ର ଫଟୋ ଉଠାଯିବ। ବୈଷୟିକ କମିଟି ପରାମର୍ଶ ନେଇ ଏହାର ମରାମତି କରାଯିବ।

ଏଏସ୍‌ଆଇ ପକ୍ଷରୁ କୁହାଯାଇଛି ଯେ, ସେଣ୍ଟ୍ରାଲ୍‌ ମାଇନ୍‌ ଆଣ୍ଡ ଫୁଏଲ୍‌ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ହୋଇଥିବା ସର୍ଭେରେ ଜଣାପଡ଼ିଛି ଯେ, ଗର୍ଭଗୃହରେ ଜଳୀୟବାଷ୍ପ ଅଧିକ ରହୁଥିବାରୁ ମନ୍ଦିର ପାଇଁ ବିପଦ ସାଜୁଛି। ପବନ ଚଳାଚଳ କରୁନଥିବାରୁ ଗର୍ଭଗୃହର ଭିତର ପାର୍ଶ୍ୱ ପ୍ରତି ବିପଦ ବଢ଼ୁଛି। ତେଣୁ ଏହାର ଦ୍ୱିତୀୟ ମହଲାରେ ପଥର ଖୋଳି ଫାଙ୍କ ସୃଷ୍ଟି କରାଯାଉ। କିନ୍ତୁ ଏପରି କଲେ ବିବାଦ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ମନ୍ଦିର ପ୍ରଶାସନ ଗର୍ଭଗୃହରେ ଏସି ଲଗାଇବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ ୨୦୧୫ ମସିହାରେ ଗର୍ଭଗୃହରେ ଏସି ଲଗାଯାଇଥିଲେ ହେଁ ଏହାକୁ ପରବର୍ତ୍ତୀ ସମୟରେ କାଢ଼ି ନିଆଯାଇଥିଲା। ଏବେ ପୁଣି ମନ୍ଦିର ଗର୍ଭଗୃହରେ ଏସି ଲଗାଇବାକୁ ନିଷ୍ପତ୍ତି ହୋଇଛି। ବୈଷୟିକ କମିଟି ସୁପାରିସ ଅନୁସାରେ ଆବଶ୍ୟକୀୟ ଏସି ଆସନ୍ତା ରଥଯାତ୍ରା ସମୟରେ ଲଗାଇବାକୁ କୁହାଯାଇଛି।

ସେହିପରି ଜଗମୋହନ ଏବଂ ନାଟ ମଣ୍ଡପକୁ ସଂଯୋଗ କରୁଥିବା ‘ଜୟ ବିଜୟ’ ଦ୍ୱାରର ସଂରକ୍ଷଣ ଓ ମରାମତି କରାଯିବ। ପ୍ରଥମ ପର୍ଯ୍ୟାୟରେ ଏହାର ସିଲିଂ ସଂଲଗ୍ନ ଅଞ୍ଚଳରେ ଛାଡ଼ି ଯାଇଥିବା ପ୍ଲାଷ୍ଟର ଖସାଯାଇଛି। ରଥଯାତ୍ରା ସମୟରେ ଏହାର ଗ୍ରାଉଟିଂ, ଆଙ୍କରିଂ କରାଯିବ। ହୁଗୁଳି ଯାଇଥିବା ପଥରକୁ ଜାବ ଦେଇ ରଖାଯିବ। ଆବଶ୍ୟକସ୍ଥଳେ ପଥର କଢ଼ାଯାଇ ନୂଆ ପଥର ଲାଗିବ। ତିନିଟି ଷ୍ଟେନଲେସ୍‌ ଷ୍ଟିଲ୍‌ ବିମ୍‌ ମଧ୍ୟ ଏହି ସମୟରେ ଲାଗିବ। ରଥଯାତ୍ରା ମଧ୍ୟରେ ଏହି କାମ ସାରିବା କଷ୍ଟକର ହୋଇଥିଲେ ହେଁ ଏହାକୁ ଜୁଲାଇ ୨୦ରୁ ୨୩ ମଧ୍ୟରେ ସାରିବାକୁ କୁହାଯାଇଛି।

ନାଟମଣ୍ଡପର ଚଟାଣ ଓ କାନ୍ଥରେ ପ୍ଲାଷ୍ଟର ଛାଡ଼ି ଯାଇଛି, ଛାତକୁ ସଂଯୋଗ କରୁଥିବା କାନ୍ଥ ନଷ୍ଟ ହୋଇଛି, ପଥର ବିମ୍‌ ହୁଗୁଳି ଯାଇଛି । କେତେବେଳେ ଏହି ପ୍ଲାଷ୍ଟର ଖଣ୍ଡ ଭକ୍ତ ଏବଂ ସେବାୟତଙ୍କ ଉପରେ ଖସିପାରେ। ସମସ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ଏହାର ପ୍ଲାଷ୍ଟରିଂ ଛଡ଼ାଇ ନୂଆ ପ୍ଲାଷ୍ଟରିଂ କରିବା ଏବଂ ବିମ୍‌ ସଂରକ୍ଷଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି।

ଧୁକୁଡ଼ି ଦ୍ୱାରରେ ନଷ୍ଟ ହୋଇଯାଇଥିବା ଏବଂ ହୁଗୁଳି ଯାଇଥିବା ପଥରର ମରାମତି ଓ ସ୍ଥାନାନ୍ତର, ନାଟମଣ୍ଡପରେ ଗରୁଡ଼ ସ୍ତମ୍ଭ ନିକଟରେ ଚଟାଣର ମରାମତି, ଭୋଗ ମଣ୍ଡପ ଚଟାଣରେ ନଷ୍ଟ ହୋଇଥିବା ପଥରକୁ ବଦଳାଇବା,ରୋଷ ଅଗଣାର ପଥର ବଦଳାଇବା, ରୋଷଘର ଛାତ ମରାମତି ତୁରନ୍ତ କରିବାକୁ କୁହାଯାଇଛି। ସେହିପରି ଗର୍ଭଗୃହରେ ମୂଷାଙ୍କ ପ୍ରାଦୁର୍ଭାବ ବଢ଼ି ଯାଇଥିବାରୁ ଏହାର ତୁରନ୍ତ ନିରାକରଣ କରିବାକୁ ଏଏସ୍‌ଆଇର ବୈଜ୍ଞାନିକ ଟିମ୍‌କୁ କୁହାଯାଇଛି। ମନ୍ଦିରର ଧାର୍ମିକ ପରମ୍ପରାକୁ ନଜରରେ ରଖି ରଥ ଯାତ୍ରା ସମୟରେ ହିଁ ଏହାର ନିରାକରଣ କରିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର