ଭୁବନେଶ୍ବର: ଥରେ କି ଦୁଇଥର ନୁହେଁ। ଲଗାତାର ଯାତ୍ରୀବାହୀ ଟ୍ରେନ୍ ଉପରକୁ ଟେକା ପଥର ମାଡ଼ ହେଉଛି। କୌଣସି କାରଣ ନ ଥାଇ କେତେଜଣ ଅସାମାଜିକ ଟ୍ରେନ୍ ଉପରକୁ ପଥର ମାଡ଼ କରୁଛନ୍ତି। ଗତ ୧୦ ଦିନ ମଧ୍ୟରେ ଖୋର୍ଦ୍ଧାରୋଡ ଅଞ୍ଚଳରେ ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସିବା ପରେ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ଚିନ୍ତାପ୍ରକଟ କରିଛନ୍ତି। ଏଥିସହ ଦୁର୍ବୃତ୍ତଙ୍କୁ ମଧ୍ୟ କଡ଼ା ଚେତାବନୀ ଦିଆଯାଇଛି। ଯେଉଁମାନେ ଏଭଳି କାର୍ଯ୍ୟ କରୁଥିବା ନଜରକୁ ଆସନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ମେ’ ୨୮ରେ ଭୁବନେଶ୍ବର ରେଳ ଷ୍ଟେସନ ନିକଟରେ ଏକ ପଥର ମାଡ଼ ଘଟଣାରେ ବିହାରର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଏହାର ୧୦ ଦିନ ଭିତରେ ଗତକାଲି ସନ୍ଧ୍ୟାରେ କାମାକ୍ଷା-ବେଙ୍ଗାଳୁରୁ ଏକ୍ସପ୍ରେସ(୧୨୫୫୨)କୁ ପଥର ମାଡ଼ କରାଯାଇଥିଲା। ଖବର ପାଇବା କ୍ଷଣି ଆରପିଏଫ ପକ୍ଷରୁ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯାଇଥିଲା। ଟ୍ରେନ୍ର ଟିକେଟ୍ ପରୀକ୍ଷକ(ଟିଟିଇ) ସହ ଯାତ୍ରୀଙ୍କ ସହିତ ସମନ୍ୱୟ ରକ୍ଷା କରାଯାଇଥିଲା। ଆରପିଏଫ୍ ଘଟଣାର ସଠିକ ସ୍ଥାନ ଅନୁସନ୍ଧାନ କରିବା ପରେ ସେହି ସ୍ଥାନକୁ ନିରୀକ୍ଷଣ କରିଥିଲା, ଯାହାକି ପୂର୍ବତଟ ରେଳପଥର ହାଓଡା-ଚେନ୍ନାଇ ମୁଖ୍ୟ ମାର୍ଗର ଖୋର୍ଦ୍ଧାରୋଡ-ବାଲୁଗାଁ ରେଳ ସେକ୍ସନର ଗୋଲାବାଇ ଓ ନିରାକାରପୁର ମଧ୍ୟରେ ଘଟିଥିଲା। ଆରପିଏଫ୍ର ଏକ ଦଳ ଦୁଇ ଜଣଙ୍କୁ ଗିରଫ କରିଛନ୍ତି। ଏହି ଦୁଇ ଜଣ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଲାବାଇ ଗ୍ରାମର ରମେଶ ମଝି(୩୮) ଓ ନକୂଳପଟଣା ଗ୍ରାମର ସଦାଶିବ ପ୍ରଧାନ(୩୩)। ରେଳ ଟ୍ରାକ୍ ନିକଟରେ ସନ୍ଦେହ ଜନକ ଅବସ୍ଥାରେ ନିଶାଗ୍ରସ୍ତ ହୋଇ ଦୀର୍ଘ ସମୟ ଧରି ଏହି ଦୁଇଜଣ ବସିରହିଥିଲେ। ନିଶାଗ୍ରସ୍ତ ଅବସ୍ଥାରେ ଟ୍ରେନ ଯାତାୟାତ ସମୟରେ କୌଣସି ଟ୍ରେନକୁ ପଥର ଫିଙ୍ଗିଛନ୍ତି ବୋଲି ସ୍ୱୀକାର ମଧ୍ୟ କରିଛନ୍ତି। ତେଣୁ ଆରପିଏଫ୍ ଉକ୍ତ ଦୁଇ ଜଣଙ୍କ ନାମରେ ରେଳ ଅଧିନିୟମ ଧାରା ଅନୁଯାୟୀ ମାମଲା ରୁଜୁ କରିଛି।
୧୦ ଦିନରେ ଦୁଇଥର, ଜଣେ ମୃତ
କାମାକ୍ଷା-ବେଙ୍ଗାଲୁରୁ ଏକ୍ସପ୍ରେସକୁ ମାଡ଼
ଜଙ୍କିଆ ଥାନା ଅଞ୍ଚଳରୁ ଦୁଇ ଜଣ ଗିରଫ
୨୦୧୯ ଘଟଣାର ପୁନରାବୃତ୍ତି ହେଉଛି
ଅନୁରୂପ ଭାବେ ୨୦୧୯ ଟ୍ରେନ୍ ଉପରକୁ ପଥର ଫୋପାଡ଼ିବା ଘଟଣା ପୂର୍ବତଟ ରେଳପଥର ନିଦ ହଜାଇ ଦେଇଥିଲା। ରେଳଧାରଣା ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଯୁବକ ଓ ପିଲାମାନେ ଖେଳ ହେଉ କିମ୍ବା ମଜା ନେବା ପାଇଁ ଚଳନ୍ତା ଟ୍ରେନ୍କୁ ପଥର ଫିଙ୍ଗାରେ ଯାତ୍ରୀମାନେ ଆହତ ହେଉଥିଲେ। ଟ୍ରେନ୍ କର୍ମଚାରୀମାନେ ବି ଏଥିରୁ ବର୍ତ୍ତିପାରି ନ ଥିଲେ। ୨୦୧୮ରେ ଭୁବନେଶ୍ୱରରେ ୬ଟି, କଟକରେ ୨ଟି ଓ ସମ୍ବଲପୁର ରେଳମଣ୍ଡଳରେ ୨ଟି ଘଟଣା ସହ ଚଳନ୍ତା ଟ୍ରେନ୍ ଉପରକୁ ସମୁଦାୟ ୧୦ଟି ପଥର ଫିଙ୍ଗା ଘଟଣା ସାମ୍ନାକୁ ଆସିଥିଲା। ୨୦୧୯ର ପ୍ରଥମ ୮ ମାସରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ୧୮ଟି ଘଟଣା ଘଟିଥିଲା। ଯାଜପୁର କେନ୍ଦୁଝର ରୋଡ୍ ଅଞ୍ଚଳରେ ସର୍ବାଧିକ ୪ଟି ଘଟଣା ହୋଇଥିଲା। ସ୍ଥିତି ଜଟିଳ ହେବାରୁ ପୂର୍ବତଟ ରେଳପଥ ପକ୍ଷରୁ ରେଳପଥ ସୁରକ୍ଷା ହେଲ୍ପ ଲାଇନ ନମ୍ବର ‘୧୮୨’ରେ ଜଣାଇବାକୁ ଲୋକଙ୍କୁ ଅବଗତ କରାଯାଇଥିଲା। ପରିଣାମ ସ୍ବରୂପ ତିନି ବର୍ଷ ହେଲା ଏଭଳି ଘଟଣା ସାମ୍ନାକୁ ଆସି ନ ଥିଲା। ୨୦୨୩ ନଭେମ୍ବର ମାସରେ ରାଉରକେଲା-ଭୁବନେଶ୍ୱର ବନ୍ଦେ ଭାରତ ଏକ୍ସପ୍ରେସ୍(୨୦୮୩୫)କୁ ଢେଙ୍କାନାଳ-ଅନୁଗୁଳ ସେକ୍ସନର ମେରାମଣ୍ଡଳି ଓ ବୁଢ଼ାପଙ୍କ ମଧ୍ୟରେ ପଥରମାଡ଼ କରାଯାଇଥିଲା। ଆରପିଏଫ୍ ପକ୍ଷରୁ ତଦନ୍ତ କରାଯାଇ ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତି ଗିରଫ ହୋଇଥିଲେ।