ପଥର ମାଫିଆ-ଜିଲ୍ଲା ପ୍ରଶାସନର ମଧୁଚନ୍ଦ୍ରିକାରେ ଯାଜପୁରରେ କଳାପଥର ଚୋରାଚାଲାଣ

ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ ଆଣିଲା କଂଗ୍ରେସ, ରାଜ୍ୟ ମାନବାଧିକାର କମିସନଙ୍କୁ ଫେରାଦ ଦେଲା ଦଳ

ଭୁବନେଶ୍ବର : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‌ ଅନ୍ତର୍ଗତ ବିଛାଖଣ୍ଡି ଅଞ୍ଚଳର ପ୍ରାୟ ୬୦ଟି ଖଣିରୁ ବେଆଇନ ଭାବେ କଳାପଥର ଚୋରାଚାଲାଣ ହେଉଛି। ଏସବୁ ପଥର ମାଫିଆ ଓ ଜିଲ୍ଲା ପ୍ରଶାସନର ସଲାସୁତୁରାରେ ଚାଲିଛି। ଆଜି ସ୍ଥାନୀୟ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ ଆଣିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ ଓ ଧର୍ମଶାଳା କଂଗ୍ରେସ ବିଧାୟିକା ପ୍ରାର୍ଥୀ ସ୍ମୃତିରେଖା ପହି। ଏ ନେଇ ଦଳ ପକ୍ଷରୁ ରାଜ୍ୟ ମାନବାଧିକାର କମିସନଙ୍କ ପାଖରେ ଅଭିଯୋଗ ପତ୍ର ଦାଖଲ କରାଯାଇଛି।

ଶ୍ରୀ କାନୁନ୍‌ଗୋ ଓ ଶ୍ରୀମତୀ ପହି ଅଭିଯୋଗ କରି କହିଥିଲେ ଯେ ୩୦ ବର୍ଷ ତଳେ ବିଛାଖଣ୍ଡି ଅଞ୍ଚଳରେ ଏ ସମସ୍ତ ଜମି ଶାଳ ଜଙ୍ଗଲ କିସମ ଥିଲା। ୨୦୦୩ ମସିହାରେ ସରକାର କିଛି ଜମିକୁ ଝାଟି କିସମ ଜଙ୍ଗଲକୁ ପରିବର୍ତ୍ତନ କଲେ। ଏଠାରେ ୬ଟି ଖଣିକୁ ପଥର କାଟିବା ପାଇଁ ଅନୁମତି ପ୍ରଦାନ କରାଯାଇଥିବାବେଳେ ବାସ୍ତବରେ ୬୦ଟି ଖଣିରୁ ବେଆଇନ ଭାବେ କଳାପଥର କଟାଚାଲିଛି। ସେଠାରେ ଥିବା ୧୨୦ଟି କ୍ରସର୍‌କୁ ଯେତିକି କଞ୍ଚାମାଲ୍‌ ଆବଶ୍ୟକ ତାଠାରୁ ଶହେଗୁଣ ଅଧିକ ପଥର ଚୋରା ଚାଲାଣ ହେଉଛି। କିନ୍ତୁ ପ୍ରଶାସନ ସବୁ ଜାଣି ବି କାର୍ଯ୍ୟାନୁଷ୍ଠାନ ନେଉନାହିଁ। ଏହାକୁ ବିରୋଧ କରି ଶ୍ରୀମତୀ ପହିଙ୍କ ନେତୃତ୍ବରେ ଗତ ୧୪ ତାରିଖରୁ ବିଛାଖଣ୍ଡି ଠାରେ ଧାରଣା ଜାରି ରହିଛି। ବିଛାଖଣ୍ଡିରେ ୬୦ଟି ବେଆଇନ ଖଣି ସେଠାକାର ଜଣେ ମୁଷ୍ଟିମେୟ ବ୍ୟକ୍ତି ଜ୍ଞାନ ରଞ୍ଜନ ମହାପାତ୍ର ସରକାରଙ୍କ ସହାୟତାରେ ନିୟନ୍ତ୍ରଣ କରୁଛନ୍ତି ଏବଂ ଯାଜପୁର ଜିଲ୍ଲା ପ୍ରଶାସନ ଓ ପୁଲିସ ନିରବଦ୍ରଷ୍ଟା ସାଜିଛନ୍ତି ବୋଲି ଶ୍ରୀମତୀ ପହି ଅଭିଯୋଗ କରିଛନ୍ତି।

ଖଣି ଚୋରାଚାଲାଣ ନେଇ ଶ୍ରୀ କାନୁନ୍‌ଗୋ ଦର୍ଶାଇଥିଲେ ଯେ ୬ଟି ଖଣିରୁ ବର୍ଷକୁ ୨ କୋଟି ଟଙ୍କା ସରକାରୀ ରାଜସ୍ବ ମିଳୁଥିବା ବେଳେ ବାକି ବେଆଇନ୍‌ ୬୦ଟି ଖଣିରୁ କେତେ ଟଙ୍କା ସରକାର ରାଜସ୍ବ ହରାଉଛନ୍ତି ସରକାର ସ୍ପଷ୍ଟ କରନ୍ତୁ। ଉଦବେଗର ବିଷୟ ହେଲା ଖଣି ମାଫିଆମାନେ ୪୦ରୁ ୫୦ ଫୁଟ୍‌ର ଗର୍ତ୍ତ କରି ତା ଭିତରେ ଡିନାମାଇଟ୍‌ ଦ୍ବାରା ବିସ୍ଫୋରଣ କରିବା ଫଳରେ ଦିନକୁ ଦିନ ଜଳସ୍ତର କମୁଛି। ବିସ୍ଫୋରଣ ଯୋଗୁଁ ସେଠାକାର ଅଞ୍ଚଳରେ ଥିବା ଲୋକମାନଙ୍କ ପକ୍କାଘର କାନ୍ଥରେ ଫାଟ ସୃଷ୍ଟି ହୋଇ ପରିବେଶ ଅତ୍ୟନ୍ତ ଦୂଷିତ ହେଉଛି। ପଶୁପକ୍ଷୀମାନଙ୍କର ବଞ୍ଚିବା ଦୁର୍ବିସହ ହୋଇଯାଇଛି। ସରକାର ଖୁବଶୀଘ୍ର ଏସବୁ ବେଆଇନ ଖଣି ଖନନ ବନ୍ଦ କରନ୍ତୁ। ପରିବେଶ ମଞ୍ଜୁରି ନ ଥାଇ ବେଆଇନ୍‌ ଭାବେ ଚାଲୁଥିବା ସରକାରୀ ପ୍ରଦତ୍ତ ଖଣିକୁ ମଧ୍ୟ ବନ୍ଦ କରି ହଡ଼ପ ହୋଇଥିବା ଜାତୀୟ ସମ୍ପତ୍ତିର ସଠିକ୍‌ ମୂଲ୍ୟାୟଙ୍କନ ପୂର୍ବକ ଆଦାୟ କରାଯାଉ। ପରିବେଶ ପ୍ରଦୂଷିତ କରୁଥିବା ଖଣି ମାଫିଆଙ୍କ ବିରୋଧରେ ଫୌଜଦାରୀ ମକଦ୍ଦମା ରୁଜ୍ଜୁ କରାଯାଉ। ଏହି ବେଆଇନ୍‌ କାର୍ଯ୍ୟରେ ସହଯୋଗ କରୁଥିବା ସରକାରୀ ଅଧିକାରୀମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ କାନୁନ୍‌ଗୋ ଦାବି କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଜ୍ଞାନଦେବ ବେଉରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର