ଭୁବନେଶ୍ବର: ମୋଦୀଜୀ ଏଥର ୪୦୦ରୁ ଅଧିକ ସିଟ୍ ଜିତିବାକୁ ଆହ୍ବାନ ଦେବା ପରେ ବିରୋଧୀ ପ୍ରଚାର କରୁଛନ୍ତି ଯେ ବିଜେପି ସମ୍ବିଧାନକୁ ବଦଳାଇବାକୁ ୪୦୦ରୁ ଅଧିକ ସିଟ୍ ଜିତିବାକୁ ଚାହୁଁଛି। ହେଲେ ଆମ ପାଖରେ ଯେତେବେଳେ ୪୦୦ରୁ ଅଧିକ ସାଂସଦଙ୍କ ସମର୍ଥନ ଥିଲା ସେତେବେଳେ କ’ଣ ଆମେ ସମ୍ବିଧାନକୁ ବଦଳାଇଦେଇଛୁ? ବିଜେପି ଓ ଏନ୍ଡିଏର ମୋଟ୍ ୩୬୬ଜଣ ସାଂସଦ ଥିବାବେଳେ ଆମକୁ ବିଭିନ୍ନ ପ୍ରସଙ୍ଗରେ ସମର୍ଥନ କରୁଥିବା ଦଳର ସାଂସଦଙ୍କୁ ମିଶାଇଲେ ଏହା ୪୦୦ରୁ ଅଧିକ ଥିଲା। ଏହି ସମୟରେ ଆମେ ଭାରତକୁ ସଶକ୍ତ କରିଛୁ। ମହିଳାଙ୍କୁ ଲୋକସଭା ଓ ବିଧାନସଭାରେ ୩୩% ସଂରକ୍ଷଣ ଦେବାକୁ ଆଇନ ଅାଣିଛୁ। ତିନି ତଲାକ୍ ପ୍ରଥା, ଧାରା ୩୭୦, ୩୫ (ଏ) ଉଠାଇଛୁ। ହେଲେ ଧର୍ମନିରପେକ୍ଷତା ନାଁରେ ତୁଷ୍ଟୀକରଣ କରୁଥିବା କଂଗ୍ରେସ ଏହି ଧାରା ବନ୍ଦ ରଖିବା ଦରକାର ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି।
ଆଜି ହୋଟେଲ ସ୍ବସ୍ତି ପ୍ରିମିୟମ୍ରେ ଆୟୋଜିତ ‘ବିଶେଷ ସମ୍ପର୍କ ଅଭିଯାନ, ପ୍ରବୁଦ୍ଧ ନାଗରିକ ସମ୍ମିଳନୀ’ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମ ସମ୍ବିଧାନ ଦେଶର ହିନ୍ଦୁତ୍ବର ପ୍ରତିଫଳନ। ଭାରତ ୫ହଜାର ବର୍ଷ ତଳୁ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇ ରହିଛି। ଆମ ଦେଶବାସୀ ଧର୍ମନିରପେକ୍ଷତାକୁ ସଂରକ୍ଷିତ କରି ରଖିଛନ୍ତି। ହେଲେ କେଉଁଠି ଧର୍ମନିରପେକ୍ଷ ବୋଲି ଲେଖା ହୋଇନି। ସମ୍ବିଧାନରେ ବି ଧର୍ମନିରପେକ୍ଷତା ଉଲ୍ଲେଖ ନଥିଲା। ୧୯୭୫ ମସିହାରେ କଂଗ୍ରେସ ସମ୍ବିଧାନରେ ଏହାକୁ ଉଲ୍ଲେଖ କରିଛି। ବିଜେପି ସମ୍ବିଧାନ ବଦଳାଇ ଦେବ ବୋଲି ଅଭିଯୋଗ କରୁଥିବା କଂଗ୍ରେସ ୬୦ବର୍ଷର ଶାସନରେ ୮୦ଥର ସମ୍ବିଧାନ ବଦଳାଇଛି। ସମ୍ବିଧାନରେ ୟୁନିଫର୍ମ ସିଭିଲ୍ କୋଡ୍ ଆଣିବା, ଗୋ-ହତ୍ୟା ବନ୍ଦ କରିବା ଉଲ୍ଲେଖ ଅଛି। ହେଲେ ଏହାକୁ ଲାଗୁ କରାଯାଇପାରୁନି। ଆମେ ଏହାକୁ କଡ଼ାକଡ଼ି କରିବୁ।
ଶ୍ରୀ ବିଶ୍ବଶର୍ମା କହିଛନ୍ତି ଯେ କଂଗ୍ରେସ ସର୍ବଦା ଧର୍ମକୁ ନେଇ ରାଜନୀତି କରୁଛି। ଧର୍ମ ଆଧାରରେ ସଂରକ୍ଷଣ ଦେବାକୁ ଚାହୁଁଛି। ହେଲେ ବିଜେପି ଜାତି ଆଧାରରେ ସଂରକ୍ଷଣ ଦେବାକୁ ଚାହୁଁଛି। ବିଜେପି ସରକାର ଯୋଗୁ ଏବେ ପିଓକେରେ ତ୍ରିରଙ୍ଗା ଉଡ଼ିଲାଣି। ଭାରତ ଏବେ ବିଶ୍ବଗୁରୁ ହେବାକୁ ଯାଉଛି।
ଏହି ଅବସରରେ ସେ ଓଡ଼ିଶା ଉପରେ ମତ ରଖି କହିଥିଲେ, ଯେଉଁଠି ମୁଖ୍ୟମନ୍ତ୍ରୀ କଥା କହିବାବେଳେ ଆଉ ଜଣଙ୍କୁ ମାଇକ୍ ଧରିବାକୁ ପଡ଼ୁଛି ସେ କେବେବି ଭାରତକୁ ବିଶ୍ବଗୁରୁ କରିବାରେ ସହାୟକ ହୋଇପାରିବେନି। ମୋଦୀଙ୍କ ସମୟରେ ଆସାମ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ସମେତ ବହୁ ରାଜ୍ୟରେ ବହୁ ଉନ୍ନତି ହୋଇଛି। ଯେଉଁଠି ଡବଲ୍ ଇଞ୍ଜିନ ସରକାର ହୋଇଛି େସଠାରେ ବିକାଶ ହୋଇଛି। ହେଲେ ଓଡ଼ିଶାରେ ବିଜେଡି ସରକାର ପ୍ରଧାନମନ୍ତ୍ରୀଙ୍କ ଯୋଜନାକୁ ଠିକ୍ ଭାବେ କାର୍ଯ୍ୟକାରୀ କରିପାରିନି। ତେଣୁ ଏଠାରେ ବିଜେପି ଆସିବା ଦରକାର। ଏହି କାର୍ଯ୍ୟକ୍ରମରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଥିଲେ ଆମ ରାଜ୍ୟକୁ ସୁଶାସନ ଦେବା ପାଇଁ ବିଜେପି ସରକାର ଆସିବା ଦରକାର। ଓଡ଼ିଶାରେ ୪୨% ଶିକ୍ଷିତ ଯୁବବର୍ଗ ବେକାର, ମୁଣ୍ଡପିଛା ଆୟରେ ଓଡ଼ିଶା କାହିଁକି ୫ମ ସ୍ଥାନରେ ଅଛି? ଏହାର ଜବାବ୍ ବିଜେଡି ସରକାର ଦେବା ଦରକାର। ଏହି କାର୍ଯ୍ୟକ୍ରମରେ ଆସାମର ସାଂସଦ ଦିଲ୍ଲୀପ ସାଇକିଆ, ପବିତ୍ର ମାର୍ଜେଟା, ବିଜେପି ନେତା ମିତାନାଥ ବୋରା, କମଳା ମହାରଣା, କମଳା ପଟେଲ, ପ୍ରଦୀପ କୁମାର ପଟ୍ଟନାୟକ, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/sfhhsffhsfhfh.jpg)