ଗାନ୍ଧୀଜୀଙ୍କ ପ୍ରତି ଶଠତା ବନ୍ଦ ହେଉ, ୧୯୫୬ ନିଶା ନିବାରଣ ଆଇନ କାର୍ଯ୍ୟକାରୀ ହେଉ: ମୋନା

ଭୁବନେଶ୍ବର : ନିକଟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗାନ୍ଧୀଜୀଙ୍କ ୧୫୦ତମ ଜୟନ୍ତୀ ପାଳନ କରିଥିଲେ। ମାତ୍ର, ଗାନ୍ଧୀଜୀଙ୍କ ଅଧୁରା କାର୍ଯ୍ୟ ମଧ୍ୟରୁ ଗୋଟିଏ ମଧ୍ୟ ପୂରଣ କଲେନାହିଁ। ବରଂ, ଯେଉଁ ନିଶା ନିବାରଣ କାମକୁ ସେ ସ୍ବାଧୀନ ଭାରତର ପ୍ରଥମ କାମ ବୋଲି କହୁଥିଲେ, ତାହାକୁ ଭଣ୍ଡୁର କରିବା ପାଇଁ ପ୍ରୟାସରତ ଅଛନ୍ତି। ତେଣୁ, ଜାତିର ପିତା ଗାନ୍ଧୀଜୀଙ୍କ ପ୍ରତି ଶଠତା ବନ୍ଦ ହେଉ ବୋଲି ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା)ର ସଭାପତି ପଦ୍ମଚରଣ ନାୟକ ଏକ ପ୍ରେସ୍‌ ବିବୃତିରେ କହିଛନ୍ତି।

ଶ୍ରୀ ନାୟକ କହିଛନ୍ତି ଯେ, ମଦ ତଥା ନିଶାଦ୍ରବ୍ୟ ‌ଯୋଗୁ ଦୁଷ୍କର୍ମ, ଗଣଦୁଷ୍କର୍ମ , ହତ୍ୟା ଭଳି ସଙ୍ଗୀନ ଅପରାଧ ଓ ହିଂସାତ୍ମକ ଆଚରଣ ବୃଦ୍ଧି ପାଇବା‌ରେ ଲାଗିଛି। ବର୍ତ୍ତମାନର ସରକାର ସମୟରେ ମଧ୍ୟ ମଦ ସହ ଧଳାଜହର (ଡ୍ରଗ୍‌ସ)ର ସେବନ ବୃଦ୍ଧି ପାଇବାରେ ଲାଗିଛି। ଏହାଦ୍ବାରା ମହିଳା ଓ ଗରିବ ଲୋକଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଉଛି। ସାଧାରଣ ଲୋକ ମଧ୍ୟ ଯନ୍ତ୍ରଣା ଭୋଗିବା ସହିତ କର୍ମଦକ୍ଷତା ହରାଉଛନ୍ତି। କିନ୍ତୁ ଦୁର୍ଭାଗ୍ୟର ବିଷୟ ହେଉଛି, ନିଶାକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ କରା ନଯାଇ ଗାନ୍ଧୀଜୀଙ୍କ ପ୍ରଥମ ଓଡ଼ିଶା ଆଗମନ ଉତ୍ସବ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏଥିପାଇଁ ରାଜ‌ନୈତିକ ସ୍ତରରେ ମଧ୍ୟ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଗାନ୍ଧୀଜୀଙ୍କ ନୀତି ଓ କ‌ାର୍ଯ୍ୟଧାରାକୁ ଅନୁସରଣ ନ କରି ଏହିଭଳି ଉତ୍ସବ ପାଳନ କରିବା କିମ୍ବା ତାଙ୍କର ବିଶାଳକାୟ ପ୍ରତିମୂର୍ତ୍ତି ସ୍ଥାପନ କରି ଜୟଜୟକାର କରିବା ଏକ ଚରମ ଶଠତା ନୁ‌ହେଁ କି ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସ୍ଥାନିତ କରିବା ପ୍ରସ୍ତାବ ଦେବା ସଙ୍ଗେ ସଙ୍ଗେ ସେ ସମ୍ପର୍କରେ ମାର୍ଟିନ ଲୁଥର କିଙ୍ଗ୍ ଦେଇଥିବା ମହତ ବାଣୀ “ଦାରିଦ୍ର୍ୟ ଓ ସୁଯୋଗରୁ ବଞ୍ଚିତ କରିବା ମଧ୍ୟ ହିଂସା” କୁ ବି ଦୋହରାଇଥିଲେ। ‌ତେଣୁ, ଏଥିପ୍ରତି ସରକାର ଦୃଷ୍ଟି ଦେବା ଉଚିତ ବୋଲି ସେ କହିଛନ୍ତି।

ଏଥିସହିତ, ୧୯୫୬ ମସିହା ନିଶା ନିବାରଣ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଶ୍ରୀ ନାୟକ ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ନବକୃଷ୍ଣ ଚୌଧୁରୀ ମୁଖ୍ୟମନ୍ତ୍ରୀ ଥିବାବେଳେ ୧୯୫୬ ମସିହାରେ ବିଧାନସଭାରେ ଏହି ଆଇନ ପାରିତ ହୋଇଥିଲା, ଯାହାକି ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ନ ହୋଇ ପଡ଼ିରହିଛି।

ସମ୍ବନ୍ଧିତ ଖବର