ସ୍ୱାଭିମାନ ଅଞ୍ଚଳରୁ ନକ୍ସଲଙ୍କୁ ତଡ଼ିବୁ, ଦୃଢୋକ୍ତି ପ୍ରକାଶ କଲେ ବିଏସ୍‌ଏଫ୍‌ ଆଇଜି

ଫୋର୍ସରେ ସାମିଲ ହେବେ ଓଡ଼ିଆ ଯୁବକ, ୪ଟି ସ୍ଥାନରେ ତାଲିମ ଦେଉଛି ବିଏସ୍‌ଏଫ୍‌

ଭୁବନେଶ୍ୱର: ଓଡ଼ିଶାରୁ ମୂଳପୋଛ ହେବେ ନକ୍ସଲ। ଏଭଳି ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛି ସୀମା ସୁରକ୍ଷା ବାହିନୀ ବା ବର୍ଡର ସିକ୍ୟୁରିଟି ଫୋର୍ସ(ବିଏସ୍‌ଏଫ୍‌)। ବିଶେଷକରି ଗୁରୁପ୍ରିୟା ସେତୁ ମାଧ୍ୟମରେ ମାଲକାନଗିରିର ବିଚ୍ଛିନ୍ନାଞ୍ଚଳକୁ ଯୋଗଯୋଗ ସଫଳ ହେବା ପରେ ଓଡ଼ିଶାରୁ ନକ୍ସଲ କାର୍ଯ୍ୟକଳାପ ଲୋପ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ବିଚ୍ଛିନ୍ନାଞ୍ଚଳକୁ ସ୍ୱାଭିମାନ ଅଞ୍ଚଳ ବୋଲି ଘୋଷଣା କରି ଗୋଟିଏ ପଟେ ରାଜ୍ୟ ସରକାର ସେଠାରେ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରୁଥିବା ବେଳେ ଅନ୍ୟପଟେ ସେ ଅଞ୍ଚଳରୁ ନକ୍ସଲ ଦମନ ନେଇ ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଏସ୍‌ଏଫ୍‌ ଆଇଜି ଅଶ୍ୱିନୀ କୁମାର ସିଂହ।

ଶ୍ରୀ ସିଂହ ଏକଥା ବି କହିଛନ୍ତି, ଅଧିକ ସଂଖ୍ୟାରେ ଓଡ଼ିଆ ଯୁବକଙ୍କୁ ସାମିଲ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏଥିପାଇଁ ମାଲକାନଗିରି ସମେତ କୋରାପୁଟ, ରାୟଗଡ଼ା ଓ ଚିତ୍ରକୋଣ୍ଡାରେ ୪ଟି ସୁବିଧା କେନ୍ଦ୍ର ଖୋଲାଯାଇଛି। ଯେଉଁଠାରେ ସ୍ଥାନୀୟ ଯୁବକଙ୍କୁ ପ୍ରି-ନିଯୁକ୍ତି ତାଲିମ ଦିଆଯାଉଛି। ଦୌଡ଼କୁଦ ସମେତ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସ୍ଥାନୀୟ ଯୁବକମାନେ କିଭଳି ଭଲ ପ୍ରଦର୍ଶନ କରିବା ସହ ନିଯୁକ୍ତି ପାଇବେ ସେ ନେଇ ତାଲିମ ଦିଆଯାଉଛି। ବିଏସ୍‌ଏଫ୍‌ ଫୋର୍ସରେ ସ୍ଥାନୀୟ ଯୁବକଙ୍କ ଯୋଗଦାନ ପରେ ନକ୍ସଲ ମୁକାବିଲା ଆହୁରି ସହଜ ହେବ। ଶ୍ରୀ ସିଂହ କହିଥିଲେ, ଏବେ ଦେଶରେ ବିଭିନ୍ନ ଫୋର୍ସରେ ୫୭ ହଜାର ପଦବି ଖାଲି ରହିଛି। ସେଗୁଡ଼ିକ ପୂରଣ ପାଇଁ ଖୁବ୍‌ଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ। ଏହାପୂର୍ବରୁ ଓଡ଼ିଆ ଯୁବକଙ୍କ ତାଲିମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏବେ ବି କିଛି ଓଡ଼ିଆ ଯୁବକ ବିଏସ୍‌ଏଫ୍‌ ପାଇଁ କାର୍ଯ୍ୟ କରୁଛନ୍ତି। ଓଡ଼ିଶାରେ ବିଏସ୍‌ଏଫ୍‌ର କାର୍ଯ୍ୟକଳାପ ନେଇ ଆଇଜି କହିଥିଲେ, ଗତ ୮ ବର୍ଷ ମଧ୍ୟରେ ବିଏସ୍‌ଏଫ୍‌କୁ ଅନେକ ସଫଳତା ମିଳିଛି। ୬ ଜଣ ଦୁର୍ଦାନ୍ତ ନକ୍ସଲଙ୍କୁ ଏନ୍‌କାଉଣ୍ଟର କରାଯାଇଛି। ୫୭୫ ଜଣ ଗିରଫ ହୋଇଛନ୍ତି। ୭୨୯ ଜଣ ଆତ୍ମସମର୍ପଣ କରିଛନ୍ତି। ୯୩୨ଟି ମରଣାସ୍ତ୍ର ଜବତ ହୋଇଛି। ଯେଉଁଥିରେ ଏକେ-୪୭ ରାଇଫଲ୍‌, .୩୦୩ ରାଇଫଲ୍‌, ଏସ୍‌ବିଏମ୍‌ଏଲ୍‌ ଗନ୍‌, ପିସ୍ତଲ, ରିଭରବଲ୍‌ ଆଦି ରହିଛି। ୩୬୪ଟି ଆଇଇଡି ଓ ୩୭ଟି ଗ୍ରେନେଡ୍‌ ଉଦ୍ଧାର କରାଯାଇଛି। ବିଏସ୍‌ଏଫ୍‌ ପକ୍ଷରୁ ୬୭୭୮ କେଜିର ଗଞ୍ଜେଇ ଜବତ କରାଯାଇଛି।

ଏହି ସମୟ ମଧ୍ୟରେ ବିଏସ୍‌ଏଫ୍‌ର ୧୪ ଜଣ ଯବାନ ସହିଦ୍‌୍‌ ହୋଇଛନ୍ତି। ଚଳିତବର୍ଷ କେହି ସହିଦ୍‌ ହୋଇ ନ ଥିବା ଶ୍ରୀ ସିଂ ସୂଚନା ଦେଇଛନ୍ତି। ୨୦୧୭ ଅଗଷ୍ଟ ୧ରୁ ୨୦୧୮ ଅଗଷ୍ଟ ମାସ ୧୦ ତାରିଖ ମଧ୍ୟରେ ବିଏସ୍‌ଏଫ୍‌ ପକ୍ଷରୁ ଜଣେ ନକ୍ସଲଙ୍କୁ ଏନ୍‌କାଉଣ୍ଟର କରାଯାଇଥିବା ବେଳେ ୪୦ ଜଣଙ୍କୁ ଗିରଫ, ୨୩ ଜଣ ଆତ୍ମସମର୍ପଣ କରିଛନ୍ତି। ଏଥିସହ ବିଭିନ୍ନ ପ୍ରକାର ମାରଣାସ୍ତ୍ର, ଗଞ୍ଜେଇ, ମୋଟର ସାଇକେଲ୍‌, ରେଡିଓ ସେଟ୍‌, ଭାରତୀୟ ମୁଦ୍ରା ଆଦି ଜବତ ହୋଇଛି। ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଶ୍ରୀ ସିଂହ କହିଛନ୍ତି ଯେ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳକୁ ନକ୍ସଲ ମୁକ୍ତ କରାଯିବ। ଗୁରୁପ୍ରିୟା ସେତୁ ଉଦ୍‌ଘାଟନ ପରେ ସେହି ଅଞ୍ଚଳରେ ନକ୍ସଲଙ୍କ କାର୍ଯ୍ୟକଳାପ ଉପରେ ରୋକ ଲଗାଇବାକୁ ଉଦ୍ୟମ ହୋଇଛି। ସ୍ୱାଭିମାନ ଅଞ୍ଚଳରେ କ୍ୟାମ୍ପ ବସାଇଛି ବିଏସ୍‌ଏଫ୍‌। ଗୁରୁପ୍ରିୟା ସେତୁଠାରୁ ୧୧ କିମି ପର୍ଯ୍ୟନ୍ତ ଅଞ୍ଚଳରେ ନକ୍ସଲଙ୍କ କାର୍ଯ୍ୟକଳାପ ବନ୍ଦ ହୋଇଯାଇଛି। କାଲିମେଳା ପରି ଏକ ଅଞ୍ଚଳରୁ ନକ୍ସଲ କାର୍ଯ୍ୟକଳାପ ଲୋପ ପାଇଛି। ଭବିଷ୍ୟତରେ କାଟଣପାଲ୍ଲି, ଖୟାଙ୍ଗରେ ବିଏସ୍‌ଏଫ୍‌ ମୁତୟନ କରାଯାଇ ଛତିଶଗଡ଼ ଆଗକୁୁ ଅଗ୍ରସର ହେବାକୁ ଯୋଜନା ରହିଛି। ଦକ୍ଷିଣ କୋରାପୁଟର ରାଲେଗଡ଼ା, ସୁଙ୍କି ଓ ପେଟେରୁ ଅଞ୍ଚଳରେ ମୁତୟନ ହୋଇଥିବା ବିଏସ୍‌ଏଫ୍‌ ଯବାନ ଧୀରେ ଧୀରେ ହଟ୍‌ ବେଡ୍‌କୁ ଯିବେ। ଏବେ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳ, କାଳିମେଳାର ବିଜାଙ୍ଗିଓ୍ଵାଡା ଜଙ୍ଗଲ, କୋରାପୁଟ ଜିଲ୍ଲାର ତୁଳସୀ ଆରଏଫ୍‌, ପଟାଙ୍ଗୀ ଓ ନାରାୟଣପାଟଣା ଅଞ୍ଚଳରେ ଜାରି ରହିଛି। ଗୁରୁପ୍ରିୟା ସେତୁ ପରେ ଏବେ ସ୍ୱାଭିମାନ ଅଞ୍ଚଳ ଉପରେ ବିଏସ୍‌ଏଫ୍‌ ଅଧିକ ଫୋକସ୍‌ କରୁଛି ବୋଲି ଭୁବନେଶ୍ୱରସ୍ଥିତ ବିଏସ୍‌ଏଫ୍‌ କ୍ୟାମ୍ପ ଅଫିସ୍‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂହ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର