ଭୁବନେଶ୍ୱର: ପୋଲାଭରମ୍‌ ପ୍ରକଳ୍ପ ଜୋରଦାର ଆଗେଇ ଚାଲିଛି। ଓଡ଼ିଶାକୁ ଅନ୍ଧାରରେ ରଖି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରାଳୟ ପକ୍ଷରୁ ବାରମ୍ବାର ‘କାର୍ଯ୍ୟ ବନ୍ଦ ଆଦେଶ’କୁ ଘୁଞ୍ଚାଯାଉଛି। ଯଦି ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ ହୁଏ, ତେବେ ଓଡ଼ିଶାର ଦୀର୍ଘଦିନର ଦାବି ପ୍ରସଙ୍ଗଗୁଡ଼ିକ ଅସମାହିତ ରହିଯିବ। ଫଳରେ ଚିରଦିନ ପାଇଁ ରାଜ୍ୟର ବହୁସଂଖ୍ୟକ ଆଦିବାସୀ ଦୁର୍ଦଶାର ଶିକାର ହେବା ଭଳି ଗୁରୁତର ପରିସ୍ଥିତି ସୃଷ୍ଟି ହେବ।

Advertisment

ଆଜି ଏଭଳି ଗୁରୁତର ସମସ୍ୟା ସଂପର୍କରେ ଚିଠି ମାଧ୍ୟମରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କଠାରେ ଉଦ୍‌ବେଗ ଜଣାଇଛନ୍ତିି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପରିପ୍ରେକ୍ଷୀରେ ପୋଲାଭରମ୍‌ ପ୍ରକଳ୍ପ ତୁରନ୍ତ ବନ୍ଦ କରିବା ନେଇ ରାଜ୍ୟ ସରକାରଙ୍କ ପୁରୁଣା ଦାବିକୁ ସେ ଦୋହରାଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଦର୍ଶାଇଛନ୍ତି, ୨୦୧୫ ସେପ୍ଟେମ୍ବର ୧୬ ଓ ୨୦୧୭ ନଭେମ୍ବର ୨୮ ତାରିଖରେ ଏହି ପ୍ରସଙ୍ଗରେ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଶ୍ରୀ ପଟ୍ଟନାୟକଙ୍କ କହିବାନୁସାରେ ପୋଲାଭରମ୍‌ ପ୍ରକଳ୍ପର ନିର୍ମାଣ ଦ୍ୱାରା ଗୋଦାବରୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌ଙ୍କ ସୁପାରିସର ଉଲ୍ଲଂଘନ ହୋଇଛି। ଏହି ନିର୍ମାଣ ଦ୍ୱାରା ଓଡ଼ିଶାରେ ପ୍ରବାହିତ ସାବେରୀ ଓ ସିଲେରୁ ନଦୀରେ କେତେ ପରିମାଣରେ ଜଳ(ବ୍ୟାକ୍‌ଓ୍ଵାଟର) ଫେରିଆସିବ, ତା’ର ଆକଳନ କରାଯାଇନାହିଁ। ଓଡ଼ିଶା ପକ୍ଷରୁ ସୁପ୍ରିମ କୋର୍ଟରେ ଦାୟର ହୋଇଥିବା ୨୦୦୭ର ମାମଲା ଏବେ ବି ବିଚାରାଧୀନ ରହିଛି।ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ ଏହି ପ୍ରକଳ୍ପ ନିମନ୍ତେ ୨୦୦୫ରେ ମିଳିଥିବା ପରିବେଶ ମଞ୍ଜୁରି ବସ୍ତୁତଃ ଅର୍ଥହୀନ। କାରଣ ଏଥିପାଇଁ ଉଭୟ ଓଡ଼ିଶା ଓ ଛତିଶଗଡ଼ରେ ପ୍ରଭାବିତ ଅଞ୍ଚଳରେ ଜନଶୁଣାଣି ହୋଇନାହିଁ। ଏହି ପରିବେଶ ମଞ୍ଜୁରିକୁ ଜାତୀୟ ପରିବେଶ ଆପିଲେଟ୍‌ କର୍ତ୍ତପକ୍ଷ(ଏନ୍‌ଇଏଏ) ବି ଅଗ୍ରାହ୍ୟ କରିଦେଇଛନ୍ତି। ଅନ୍ୟପକ୍ଷରେ ଏନ୍‌ଇଏଏଙ୍କ ଏହି ଆଦେଶକୁ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ସ୍ଥଗିତ ରଖିଛନ୍ତି। ଏହି ମାମଲାକୁ ସୁପ୍ରିମ କୋର୍ଟକୁ ସ୍ଥାନାନ୍ତର ପାଇଁ ଉଭୟ ଛତିଶଗଡ଼ ଓ ଓଡ଼ିଶା ସରକାରଙ୍କ ଆବେଦନକୁ ସର୍ବୋଚ୍ଚ ଅଦାଲତ ଗ୍ରହଣ କରିଛନ୍ତି। ୨୦୧୫ ଜୁନ୍‌ ୨୩ ତାରିଖରେ ପରିବେଶ ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ସର୍ତରେ ପ୍ରକଳ୍ପ ନିର୍ମାଣର ‘କାର୍ଯ୍ୟ ବନ୍ଦ ଆଦେଶ’କୁ ବର୍ଷକ ପାଇଁ ସ୍ଥଗିତ ରଖାଯାଇଥିଲା। ପୁନର୍ବାର ୨୦୧୬ ଅଗଷ୍ଟ ୧୨ ତାରିଖରେ ଆଉ ବର୍ଷକ ପାଇଁ ‘କାର୍ଯ୍ୟ ବନ୍ଦ ଆଦେଶ’ ସ୍ଥଗିତ ପାଇଁ ନିର୍ଦେଶ ଦେଇଥିଲା ସଂପୃକ୍ତ ମନ୍ତ୍ରାଳୟ। ମନ୍ତ୍ରାଳୟର ଏଭଳି ‘କାର୍ଯ୍ୟ ବନ୍ଦ ଆଦେଶ’ ପ୍ରଦାନ ବେଳେ ଓଡ଼ିଶାକୁ ଅବଗତ କରାଯାଉନାହିଁ। ପରୋକ୍ଷରେ ପୋଲାଭରମ୍‌ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ଅନୁମତି ଦିଆଯାଉଥିବା ମୁଖ୍ୟମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରି କହିଛନ୍ତି। ଏଣୁ, ଓଡ଼ିଶାର ପ୍ରକଳ୍ପ ସଂପର୍କିତ ବିଭିନ୍ନ ପ୍ରସଙ୍ଗର ସମାଧାନ ନ ହେବା ପର୍ଯ୍ୟନ୍ତ ଏହାର ନିର୍ମାଣ କାର୍ଯ୍ୟ ତୁରନ୍ତ ବନ୍ଦ କରିବା ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ଚାପ ପକାଇଛନ୍ତି।