ପାନ୍ଥନିବାସର ଘରୋଇକରଣ ବନ୍ଦ କର, ଚିଠି ଲେଖି କ୍ଷୋଭ ଜଣାଇଲେ ୫ ପାନ୍ଥନିବାସର କର୍ମଚାରୀ

ନବୀନ ନିବାସ ଆଗରେ ଆତ୍ମାହୁତି ଚେତାବନୀ

ଭୁ‌ବନେଶ୍ୱର : କରୋନା ଯୋଗୁଁ ପର୍ଯ୍ୟଟନ କ୍ଷେତ୍ର ଗୁରୁତର ପ୍ରଭାବିତ ହୋଇଛି। ମାତ୍ର ଏଭଳି ସ୍ଥିତିରେ ପର୍ଯ୍ୟଟନ ଭିତ୍ତିଭୂମି ସଜାଡ଼ିବା ପରିବର୍ତେ ୫ ପାନ୍ଥନିବାସକୁ ଘରୋଇକରଣ କରିଦେବାକୁ ଚକ୍ରାନ୍ତ କରାଯାଉଛି। ଉତ୍କଳ ପର୍ଯ୍ୟଟନ ନିଗମ କର୍ମଚାରୀ ସଂଘ ଏନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଘରୋଇକରଣ ନକରିବାକୁ ଦାବି କରି ଆସିଛି। ମାତ୍ର ବାରମ୍ବାର ବିରୋଧ ସତ୍ତ୍ବେ ନା ସରକାରୀ ସୂତ୍ରରୁ କର୍ମଚାରୀ ସଂଘକୁ ଡାକି ଆଲୋଚନା କରାଗଲା, ନା ଏ ସମ୍ପର୍କରେ କ’ଣ ପୁନର୍ବିଚାର କରାଗଲା ସେ ସମ୍ପର୍କରେ ଅବଗତ କରାଯାଉଛି। ଫଳରେ ଏହା ବିରୋଧରେ ପୁଣି ଅଣ୍ଟା ଭିଡ଼ିଛନ୍ତି ଘରୋଇକରଣ ପାଇଁ ନିର୍ଧାରିତ ହୋଇଥିବା ୫ ପାନ୍ଥନିବାସର କର୍ମଚାରୀବୃନ୍ଦ।

facebook.com

ଗୋପାଳପୁର, ତପ୍ତପାଣି, ଭଦ୍ରକ, ବାଲେଶ୍ବର ପାନ୍ଥନିବାସ ଓ ଧଉଳି ପାନ୍ଥିକାର କର୍ମଚାରୀମାନେ ସଂଘ ଜରିଆରେ ଏ ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଘରୋଇକରଣ ପ୍ରସ୍ତାବକୁ ଦୃଢ଼ ବିରୋଧ କରିବା ସହ ଏହାର ପ୍ରତିବାଦ କରିଛନ୍ତି। ଯଦି ଏ ସମ୍ପର୍କରେ ପୁନର୍ବିଚାର କରାଯାଇ ଘରୋଇକରଣ ଯୋଜନାକୁ ସ୍ଥଗିତ କରାନଯାଏ ତେବେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଆତ୍ମାହୁତି ଦେବେ ‌ବୋଲି ଉକ୍ତ ୫ ପାନ୍ତ ନିବାସର କର୍ମଚାରୀମାନେ ଲିଖିତ ଭାବେ ଜଣାଇଛନ୍ତି।

ସଂଘର କାର୍ଯ୍ୟକାରୀ ସଭାପତି ବେଣୁଧର ପାତ୍ର କହିଛନ୍ତି, ଅବସର ବିନୋଦନ ନିମନ୍ତେ ପାନ୍ଥନିବାସ ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତମାନଙ୍କ ପ୍ରଥମ ପସନ୍ଦ ରହିଆସିଛି। ୨୦୦୩-୦୪ରୁ ରାଜ୍ୟର ସମସ୍ତ ପାନ୍ଥନିବାସ ନିୟମିତ ଲାଭରେ ଚାଲିଛି। ଏପର୍ଯ୍ୟନ୍ତ ସବୁ ଖର୍ଚ୍ଚ ଯାଇ ୨୦୧୯-୨୦ ସୁଦ୍ଧା ଲାଭ ୩୦ କୋଟିରେ ପହଞ୍ଚିଛି। ପାନ୍ଥନିବାସ ପରିଚାଳନା କରୁଥିବା ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ୨୦୧୮-୧୯ରେ ସରକାରଙ୍କୁ ୨ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରିଛି। ଏସବୁ ସତ୍ତ୍ବେ ୫ଟି ପାନ୍ଥନିବାସକୁ ହୋଟେଲ୍ ସଂସ୍ଥା ହାତରେ ଟେକି ଦେବାକୁ ହୀନ ଚକ୍ରାନ୍ତ ହେଉଛି। ଏହା କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ। ସଂଘର ସଭାପତି ଶିବାନନ୍ଦ ରାୟ କହିଛନ୍ତି, ଏନେଇ କିଛିଦିନ ତଳେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ନିବେଦନ କରିଥିଲୁ। କର୍ମଚାରୀମାନଙ୍କ ହିତ ଦୃଷ୍ଟିରୁ ସଂଘର କର୍ମକର୍ତାଙ୍କୁ ଡାକି ଆଲୋଚନା କରିବାକୁ ଅନୁରୋଧ କରିଥିଲୁ। କିନ୍ତୁ କେହି ଶୁଣିଲେ ନାହିଁ। ତେଣୁ ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ୫ ପାନ୍ଥନିବାସ କର୍ମଚାରୀମାନେ ଏକାଠି ଆତ୍ମାହୁତି ଦେବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର