ୟୁ-ଟ୍ୟୁବ୍ ପାଠପଢ଼ା ଠପ୍: ପ୍ରାଥମିକ ଶ୍ରେଣୀ ପାଇଁ ଆଉ ଲିଙ୍କ୍ ଦିଆଯାଉନି, ଦୂରଦର୍ଶନ, ରେଡିଓ, ହ୍ବାଟସପ୍ କଥା ଭୁଲିଗଲେ
ନବମ ଓ ଦଶମରେ ଚାଲିଛି, ପିଲା ଦେଖୁନାହାନ୍ତି
ଭୁବନେଶ୍ବର: କରୋନାର ପ୍ରଥମ ଓ ଦ୍ବିତୀୟ ଲହରରେ ଅନ୍ଲାଇନ୍ ଶିକ୍ଷା ସାଜିଥିଲା ମାଧ୍ୟମ। ହ୍ବାଟସ-ଆପ୍, ଦୂରଦର୍ଶନ, ରେଡିଓ ପାଠଶାଳା, ୟୁ-ଟ୍ୟୁବ୍ ପରି ଏକାଧିକ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯାଉଥିଲା। ପ୍ରତିଦିନ ଘଣ୍ଟାଘଣ୍ଟା ଧରି ପିଲାଙ୍କୁ ପଢ଼ାଉଥିଲେ ଶିକ୍ଷକ ଶିକ୍ଷୟିତ୍ରୀ। ଫୁରସତ୍ ବି ମିଳୁ ନ ଥିଲା। ଗୋଟିଏ ପରେ ଗୋଟିଏ ଅଭିନବ ଉଦ୍ୟମ କରାଯିବା ଦ୍ବାରା ଛାତ୍ରଛତ୍ରୀ ସହଜ ଓ ସରଳ ଭାବେ ଘରେ ରହି ପଢ଼ି ପାରୁଥିଲେ। ମାତ୍ର କରୋନାର ତୃତୀୟ ଲହରରେ ସେସବୁ ବ୍ୟବସ୍ଥା ଏକପ୍ରକାର ଫେଲ୍ ମାରିଛି। ପ୍ରାଥମିକ ଶ୍ରେଣୀ ତଥା ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଆଉ ୟୁ-ଟ୍ୟୁବ୍ରେ ପଢ଼ା ଯାଉନାହିଁ। ସ୍କୁଲଗୁଡ଼ିକୁ ଅନ୍ଲାଇନ୍ ଲିଙ୍କ୍ ଦିଆଯାଉନାହିଁ। ଜିଲ୍ଲାସ୍ତରରେ ଯିଏ ଯେମିତି ପାରିଲା ପିଲାଙ୍କୁ ପଢ଼ାଇଲା। କେଉଁଠି ଶିକ୍ଷକମାନଙ୍କୁ ଗାଁକୁ ଗାଁ ବୁଲି ପଢ଼ାଇବାକୁ କୁହାଯାଉଛି ତ ଆଉ କେଉଁଠି ଶିକ୍ଷକ ଶିକ୍ଷୟିତ୍ରୀ ହ୍ବାଟସ୍-ଆପ୍ରେ ମାଟେରିଆଲ୍ ପଠାଇ ଦେଉଛନ୍ତି। ପିଲା ପଢ଼ିଲେ କି ନାହିଁ, କେହି ତଦାରଖ କରୁନାହାନ୍ତି।
ସେପଟେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁ-ଟ୍ୟୁବ୍ କ୍ଲାସ ଚାଲିଛି ସତ। ମାତ୍ର ତାହାକୁ କେହି ଦେଖୁନାହାନ୍ତି। ଅର୍ଥାତ୍ ୨୦୨୧ରେ କରୋନାର ଦ୍ବିତୀୟ ଲହର ସମୟରେ ୯ମ ଓ ଦଶମ ଶ୍ରେଣୀର ୩ ଲକ୍ଷ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ୟୁ-ଟ୍ୟୁବ୍ ପଢ଼ୁଥିଲେ। ମାତ୍ର ଏବେ ସ୍ଥିତି ସମ୍ପୂର୍ଣ୍ଣ ଓଲଟା। ଗୋଟିଏ ବିଷୟର ପାଠ୍ୟକ୍ରମକୁ ଦୁଇ ହଜାର ପିଲା/ଅଭିଭାବକ ବି ଦେଖୁନାହାନ୍ତି। କେତେକ ବିଷୟରେ ୨୦୦ରୁ ୩୦୦ ଦର୍ଶକ ରହିଥିବା ନଜରକୁ ଆସିଛି। ସ୍ଥିତି ଏମିତି ହେଲାଣି ଯେ ପିଲା ଧୀରେଧୀରେ ଅନ୍ଲାଇନ୍ ପାଠପଢ଼ାରୁ ମୁହଁ ଫେରାଉଛନ୍ତି। ପ୍ରଥମତଃ ସଚେନତାର ଅଭାବ ଓ ଦ୍ବିତୀୟତଃ କୌଣସି ନିର୍ଦ୍ଦିଷ୍ଟ ରୂପରେଖ ପ୍ରସ୍ତୁତ ହୋଇପାରିନାହିଁ। ଜାନୁଆରି ୫ରୁ କ୍ଲାସରୁମ୍ ପାଠପଢ଼ା ବନ୍ଦ ହୋଇଥିଲେ ମଧ୍ୟ ପିଲାମାନେ କିଭଳି ପଢ଼ିବେ, ଗଣଶିକ୍ଷା ବିଭାଗ କୌଣସି ଗୁରୁତ୍ବ ଦେଇନି। ବିଭାଗୀୟ ସଚିବ ବଦଳିବା ପରେ ସବୁ ଯେପରି ଏକପ୍ରକାର ଠପ୍ ହୋଇଯାଇଛି। ପର୍ଯ୍ୟାପ୍ତ ଭିତ୍ତିଭୂମି ନ ଥିବା ସତ୍ତ୍ବେ, ଦୁଇବର୍ଷ ହେଲା ଯେଉଁ ଭଳି ପାଠପଢ଼ା ଚାଲିଥିଲା, ଏଥର ତାହା ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି। ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ପଞ୍ଚାୟତ ନିର୍ବାଚନ ଉପରେ ଫୋକସ୍ ଦେଇଥିବା ବେଳେ ନୂଆ ସଚିବ କରୋନା କାରଣରୁ ଅସୁସ୍ଥ ପରିପ୍ରେକ୍ଷୀରେ ସବୁକିଛି ବିଲମ୍ବିତ ହୋଇଯାଇଛି। ୧୫ଦିନ ହେଲା କ୍ଲାସରୁମ୍ ପାଠପଢ଼ା ବନ୍ଦ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗୋଟିଏ ବି ସମୀକ୍ଷା ବୈଠକ ନିଆଯାଇପାରିନାହିଁ।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଦ୍ବିତୀୟ ଲହର ସମୟରେ ହ୍ବାଟସ୍-ଆପ୍, ଦୂରଦର୍ଶନ, ରେଡିଓ ମା
ଧ୍ୟମରେ ପାଠପଢ଼ା ହେଉଥିଲା। ପିଲା ଘରେ ରହି ଅଭିଭାବକଙ୍କ ଦିଗ୍ଦର୍ଶନରେ ପଢ଼ୁଥିଲେ। ମାତ୍ର ଏସବୁ କଥା ଏବେ ସମସ୍ତେ ଯେପରି ଭୁଲି ଯାଇଛନ୍ତି। ଦୁଇ ବର୍ଷ ହେଲା ପ୍ରଥମରୁ ୫ମ ଶ୍ରେଣୀ ପିଲାଙ୍କ ପାଇଁ କ୍ଲାସରୁମ୍ ପାଠପଢ଼ା ବନ୍ଦ। ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ କେତେବେଳେ ଖୋଲୁଛି ତ ଆଉ କେତେବେଳେ ବନ୍ଦ। ୬ଷ୍ଠରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଖୋଲିଥିଲେ ମଧ୍ୟ ଏବେ ପୁଣି ବନ୍ଦ ହୋଇଯାଇଛି। ଶିକ୍ଷାର ଏଭଳି ବିପର୍ଯ୍ୟୟରେ ପିଲାମାନେ କିଭଳି ପଢ଼ିବେ? ସେମାନଙ୍କ ଭବିଷ୍ୟତ କ’ଣ ହେବ? ପରୀକ୍ଷା ହେବ କି ନାହିଁ? ଯଦି ପରୀକ୍ଷା ନ ହୁଏ ତେବେ ବିକଳ୍ପ ବ୍ୟବସ୍ଥା କ’ଣ କରାଯିବ? ସେନେଇ ଲକ୍ଷାଧିକ ପିଲା ମାନସିକ ଚିନ୍ତାରେ ଦିନ କାଟୁଛନ୍ତି। ହେଲେ ବିଭାଗୀୟ ଅଧିକାରୀଙ୍କର ସେଥିପ୍ରତି କୌଣସି ଧ୍ୟାନ ନାହିଁ। ଦଶମରେ ଏମିତି କିଛି ପିଲା ଅଛନ୍ତି, ଯେଉଁମାନେ ସ୍ଥିର କରିନେଲେଣି କି ଏଥର ବି ମାଟ୍ରିକ୍ ପରୀକ୍ଷା ହେବନି। ବିକଳ୍ପ ମୂଲ୍ୟାୟନ କରାଯିବ।
ଦଶମ ଶ୍ରେଣୀ ପିଲାଙ୍କ ଭବିଷ୍ୟତ ନେଇ ଅନିଶ୍ଚିତତା ଲାଗି ରହିଛି। କାରଣ ଏବେ ସୁଦ୍ଧା ମାତ୍ର ୫୦% ସିଲାବସ୍ ପାଠପଢ଼ା ଶେଷ ହୋଇଛି। ଫର୍ମାଟିଭ୍-୧ ଓ ଫର୍ମାଟିଭ୍-୨ ପରୀକ୍ଷା ସରିଛି। ଫର୍ମାଟିଭ୍-୩ ଓ ଫର୍ମାଟିଭ୍-୪ ପରୀକ୍ଷା ହେବ କି ନାହିଁ ସେନେଇ ସମସ୍ତେ ଦ୍ବନ୍ଦ୍ବରେ। ଶିକ୍ଷକ ଶିକ୍ଷୟିତ୍ରୀ ବି ଜାଣିପାରୁ ନାହାନ୍ତି। ପିଲାମାନେ ପାଠପଢ଼ା ଛାଡ଼ି ଦେଲେଣି। କିଭଳି ବାକି ଥିବା ବିଷୟଗୁଡ଼ିକ ପଢ଼ାଯିବ, ସେନେଇ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ୯ମ ଶ୍ରେଣୀ ପିଲାଙ୍କ ଫର୍ମାଟିଭ୍-୩ ଓ ଫର୍ମାଟିଭ୍-୪ ପରୀକ୍ଷା ବି ହୋଇପାରି ନଥିବାରୁ ସେମାନେ ବି ଚିନ୍ତାରେ ପଡ଼ିଛନ୍ତି।