ଭୁବନେଶ୍ବର: ୨୦୧୯ ମାଟ୍ରିକ୍‌ ପରୀକ୍ଷାରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ହାଇସ୍କୁଲଗୁଡ଼ିକ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସରକାର। ଶୂନ ‌ଓ ୫୦ ପ୍ରତିଶତରୁ କମ୍‌ ପାସ୍‌ହାର ଥିବା ଉଚ୍ଚ ବିଦ୍ୟାଳୟଗୁଡ଼ିକ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ସରକାରୀ ଉଚ୍ଚ ବିଦ୍ୟାଳୟ, ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଅନୁଦାନପ୍ରାପ୍ତ ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କ ବାର୍ଷିକ ଦରମା ବୃଦ୍ଧି ବନ୍ଦ ହେବ। ଏଥିସହ ଛାତ୍ରଛାତ୍ରୀ ଫେଲ୍‌ ହୋଇଥିବା ବିଷୟର ଶିକ୍ଷକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ୭ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ବାବଦରେ ସବିଶେଷ ବିବରଣୀ ଦାଖଲ କରିବାକୁ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ନିର୍ଦେଶ ଦିଆଯାଇଛି।

Advertisment

ଏଥର ମାଟ୍ରିକ୍‌ ପରୀକ୍ଷାରେ ସରକାରୀ ସ୍କୁଲର ଖରାପ ପ୍ରଦର୍ଶନ ନେଇ ସାରା ରାଜ୍ୟରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଶିକ୍ଷାଦାନ, ପରୀକ୍ଷା ପରିଚାଳନା, ପାଠପଢ଼ା ଶୈଳୀକୁ ନେଇ ମଧ୍ୟ ପ୍ରଶ୍ନ ଉଠିବା ପରେ ଗତ ଜୁନ୍‌ ୭ ତାରିଖରେ ‘ଶୂନ’ ରେଜଲ୍ଟ କରିଥିବା ୮୨ଟି ଉଚ୍ଚ ବିଦ୍ୟାଳୟକୁ କାରଣଦର୍ଶାଅ ନୋଟିସ୍‌ ଜାରି ହୋଇଥିଲା। ଏଭଳି ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ପ୍ରଧାନଶିକ୍ଷକ କାହିଁକି ନିଲମ୍ବିତ ନ ହେବେ? ସ୍କୁଲର ଗ୍ରାଣ୍ଟ ଇନ୍‌-ଏଡ୍‌ କାହିଁକି ପ୍ରତ୍ୟାହୃତ ନ ହେବ? ସେନେଇ ଉତ୍ତର ରଖିବା ପାଇଁ ନିର୍ଦେଶ ଦିଆଯାଇଥିଲା। ସେହିପରି ୫୦ପ୍ରତିଶତରୁ କମ୍‌ ପାସ୍‌ହାର ଥିବା ହାଇସ୍କୁଲଗୁଡ଼ିକର ପ୍ରଧାନ ଶିକ୍ଷକଙ୍କ ବିରୋଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନ ହେବ? ବାର୍ଷିକ ଦରମା ବୃଦ୍ଧି କାହିଁକି ବନ୍ଦ ନ ହେବ? ସେନେଇ ଗୋଟିଏ ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦେଶ ଦିଆଯାଇଥିଲା। କିନ୍ତୁ କୌଣସି ବିଦ୍ୟାଳୟ ଏହି ନିର୍ଦେଶକୁ ଖାତିର କରି ନଥିଲେ। ନୈରାଶ୍ୟଜନକ ପ୍ରଦର୍ଶନ ନେଇ ନିର୍ଦ୍ଦେଶାଳୟକୁ ଉତ୍ତର ଦେଇ ନ ଥିଲେ। ଯେଉଁଥିପାଇଁ ଏବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ପ୍ରଧାନଶିକ୍ଷକଙ୍କୁ ନାଲି ଆଖି ଦେଖାଇବା ସହ ସେମାନଙ୍କ ବିରୋଧରେ ସିଧାସଳଖ କାର୍ଯ୍ୟାନୁଷ୍ଠାନ ଲାଗି ଡିଇଓମାନଙ୍କୁ ନିର୍ଦେଶ ଦେଇଛି। ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ନେଇ ଶିକ୍ଷକଙ୍କ ମହଲରେ କୋ‌କୁଆ ଭୟ ସୃଷ୍ଟି ହୋଇଛି।