ଅଟକିଛି ମାଓ ଉପଦ୍ରୁତ ଅଞ୍ଚଳର ବିକାଶ

କେନ୍ଦ୍ରରେ ପଡ଼ିଛି ୯୯ ରାସ୍ତା ଓ ପୋଲ ପ୍ରକଳ୍ପ ଫାଇଲ୍‌

ଭୁବନେଶ୍ୱର: ମାଓ ଉପଦ୍ରୁତ ଅଞ୍ଚଳରେ ଗମନାଗମନ ଓ ଯୋଗାଯୋଗର ବିକାଶ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ବାସ୍ତବ ଚିତ୍ର କିନ୍ତୁ ନିଆରା। ଚଳିତବର୍ଷ ଓଡ଼ିଶା ସରକାର ମାଓ ଉପଦ୍ରୁତ ଅଞ୍ଚଳର ବିକାଶ ପାଇଁ ମୋଟ ୯୯ଟି ରାସ୍ତା ଓ ପୋଲ ପ୍ରକଳ୍ପ ସଂକ୍ରାନ୍ତ ଫାଇଲ୍‌ କେନ୍ଦ୍ର ସରକାରଙ୍କୁ ଦେଇଥିଲେ ମଧ୍ୟ ଏହାର କୌଣସି ଅଗ୍ରଗତି ହୋଇପାରୁନାହିଁ। ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ଵିତ ପାଇଁ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଗତ ୭ ତାରିଖରେ ପୂର୍ତ୍ତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଚିଠି (ନଂ୨୨୫୪/୧୨.୦୯.୨୦୧୮) ମାଧ୍ୟମରେ ଜଣାଇ ଦିଆଯାଇଛି। ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ମଧ୍ୟ ଏସବୁ ପ୍ରକଳ୍ପ କାର୍ଯ୍ୟର ତ୍ୱରାନ୍ଵିତ ନେଇ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗ ଜାରି ରଖିଛି। ରାଜ୍ୟ ସରକାର ଦୁଇଟି ପର୍ଯ୍ୟାୟରେ ଏସବୁ ମାଓ ଉପଦ୍ରୁତ ଅଞ୍ଚଳରେ କାର୍ଯ୍ୟକାରୀ ହେବାକୁ ଥିବା ରାସ୍ତା ଓ ପୋଲ ପ୍ରକଳ୍ପ ତାଲିକା କେନ୍ଦ୍ର ସରକାରଙ୍କ ଅନୁମୋଦନ ନିମନ୍ତେ ପଠାଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୭୨ଟି ପ୍ରକଳ୍ପ ତାଲିକା ପଠାଯାଇଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ୨୭ଟି ରାସ୍ତା ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ନିମନ୍ତେ ପଠାଯାଇଛି। ପ୍ରଥମ ପର୍ଯ୍ୟାୟ ୭୨ଟି ପ୍ରକଳ୍ପ ମଧ୍ୟରୁ ରାୟଗଡ଼ା ଜିଲ୍ଲାରେ ୭ଟି, କଳାହାଣ୍ଡି ଜିଲ୍ଲାରେ ୧୦ଟି, କନ୍ଧମାଳ ଜିଲ୍ଲାରେ ୯ଟି, ନୂଆପଡ଼ା ଜିଲ୍ଲାରେ ୬ଟି, ବଲାଙ୍ଗୀର ଜିଲ୍ଲାରେ ୧୧ଟି, ବରଗଡ଼ ଜିଲ୍ଲାରେ ୪ଟି, ଦେବଗଡ଼ ଜିଲ୍ଲାରେ ୭ଟି, ସମ୍ବଲପୁର ଜିଲ୍ଲାରେ ୭ଟି, ବୌଦ୍ଧ ଜିଲ୍ଲାରେ ୪ଟି, ନବରଙ୍ଗପୁର ଜିଲ୍ଲାରେ ୭ଟି ପ୍ରକଳ୍ପ ସଂପର୍କରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଜଣାଇ ଦିଆଯାଇଛି। ସେହିଭଳି ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୨୭ଟି ରାସ୍ତା ପ୍ରକଳ୍ପର ତାଲିକା କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟକୁ ଦିଆଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଦିଆଯାଇଥିବା ୨୭ଟି ରାସ୍ତା ପ୍ରକଳ୍ପ କେବଳ କୋରାପୁଟ ଓ ମାଲ୍‌କାନଗିରି ଜିଲ୍ଲାରେ କାର୍ଯ୍ୟକାରୀ କରାଯିବ ବୋଲି ରାଜ୍ୟ ଗୃହ ବିଭାଗ ଅତିରିକ୍ତ ସଚିବ ପି.ସି. ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର