ଅଟକିଛି ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର, ପ୍ରଥମ ପର୍ଯ୍ୟାୟରେ ମଞ୍ଜୁର ହୋଇଥିଲା ୧.୩୫ କୋଟି

ଜିଲ୍ଲା ପ୍ରଶାସନ ଦେଇଥିଲେ ୫୦ ଏକର ଜାଗା

ରାଉରକେଲା : ରାଉରକେଲା ସହରରେ ହେବାକୁ ଥିବା ସୁନ୍ଦରଗଡ଼ର ଦ୍ବିତୀୟ କୃଷି ବିଜ୍ଞାନ କେନ୍ଦ୍ର ବିବାଦରେ ଅଟକିଛି। ଜାଗାକୁ ନେଇ ଉପୁଜିଥିବା ବିବାଦରୁ ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପର ଭାଗ୍ୟ ଏବେ କୋର୍ଟରେ ଝୁଲୁଛି। ପ୍ରାୟ ୫ ବର୍ଷ ଧରି କେବଳ ଅଧପନ୍ତରିଆ ପାଚେରୀରେ ସୀମିତ ରହିଛି। ବିବାଦୀୟ ଜାଗା ପରିବର୍ତ୍ତେ କୁଆରମୁଣ୍ଡା କିମ୍ବା ଲାଠିକଟାର କୌଣସି ଜାଗାରେ କରାଯିବାକୁ ଦାବି ହେଉଛି। ମାତ୍ର ଜିଲ୍ଲା ପ୍ରଶାସନ ଏ ଦିଗରେ ଆଜି ଯାଏ କୌଣସି ଠୋସ୍‌ ପଦକ୍ଷେପ ନେଇ ନାହାନ୍ତି। ଜିଲ୍ଲାର ଚାଷୀମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି କୋର୍ଟରେ ରହିଥିବା ମାମଲାକୁ ସମାଧାନ କରି କିପରି କୃଷି ବିଜ୍ଞାନ କେନ୍ଦ୍ର ନିର୍ମାଣକୁ ଆଗେଇ ନିଆଯିବ ସେଥିପ୍ରତି ଜିଲ୍ଲା ପ୍ରଶାସନ ନା ସ୍ଥାନୀୟ ଜନ ପ୍ରତିନିଧି କାହାରି ପକ୍ଷରୁ ସେତେଟା ଗୁରୁତ୍ବ ଦିଆଯାଉ ନାହିଁ। ରାଜନୈତିକ ଦଳଗୁଡ଼ିକ ମଧ୍ୟ ଏହି ପ୍ରକଳ୍ପକୁ ସମ୍ପୂର୍ଣ୍ଣ ପାସୋରି ଗଲାପରି ମନେ ହେଉଛି। ଫଳରେ ପ୍ରକଳ୍ପ ଭାଗ୍ୟ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି।

ଜିଲ୍ଲାରେ କୃଷିର ବିକାଶ ପାଇଁ ଭାରତୀୟ କୃଷି ଅନୁସନ୍ଧାନ କେନ୍ଦ୍ର (ଆଇସିଏଆର୍‌) ପକ୍ଷରୁ ରାଉରକେଲାର ସେକ୍ଟର-୧୩ ଓମଫେଡ୍‌ ନିକଟ ବାଙ୍କିଆରେ ୫୦ ଏକର ଆର୍‌ଏସ୍‌ପି ଅବ୍ୟବହୃତ ଜାଗାକୁ ଚିହ୍ନଟ କରାଯାଇଥିଲା। ଚିହ୍ନଟ ଜାଗାର ଚତୁଃପାର୍ଶ୍ବରେ ପାଚେରୀ ନିର୍ମାଣ କାମ ଆରମ୍ଭ ହୋଇଥିଲା। ଯାହାକୁ ବିସ୍ଥାପିତ ପରିବାର ପକ୍ଷରୁ କଡା ବିରୋଧ କରାଯାଇଥିଲା। ବିସ୍ଥାପିତଙ୍କ ଚାଷ ଜମିରେ କୃ୍ଷି ବିଜ୍ଞାନ କେନ୍ଦ୍ର କରି ଅନ୍ୟତ୍ର କରିବାକୁ ଆର୍‌ଏସ୍‌ପିର ବିସ୍ଥାପିତ ଦାବି କରିଥିଲେ। କାରଣ ଯେଉଁଠାରେ କୃଷି ବିଜ୍ଞାନ କେନ୍ଦ୍ର ନିର୍ମାଣ ହେଉଥିଲା, ସେହି ଜମି ସେମାନଙ୍କର ବୋଲି ଦାବି କରିଥିଲେ। ଏହାକୁ କେନ୍ଦ୍ରକରି ଉଭୟ ଜିଲ୍ଲା ପ୍ରଶାସନ ଓ ବିସ୍ଥାପିତ ପରିବାରଙ୍କ ମଧ୍ୟରେ ମୁ‌‌ହାଁମୁହିଁ ସ୍ଥିତି ଉପୁଜିଥିଲା। ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ୧୪୪ ଜାରି କରି ପାଚେରୀ ନିର୍ମାଣ ଆରମ୍ଭ କରିଥିଲେ। ବିସ୍ଥାପିତ କଡା ବିରୋଧ ଯୋଗୁଁ ପାଚେରୀ କାମ ଆଗେଇ ପାରି ନଥିଲା। ଶେଷରେ ବିସ୍ଥାପିତ ପରିବାର ବାଧ୍ୟ ହୋଇ ହାଇକୋର୍ଟରେ ଦ୍ବାରସ୍ଥ ହୋଇଥିଲେ। ଗତ ୨୦୧୬ରେ ଏପ୍ରିଲ ମାସରେ ହାଇକୋର୍ଟ ମାମଲାର ଶୁଣାଣୀ କରି ଘଟଣାସ୍ଥଳରେ ରହିତାଦେଶ ଜାରି କରିଥିଲେ।

ରହିତାଦେଶ ଜାରି ପରେ ସହକାରୀ କୃ୍ଷି ସଚିବ, ଓୟୁଟିର ବରିଷ୍ଠ ଅଧିକାରୀ ବିବାଦିତ ବାଙ୍କିଆ ପରିବର୍ତ୍ତେ କୁଆରମୁଣ୍ଡା ଡାଏରୀ ଫାର୍ମ ପରିଦର୍ଶନରେ ଆସିଥିଲେ। ସେମାନେ ଜିଲ୍ଲା ପ୍ରଶାସନକୁ କୁଆରମୁଣ୍ଡା କିମ୍ବା ଲାଠିକଟା ବ୍ଲକର ଅନ୍ୟ ଏକ ସ୍ଥାନ ଚିହ୍ନଟ କରିବାକୁ ପରାମର୍ଶ ଦେଇଥିଲେ। ବିଡମ୍ବନା, ଅଦ୍ୟାବଧି ଜିଲ୍ଲା ପ୍ରଶାସନ ଦୁଇଟି ସ୍ଥାନରୁ କୌଣସି ଗୋଟିଏ ଜାଗା ଚିହ୍ନଟ କରି ଚୁପ୍‌ ବସିଛନ୍ତି। ସ୍ମାର୍ଟସିଟି ରାଉରକେଲାର ଏହି ପ୍ରକଳ୍ପ ଅଗ୍ରଗତି ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଉ ନଥିବାରୁ ସହରବାସୀଙ୍କ ଅସନ୍ତୋଷ ଦେଖାଦେଇଛି। ଉଲ୍ଲେଖଯୋଗ୍ୟ, ପ୍ରସ୍ତାବିତ କୃଷି ବିଜ୍ଞାନ କେନ୍ଦ୍ରରେ ଚାଷୀଙ୍କ ପାଇଁ ଦୁଇଟି ହଷ୍ଟେଲ, କର୍ମଚାରୀଙ୍କ କ୍ବାର୍ଟର୍ସ, ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା, ଡାଏରୀ ୟୁନିଟ୍‌, କୁକୁଡା ଫାର୍ମ, ଛତୁ ଲାବ୍ରୋଟୋରି, ଛତୁ ଉତ୍ପାଦନ ୟୁନିଟ୍‌, ମୃତ୍ତିକା ପରୀକ୍ଷା ଲାବ୍ରୋଟୋରି ଆଦି ଅନେକ ବିଭାଗ ନିର୍ମାଣ ହୋଇଥାନ୍ତା। ଏହି ବିଜ୍ଞାନ କେନ୍ଦ୍ର ଦ୍ବାରା ନୂଆଗାଁ, କୁଆରମୁଣ୍ଡା, ବିଶ୍ରା, ଲାଠିକଟା, ବଣାଇଗଡ, କୋଇଡା, ଲହୁଣିପଡା, ରାଜଗାଙ୍ଗପୁର ଓ ଗୁରୁଣ୍ଡିଆ ଆଦି ବ୍ଲକର ଚାଷୀମାନେ ବେଶ୍‌ ଉପକୃତ ହୋଇଥାନ୍ତେ।

ସମ୍ବନ୍ଧିତ ଖବର