ଅଟକିଲା ପତିତପାବନଙ୍କ ନାଗାର୍ଜୁନ ବେଶ: ଦୃଢ଼ ବିରୋଧ କଲେ ସିଂଘାରୀ ସେବକ

ଡିସେମ୍ବର ତୃତୀୟ ସପ୍ତାହରୁ ମହାପ୍ରଭୁଙ୍କ ଦର୍ଶନ

ପୁରୀ: ଚଳିତବର୍ଷ କରୋନା ମହାମାରୀ ପାଇଁ ଭକ୍ତମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ସଂପୂର୍ଣ୍ଣ କଟକଣା ଭିତରେ ଶ୍ରୀମନ୍ଦିର ପ୍ରଶାସନ ଏହି ବେଶ କରିବାକୁ ନିଷ୍ପତ୍ତି ନେଇଛି। ମହାପ୍ରଭୁଙ୍କୁ ନ ହେଲେ ନାହିଁ, ପତିତପାବନଙ୍କୁ ଦର୍ଶନ କରି ଭକ୍ତ ମନ ଭରିନେବେ ବୋଲି ଆଶା ରଖିଥିଲେ। ତେଣୁ ପତିତପାବନଙ୍କୁ ନାଗାର୍ଜୁନ ବେଶ କରି ଭକ୍ତଙ୍କୁ ବେଶ ଦର୍ଶନ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିଲା। କିନ୍ତୁ ଏହି ଆଶା ମଉଳି ଯାଇଛି। ଶେଷ ମୁହୂର୍ତ୍ତରେ ଏହି ନିଷ୍ପତ୍ତିକୁ ବାତିଲ୍ କରି ଦିଆଯାଇଛି। ସିଂଘାରୀ ସେବକଙ୍କ ଦୃଢ଼ ବିରୋଧ ଓ ସ୍ବତ୍ତ୍ବଲିପି ଆଧାରରେ ଏହି ବଡ଼ ପଦକ୍ଷେପକୁ ବନ୍ଦ କରି ଦିଆଯାଇଛି।

ଅନ୍ୟପକ୍ଷରେ ଦୀର୍ଘ ୨୬ ବର୍ଷ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପୁଣି ଦୁର୍ଲ୍ଲଭ ନାଗାର୍ଜୁନ ବେଶରେ ଦର୍ଶନ ଦେବେ। ଆସନ୍ତା ୨୭ ତାରିଖ ଶୁକ୍ରବାର ଦିନ ବୀର ବେଶରେ ସଜେଇ ହେବେ ମହାପ୍ରଭୁ। ଏଥିପାଇଁ ଦଶହରା ଠାରୁ ହରଚଣ୍ଡୀ ସାହି ଚକ୍ରକୋଟ ଜାଗାରେ ବେଶ ପ୍ରସ୍ତୁତି କାମ ଜୋରସୋରରେ ଆଗେଇ ଚାଲିଛି। କିନ୍ତୁ ଦୁର୍ଭାଗ୍ୟର ବିଷୟ ଭକ୍ତମାନେ ଏହି ବେଶ ଦର୍ଶନରୁ ବଞ୍ଚିତ ହେବେ। ଏହି ଦୃଷ୍ଟିରୁ ବହୁ ଆଲୋଚନା ପର୍ଯ୍ୟାଲୋଚନା ପରେ ପୂଜାପଣ୍ଡା ନିଯୋଗ ପତିତପାବନଙ୍କୁ ବେଶ କରିବା ଉପରେ ଜିଦ୍‌ ଧରିଥିଲେ। ଅନ୍ୟମାନେ ବି ପରୋକ୍ଷରେ ଏଥିରେ ସହମତି ଜଣାଇଥିଲେ। ଆଶା ଥିଲା ପତିତପାବନଙ୍କୁ ସିଂହଦ୍ବାରରୁ ନାଗାର୍ଜୁନ ବେଶରେ ଦର୍ଶନ କରି ଭକ୍ତମାନେ ଆତ୍ମତୃପ୍ତି ଲାଭ କରିବେ। ଆଜିର ବୈଠକରେ ଏହି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଥିଲା।

ଶ୍ରୀମନ୍ଦିର ପ୍ରଶାସନ ନୀତି ସଂପୃକ୍ତ ନିଯୋଗର କର୍ମକର୍ତ୍ତାଙ୍କ ମତାମତ ଲୋଡ଼ିଥିଲା। ପୂଜାପଣ୍ଡା ନିଯୋଗ ପତିତପାବନଙ୍କୁ ବେଶ କରିବା ଉପରେ ସହମତି ଜଣାଇଥିଲେ। କିନ୍ତୁ ସିଂଘାରୀ ନିଯୋଗ ଏହାର ବିରୋଧ କରିଥିଲା। ସିଧାସଳଖ କୁହାଯାଇଥିଲା କି ପତିତପାବନଙ୍କୁ ବେଶ କଲେ ପରମ୍ପରା ଭଙ୍ଗ ହେବ। ଏଥିରେ ସିଂଘାରୀ ନିଯୋଗ ଅସହଯୋଗ କରିବ ବୋଲି ମତ ଦେଇଥିଲା। ଏପରିକି ପତିତପାବନଙ୍କୁ ତାଙ୍କ ନିଯୋଗରୁ କେହି ବେଶ କରିବେନି ବୋଲି ସିଧାସଳଖ କୁହାଯାଇଥିଲା। ଏହାପରେ ଶ୍ରୀମନ୍ଦିର ସ୍ବତ୍ତ୍ବଲିପିର ତର୍ଜମା କରାଯାଇଥିଲା। କେଉଁ ସମୟରେ ପତିତପାବନ ନାଗାର୍ଜୁନ ବେଶ ହୋଇଛନ୍ତି, ‌ତା’ର ଖୋଳତାଡ଼ କରାଯାଇଥିଲା। ୧୯୯୩ ମସିହାରେ ଅନୁଷ୍ଠିତ ନାଗାର୍ଜୁନ ବେଶ ସମୟରେ ପତିତପାବନ ବେଶ ହୋଇନଥିବା ଜଣାପଡ଼ିବା ପରେ ଶେଷରେ ଏହି ନିଷ୍ପତ୍ତିକୁ ବନ୍ଦ କରି ଦିଆଯାଇଛି।

ଏ ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାର କହିଛନ୍ତି, ଶ୍ରୀମନ୍ଦିର ସ୍ବତ୍ତ୍ବଲିପିକୁ ଆଧାର କରି ପତିତପାବନଙ୍କୁ ନାଗାର୍ଜୁନ ବେଶ କରିବା ନିଷ୍ପତ୍ତି ବନ୍ଦ କରାଯାଇଛି। ସିଂଘାରୀ ନିଯୋଗ ସଭାପତି ହରେକୃଷ୍ଣ ସିଂଘାରୀ କହିଛନ୍ତି, ଆଜି ପର୍ଯ୍ୟନ୍ତ କେବେ ବି ପତିତପାବନ ନାଗାର୍ଜୁନ ବେଶ ହୋଇନାହାନ୍ତି। କେବଳ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶ ହୋଇଛି। ଯଦି ପତିତପାବନଙ୍କୁ ନାଗାର୍ଜୁନ ବେଶ କରାଯାଇଥାନ୍ତା, ଏହା ଶ୍ରୀମନ୍ଦିର ପରମ୍ପରାକୁ ଭଙ୍ଗ କରିଥାନ୍ତା। ଏହି ଦୃଷ୍ଟିରୁ ଏହି ନିଷ୍ପତ୍ତିକୁ ବାତିଲ୍ କରି ଦିଆଯାଇଛି। ତଥାପି ଯଦି ପତିତପାବନଙ୍କୁ ବେଶ କରିବା ଉପରେ କିଛି ନିଷ୍ପତ୍ତି ନିଆଯାଏ, ଆମ ନିଯୋଗ ଏଥିରେ ସାମିଲ୍‌ ହେବନି ବୋଲି ଶ୍ରୀ ସିଂଘାରୀ କହିଛନ୍ତି।

ପୁରୀ: ଡିସେମ୍ବର ତୃତୀୟ ସପ୍ତାହରେ ଆପାତତଃ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତ ରହିଛି। ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର। ଏଥିସହିତ, କୋଭିଡ୍ କଟକଣା ଭିତରେ ଆସନ୍ତା ୨୭ ତାରିଖ ଦିନ ନାଗାର୍ଜୁନ ବେଶ ନୀତିକାନ୍ତି କରିବାକୁ ଛତିଶାନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଭୋର ୪ଟାରୁ ମହାପ୍ରଭୁଙ୍କୁ ବେଶ ଲାଗି ହେବାକୁ ଥିବାବେଳେ ପାରମ୍ପରିକ ବିଧିମତେ ରାତି ୨ଟାରେ ଶ୍ରୀମନ୍ଦିର ଭିତରକୁ ବେଶ ନିଆଯିବ। ଏଥିପାଇଁ ଶୃଙ୍ଖଳାକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ଶ୍ରୀମନ୍ଦିର ଚାରିପଟେ ତ୍ରି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନିଆଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

ସେ କହିଛନ୍ତି ଯେ, ୨୬ ତାରିଖ ରାତି ପ୍ରାୟ ୨ଟାରେ ହରଚଣ୍ଡୀ ସାହିରୁ ଘଣ୍ଟଘଣ୍ଟା ଓ କାହାଳୀ ସହ ଶୋଭାଯାତ୍ରାରେ ବେଶକୁ ଶ୍ରୀମନ୍ଦିରକୁ ନିଆଯିବ। ବେଶ ଆସିବା ସମୟରେ ଯେଭଳି କିଛି ବିଶୃଙ୍ଖଳା ନ ହେବ ସେ ଉପରେ କଡ଼ା ନଜର ଦିଆଯିବ। ପୁଲିସ ସୁରକ୍ଷା ବଳୟ ଭିତରେ ଶ୍ରୀମନ୍ଦିରକୁ ବେଶ ଅଣାଯିବ। କୌଣସି ସେବାୟତ, ପୁଲିସ କିମ୍ବା ଅଧିକାରୀ ଯେଭଳି ଶ୍ରୀମନ୍ଦିର ଭିତରକୁ ମୋବାଇଲ୍ ଓ କ୍ୟାମେରା ଆଦି ନ ନେବେ ସେ ଉପରେ କଡ଼ା ନଜର ରହିବ। ଶ୍ରୀମନ୍ଦିର ଭିତରେ ଏଥିପାଇଁ ସ୍ବତନ୍ତ୍ର ସୁରକ୍ଷା ବଳୟ ତିଆରି କରାଯିବ। ସୁରକ୍ଷା ବଳୟ ମୋବାଇଲ୍ ଓ କ୍ୟାମେରା ଆଦି ଯାଞ୍ଚ କରିବ। ଭକ୍ତଙ୍କ ଦର୍ଶନ ସଂପର୍କରେ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ଡିସେମ୍ବର ତୃତୀୟ ସପ୍ତାହରେ ଆପାତତଃ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତ ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର