ସଂଗ୍ରାମୀଙ୍କ ତ୍ୟାଗପୂତ ଜୀବନ କାହାଣୀ ଘରେଘରେ ପହଞ୍ଚୁ: ରାଜ୍ୟପାଳ

‘ଅଗ୍ନିପୁତ୍ର ବିପ୍ଳବୀ ଆନନ୍ଦ ଚନ୍ଦ୍ର’ ପୁସ୍ତକ ଲୋକାର୍ପିତ

କେନ୍ଦ୍ରାପଡ଼ା/ଭୁବନେଶ୍ବର: ଦେଶ ବର୍ତ୍ତମାନ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି ା ଏହି ସମୟରେ  ସ୍ବାଧୀନତା ସଂଗ୍ରାମୀଙ୍କ ଜୀବନୀ ଓ ତାଙ୍କ ଜୀବନଚର୍ଯ୍ୟା ଦେଶର ପ୍ରତିଟି ଘରେ ପହଞ୍ଚିବା ଦରକାର। ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ଏମିତି ଜଣେ ସଂଗ୍ରାମୀ ଥିଲେ, ଯାହାଙ୍କ ତ୍ୟାଗପୂତ ଜୀବନ ସମସ୍ତଙ୍କ ପାଇଁ ପ୍ରେରଣା ହେବା ଦରକାର। ଜଣେ ନିର୍ଭୀକ ଲେଖକ ହିସାବରେ ‌ସେ ସମୟରେ ତାଙ୍କ ରଚିତ କବିତା କେବଳ ଓଡ଼ିଶା କାହିଁକି, ସାରା ଭାରତବର୍ଷରେ ଅନ୍ୟାୟ, ଅନୀତି ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ସାଧାରଣ ଲୋକଙ୍କୁ ସାହସ ଦେଉଥିଲା। ସ୍ବର୍ଗତ ଜେନାଙ୍କ ଉଦ୍ଦେଶ୍ୟରେ ଲିଖିତ ‘ଅଗ୍ନିପୁତ୍ର ବିପ୍ଲବୀ ଆନନ୍ଦ ଚନ୍ଦ୍ର ପୁସ୍ତକକୁ ଉନ୍ମୋଚନ କରି ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ ଆଜି ଏହା କହିଛନ୍ତି।

ସ୍ଥାନୀୟ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ଟାଉନ ହଲ୍‌ରେ ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନା  ସ୍ମୃତି କମିଟି ପକ୍ଷରୁ ଆ‌ୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପୁସ୍ତକକୁ ଉନ୍ମୋଚନ କରି କହିଲେ ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନା ଜଣେ ନିର୍ଭୀକ ଲେଖକ ଥିଲେ ା ତାଙ୍କ ରଚିତ କବିତା  ‘ଦୁଃଖିନୀ କନିକା’ ସାରା ଭାରତବର୍ଷରେ ଆଲୋଡ଼ନ ସୃଷ୍ଟି କରିଥିଲା। ତାଙ୍କ ଏହି କବିତା ମହାତ୍ମାଙ୍କ ସଂପାଦିତ ‘ୟଙ୍ଗ ଇଣ୍ଡିଆ’ର ଇଂରାଜୀ ଅନୁବାଦରେ ପ୍ରକାଶିତ ହୋଇ ସେତେବେଳେ ସାରା ଭାରତ ବର୍ଷରେ ଆଲୋଡ଼ନ ସୃଷ୍ଟି କରିଥିଲା ବୋଲି ରାଜ୍ୟପାଳ କହିଥିଲେ।

ମୁଖ୍ୟବକ୍ତା ଭାବେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ କାଳଜୟୀ କବିତା ଉପରେ ଆଲୋକପାତ କରି କହିଲେ ‘ଦୁଃଖିନୀ କନିକା’କୁ ତତ୍କାଳୀନ ଇଂରେଜ ସରକାର ସେତେବେଳେ ବର୍ଜନ କରିଥିଲେ। ହେଲେ ଏହାର ଇଂରାଜୀ ଅନୁବାଦ ପଢ଼ି ପଣ୍ତିତ ମଦନ ମୋହନ ମାଲବ୍ୟ, ଲାଲାଲଜପତ ରାୟ, ଆଚାର୍ଯ୍ୟ କୃପାଳିନୀ, ଚିତ୍ତରଂଜନ ଦାସ, ଡ. ସବରକର ଏବଂ ଗାନ୍ଧୀଜୀ ପ୍ରମୁଖ ସଂଗ୍ରାମୀମାନେ ଅବାକ୍‌ ହୋଇଯାଇଥିଲେ। ବିଶିଷ୍ଟ ଅତିଥି ଭାବେ  କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା ସ୍ବର୍ଗତ ଜେନାଙ୍କ ସ୍ବାଧୀନତା ସଂଗ୍ରାମରେ ଯୋଗଦାନ ଓ କନିକା ରାଜାଙ୍କ ଆକ୍ରୋଶର ଶିକାର ହୋଇ ନିର୍ଯାତିତ ହେବାର କରୁଣ ଘଟଣାବଳୀ ଉପରେ ଆଲୋକପାତ କରିଥିବା ବେଳେ ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ସମିତିର ସଭାପତି ନୀଳମଣି ସାମଲ କନିକା ପ୍ରଜା ଆନ୍ଦୋଳନରେ ତାଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ। ସ୍ମୃତି କମିଟି ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ଅମ୍ବିକା ପ୍ରସାଦ ଦାସ ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ଲେଖକ ନିରଞ୍ଜନ ମେକାପଙ୍କ ଦ୍ବାରା ରଚିତ ‘ଅଗ୍ନିପୁତ୍ର ବିପ୍ଳବୀ ଆନନ୍ଦ ଚନ୍ଦ୍ର ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ସେହିପରି ଇଷ୍ଟକୋଷ୍ଟ ରେଳପଥର ବରିଷ୍ଠ ଜନସଂପର୍କ ଅଧିକାରୀ ତଥା କବି ନିରାକାର  ଦାସ, ଜୁଭେନାଇଲ  ଜଷ୍ଟିସ୍‌ ବୋର୍ଡର ପୂର୍ବତନ ସଭ୍ୟ ବିପିନ ବିହାରୀ ବାରିକ, ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ସଂଘର ସଭାପତି ନୀଳମଣି  ସାମଲ, କେନ୍ଦ୍ରାପଡ଼ା ପୌରପାଳିକା ପୌରାଧ୍ୟକ୍ଷା ସରିତା ସାହୁ, ସଂଗ୍ରାମୀଙ୍କ ଦାୟଦ ସଂଜୟ ଜେନା, ପୁସ୍ତକ ପ୍ରକାଶକ ଡ.ହୟଗ୍ରୀବ ହରେକୃଷ୍ଣ ଗୁରୁଙ୍କ ସମେତ ଦଶଜଣ କୃତୀ ଛାତ୍ରଛାତ୍ରୀଙ୍କୁ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ। ଏହି ପରି‌ପ୍ରେକ୍ଷୀରେ ଚିତ୍ରଶିଳ୍ପୀ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥିଙ୍କୁ ବିପ୍ଲବୀଙ୍କ ତୈଳଚିତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ। ସଭାପତି କରୁଣାକର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସ୍ମୃତି କମିଟିର ସମ୍ପାଦକ ରମଣୀ ରଂଜନ ରାଉତରାୟ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର