ହଜାରେ ହାଇସ୍କୁଲ ବନ୍ଦ ନେଇ ଗୃହରେ ଝଡ଼

ଅକଳରେ ପକାଇଦେଲେ ନରସିଂହ ଓ ତାରା
ନିଜ ଆସନରେ ଠିଆ ହୋଇ ରହିଲେ
ମନ୍ତ୍ରୀ କହିଲେ ସ୍କୁଲ ବନ୍ଦ ନେଇ ନିଷ୍ପତ୍ତି ହୋଇନି
ଗୃହ ବାରମ୍ବାର ମୁଲତବୀ

ଭୁବନେଶ୍ବର : ସରକାର ୧ ହଜାର ହାଇସ୍କୁଲ ବନ୍ଦ କରିବାକୁ ଯାଉଛନ୍ତି। ଏ ନେଇ ଆଜି ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ବିଧାନସଭାରେ ଝଡ଼ ସୃଷ୍ଟି ହୋଇଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଅକଳରେ ପକାଇ ଦେଇଥିଲେ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ସରକାରଙ୍କୁ ଚେତାବନୀ ଦେଇ କହିଥିଲେ, ସରକାର ଯଦି ଏପରି ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନିଅନ୍ତି ତାହେଲେ ଆଗାମୀ ଦିନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ। ଗୃହରେ ଆଲୋଚନା ନ ହେବା ଯାଏ ଏ ସଂକ୍ରାନ୍ତରେ କୌଣସି ନିଷ୍ପତ୍ତି ହୋଇପାରିବନି। ଏ ନେଇ ସରକାରଙ୍କଠାରୁ ପ୍ରତିଶ୍ରୁତି ଦାବି କରି ଉଭୟ ସଦସ୍ୟ ଗୃହରେ ନିଜ ନିଜ ଆସନରେ ଠିଆ ହୋଇ ରହିଥିଲେ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଦୁଇ ଜଣଙ୍କୁ ଯେତେ ବୁଝାଇଲେ ବି କେହି ବୁଝି ନଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସରକାରୀ ସ୍ତରରେ ସ୍କୁଲ ବନ୍ଦ ନେଇ କୌଣସି ନିଷ୍ପତ୍ତି ହୋଇନଥିବା ସ୍ପଷ୍ଟ କରିଥିଲେ ବି ସେମାନେ ଶୁଣିନଥିଲେ। ଫଳରେ ଅପରାହ୍ନ ୪ଟା ୩୬ରୁ ୫ଟା ୨୫ ପର୍ଯ୍ୟନ୍ତ ଗୃହ ମୁଲତବୀ ରହିଥିଲା।

ଅପରାହ୍ନରେ ଶ୍ରୀ ମିଶ୍ର ଏହି ପ୍ରସଙ୍ଗ ଉଠାଇ କହିଥିଲେ, ବିଧାନସଭା ବସିଥିବା ବେଳେ ସରକାର କୌଣସି ନୀତିଗତ ନିଷ୍ପତ୍ତି ନେଇପାରିବେ ନାହିଁ। ‘ସମ୍ବାଦ’ରେ ପ୍ରକାଶିତ ଖବର ଅନୁଯାୟୀ, ରାଜ୍ୟରେ ୧ ହଜାର ସ୍କୁଲ ବନ୍ଦ ହେବ। ଏ ନେଇ ଚଳିତ ମାସ ୧୫ ତାରିଖରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ପାଖକୁ ଏକ ଚୂଡ଼ାନ୍ତ ଚିଠା ପ୍ରସ୍ତାବ ପଠାଇଛନ୍ତି। ସରକାର ଗୃହକୁ ବିଶ୍ବାସକୁ ନ ନେଇ କିପରି ଏତେବଡ଼ ନିଷ୍ପତ୍ତି ନେଇପାରିବେ? ସ୍କୁଲ ଯଦି ରହିବନି ପିଲାମାନେ ପାଠ ପଢ଼ିବେ କିପରି? ପୂର୍ବରୁ ମଧ୍ୟ ସରକାର ଏପରି ପ୍ରାଥମିକ ବିଦ୍ୟାଳୟ ବନ୍ଦ ନେଇ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଗୃହରେ ପ୍ରବଳ ବିରୋଧ ଓ ଅଚଳାବସ୍ଥା ସୃଷ୍ଟି ହେବାରୁ ସରକାରଙ୍କୁ ନିଷ୍ପତ୍ତି ପରିବର୍ତ୍ତନ କରିବାକୁ ପଡ଼ିଥିଲା। ଏବେ ସରକାର କାହାରିକୁ ନ ଜଣାଇ ପ୍ରକ୍ରିୟା ଚୂଡ଼ାନ୍ତ କରିବାକୁ ଯାଉଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଏପରି ନିଷ୍ପତ୍ତି କେମିତି ହେଲା ସେ ସମ୍ପର୍କରେ ଗୃହରେ ସ୍ପଷ୍ଟୀକରଣ ରଖନ୍ତୁ।

ଯେ ପର୍ଯ୍ୟନ୍ତ ମନ୍ତ୍ରୀ ସ୍ପଷ୍ଟ ନ କରିବେ, ସେ ପର୍ଯ୍ୟନ୍ତ ନିଜ ଆସନରେ ଠିଆ ହୋଇ ରହିବେ ବୋଲି ଶ୍ରୀ ମିଶ୍ର କହିଥିଲେ। ଫଳରେ ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା ବିଭାଗର ଖର୍ଚ୍ଚଦାବି ଗୃହରେ ଆଲୋଚନା ନ ହୋଇ ଆସନ୍ତା ୩୦ ତାରିଖରେ ଗିଲୋଟିନ୍‌ ଜରିଆରେ ପାରିତ ହେବ ବୋଲି ବାଚସ୍ପତି ଶ୍ରୀ ପାତ୍ର ଘୋଷଣା କରିଥିଲେ।

ବାଚସ୍ପତିଙ୍କ ନିର୍ଦ୍ଦେଶରେ ମନ୍ତ୍ରୀ ଶ୍ରୀ ଦାଶ କହିଥିଲେ, ସ୍କୁଲ ବନ୍ଦ ହେବା ନେଇ ‘ସମ୍ବାଦ’ରେ ଯେଉଁ ଖବର ପ୍ରକାଶ ପାଇଛି ସେଥିରେ ଗୋଟିଏ ବିସ୍ମୟାସୂଚକ ଚିହ୍ନ ଲଗାଯାଇଛି। ୧ ହଜାର ସଂଖ୍ୟା ତ ଦୂର କଥା କୌଣସି ପ୍ରକାରେ ସ୍କୁଲ ବନ୍ଦ ନେଇ ସରକାର କିଛି ବି ନିଷ୍ପତ୍ତି ନେଇନାହାନ୍ତି। କିଛି ସ୍କୁଲରେ ଶିକ୍ଷକ ଅଛନ୍ତି ଅଥଚ ପିଲା ନାହାନ୍ତି। ଆଉ କେତେକ ସ୍କୁଲରେ ପିଲା ଅଛନ୍ତି କିନ୍ତୁ ଶିକ୍ଷକ ନାହାନ୍ତି। ଏଭଳି ସ୍କୁଲଗୁଡ଼ିକୁ ରେସନାଲାଇଜେସନ୍‌ କରିବା ପାଇଁ ସରକାର ଗୋଟିଏ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିରେ କୌଣସି ନୀତିଗତ ନିଷ୍ପତ୍ତି ହୋଇନାହିଁ। ଏ ସମ୍ପର୍କରେ ଗତ ବର୍ଷ ଅକ୍ଟୋବର ୨୨ ତାରିଖର ପ୍ରଥମ ଚିଠି କରି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏ ପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ। ସରକାର କିଛି ବି ଗୃହକୁ ଲୁଚାଇବାକୁ ଉଦ୍ୟମ କରିନାହାନ୍ତି କି କରିବେ ନାହିଁ।

ମନ୍ତ୍ରୀଙ୍କ ସ୍ପଷ୍ଟୀକରଣକୁ ଶ୍ରୀ ମିଶ୍ର ଗ୍ରହଣ କରିନଥିଲେ। ଜିଦ୍‌ ଧରି କହିଥିଲେ ଯେ ମନ୍ତ୍ରୀ ଗୃହକୁ ଆଶ୍ବସ୍ତ କରି କୁହନ୍ତୁ ଗୃହରେ ଆଲୋଚନା ନ ହେବା ପର୍ଯ୍ୟନ୍ତ ସରକାର କୌଣସି ନିଷ୍ପତ୍ତି ନେବେ ନାହିଁ। ଯଦି ସରକାର ଗୃହକୁ କିଛି ବି ଲୁଚାଇବାକୁ ଚାହୁଁନାହାନ୍ତି, ତାହେଲେ ମନ୍ତ୍ରୀ ଏତିକି କହିବାରେ କାହିଁକି ପଛାଉଛନ୍ତି? ସରକାରଙ୍କ ଆଭିମୁଖ୍ୟରୁ ଲାଗୁଛି ଯେ, ଆଗାମୀ ଦିନରେ ସବୁ ସରକାରୀ ସ୍କୁଲ ବନ୍ଦ କରିଦେବେ। ଫଳରେ ରାଜ୍ୟରେ କେବଳ ଘରୋଇ ସ୍କୁଲମାନେ ଶିକ୍ଷା ପ୍ରଦାନ କରିବେ। ସରକାରଙ୍କ ଏପରି ଉଦ୍ୟମକୁ ନେଇ ଓଷ୍ଟା ଓ ଶିକ୍ଷାବିତ୍‌ମାନେ ମଧ୍ୟ ବିରୋଧ କରିବା ଆରମ୍ଭ କଲେଣି।

ବିଧାୟକ ଶ୍ରୀ ବାହିନୀପତି କହିଥିଲେ, ସ୍କୁଲରେ ପିଲା ଅଛନ୍ତି ଶିକ୍ଷକ ନ ଥିବାରୁ ପାଠ ପଢ଼ିପାରୁନାହାନ୍ତି। ଏଥିପାଇଁ ଦାୟୀ କିଏ? ଯଦି ସ୍କୁଲ ବନ୍ଦ ହେବ ତା ହେଲେ ଆଗାମୀ ଦିନରେ ସରକାରଙ୍କୁ ଜବାବ ଦେବାକୁ ପଡ଼ିବ। ବିଜୁ ପଟ୍ଟନାୟକଙ୍କ ସ୍ବପ୍ନ ସାକାର କରୁଥିବା ଏ ସରକାର ସବୁବେଳେ କହି ଆସୁଛନ୍ତି। ବିଜୁ ବାବୁ ତାଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ପ୍ରତି ପଞ୍ଚାୟତରେ ହାଇସ୍କୁଲ ଖୋଲିବାକୁ ଘୋଷଣା କରିଥିଲେ। ଆଜି ପର୍ଯ୍ୟନ୍ତ ସେସବୁ ସ୍କୁଲରେ ଶିକ୍ଷକ ନିଯୁକ୍ତି ହୋଇନାହାନ୍ତି।

ଏହି ପ୍ରସଙ୍ଗରେ ବାଚସ୍ପତି ଶ୍ରୀ ପାତ୍ର ଓ ଶ୍ରୀ ମିଶ୍ର କଥା କଟାକଟି ହେବା ଦେଖିବାକୁ ମିଳିଥିଲା। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଥିଲେ ଏହା ଛୋଟିଆ କଥା ନୁହେଁ। ପିଲାଙ୍କ ଶିକ୍ଷା ଓ ଭବିଷ୍ୟତ ଏଥିରେ ଜଡିତ ରହିଛି। ମନ୍ତ୍ରୀ ଗୃହକୁ ଆଶ୍ବସ୍ତ କରିବା ପାଇଁ ଶ୍ରୀ ନାଏକ ଦାବି କରିଥିଲେ। ଗୃହର ଅଚଳାବସ୍ଥା ଦେଖି ବାଚସ୍ପତି ଶ୍ରୀ ପାତ୍ର ଗୃହକୁ ମୁଲତବୀ ରଖିଥିଲେ। ପରେ ବାଚସ୍ପତିଙ୍କ ପ୍ରକୋଷ୍ଠରେ ଅନୌପଚାରିକ ଭାବେ କଂଗ୍ରେସ ବିଧାୟକ ଦଳ ନେତା, ବିରୋଧୀ ଦଳ ନେତା, ବିଭାଗୀୟ ମନ୍ତ୍ରୀ ଓ ସଚିବ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର