ଗଞ୍ଜାମକୁ ବାତ୍ୟା ଭୟ: ୧୦୪ ଆଶ୍ରୟସ୍ଥଳ ପ୍ରସ୍ତୁତ, ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସଜାଗ

ଛତ୍ରପୁର : ଭାରତୀୟ ପାଣିପାଗ ବିଭାଗର ତାଜା ସୂଚନା ମୁତାବକ, ବଙ୍ଗୋପସାଗର ଉପକୂଳରେ ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁବ ନାହିଁ। ଏହା ସମୁଦ୍ର ଦେଇ ଗତି କରିବ। ପବନର ଗତି ବି ସାମାନ୍ୟ ଅଧିକ ରହିବ। ଏହା ଏକ ଆଶ୍ବସ୍ତିକର ଖବର। ତଥାପି ଏହା ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଯୁଦ୍ଧକାଳୀନ ପ୍ରସ୍ତୁତି ଚଳାଇଛି। ୧୦୪ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇଛି। ସେଠାରେ ତ୍ୟାବଶ୍ୟକ ସାମଗ୍ରୀ ମହଜୁଦ୍‌ ରଖାଯାଇଛି। ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଜାରି ରଖିଛନ୍ତି। ଭିସି ମାଧ୍ୟମରେ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଜିରୋ କାଜୁଆଲ୍‌ଟିକୁ ଗୁରୁତ୍ବ ଦିଆଯିବା ସହ ପୂର୍ବ ଅନୁଭୂତିକୁ ପାଥେୟ କରି ପ୍ରସ୍ତୁତ ରହିବା ଲାଗି ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ବିଶେଷ କରି ତଳିଆ ଓ ଉପକୂଳବର୍ତ୍ତୀ ଇଲାକାର ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି।

ଜିଲ୍ଲାପାଳ କହିଛନ୍ତି, ବାତ୍ୟାକୁ ନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନି। ପାଣିପାଗ ବିଭାଗ ପକ୍ଷରୁ ପର୍ଯ୍ୟାୟକ୍ରମେ ସୂଚନା ଆସୁଛି। ଗ୍ରୀଷ୍ମ ପ୍ରବାହ ଯୋଗୁଁ ବାତ୍ୟାର ପ୍ରଭାବ କମ୍ ରହିବ ବୋଲି ଆକଳନ ହୋଇଛି। ତଥାପି ସ୍ଥିତିକୁ ନଜରରେ ରଖି ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ସଜାଗ ହୋଇ ରହିଛି। ଏଥିପାଇଁ ଭୟଭୀତ ହେବାର ଆବଶ୍ୟକ ନାହିଁ। ଜିଲ୍ଲାରେ ଥିବା ସମସ୍ତ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ କରି ରଖାଯାଇଛି। ସେଠାରେ ସମସ୍ତ ପ୍ରକାର ଆବଶ୍ୟକ ସାମଗ୍ରୀ ଯୋଗାଇଦିଆଯାଇଛି। ଜିଲ୍ଲାରେ ୩୩ଟି ବନ୍ୟା ଆଶ୍ରୟସ୍ଥଳୀ ଓ ୭୧ଟି ବାତ୍ୟା ଆଶ୍ରୟସ୍ଥଳୀ ରହିଛି। ବିଭାଗୀୟ ଅଧିକାରୀମାନେ ଏଗୁଡ଼ିକୁ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି। ତଳିଆ ଓ ଉପକୂଳବର୍ତ୍ତୀ ଇଲାକାର ଲୋକଙ୍କୁ ଭୟଭୀତ ନ ହୋଇ ସଜାଗ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।

ପରବର୍ତ୍ତୀ ସମୟରେ ସୂଚନା ଆସିଲେ ପଦକ୍ଷେପ ଗ୍ରହଣ କରାଯିବ। ସେମାନଙ୍କୁ ସଂଗେ ସଂଗେ ପକ୍କାଘର କିମ୍ବା ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରି ରନ୍ଧାଖାଦ୍ୟ ଓ ପିଇବା ପାଣିର ବ୍ୟବସ୍ଥା କରାଯିବ। ଏହାସହ ମାଟି ଓ କୁଡ଼ିଆ ଘରେ ରହୁଥିବା ଲୋକଙ୍କୁ ବି ଚିହ୍ନଟ କରାଯାଇଛି।

ଅନ୍ୟପକ୍ଷରେ ଜନସାଧାରଣ ଆତଙ୍କିନ ନହୋଇ ଅଧିକ ପରିମାଣର ସାମଗ୍ରୀ କିଣି ଘରେ ମହଜୁଦ ରଖିବା ଆବଶ୍ୟକ ନାହିଁ। ଖାଦ୍ୟ ସାମଗ୍ରୀ କଳାବଜାର ରୋକିବା ଲାଗି ବିଭାଗୀୟ ଅଧିକାରୀମାନେ ତ୍ବରିତ ପଦକ୍ଷେପ ଗ୍ରହଣ କରିବେ।  ବିଦ୍ୟୁତ ସରବରାହ ଯେଭଳି ବିଚ୍ଛିନ୍ନ ନ ହେବ, ସେଥିପ୍ରତି ଧ୍ୟାନ ଦିଆଯିବ। ଗଛ ଭାଙ୍ଗି ରାସ୍ତା ଅବରୋଧ ହେଲେ ତୁରନ୍ତ ଏହାକୁ ସଫା କରାଯିବ। ଏଥିପାଇଁ ସମସ୍ତ ଆନୁଷଙ୍ଗିକ ସାମଗ୍ରୀ ପ୍ରସ୍ତୁତ ହୋଇ ରହିଛି। ଉଦ୍ଧାର କାର୍ଯ୍ୟ ପାଇଁ ସାମଗ୍ରୀ ପ୍ରସ୍ତୁତ ରଖିବାକୁ ଅଗ୍ନିଶମ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସୂଚନା ମିଳିଛି।

ଘୋଡ଼ାହାଡ଼, ବାଘଲଟି ଓ ବାହୁଦା ଜ‌ଳସେଚନ ଉପଖଣ୍ଡରେ ସଜାଗ ରହିବାକୁ ଅଧିକାରୀମାନଙ୍କୁ ୨୪ ଘଣ୍ଟିଆ କାର୍ଯ୍ୟଭାର ଦିଆଯାଇଛି। ନଦୀତଟ ଗ୍ରାମବାସୀଙ୍କୁ ସତର୍କ ସୂଚନା ଦିଆଯାଇଛି। ନଦୀବନ୍ଧରେ ଜଳଧାରଣ କ୍ଷମତା ଅଧିକ ହେଲେ ବନ୍ୟାଜଳକୁ ନଦୀ ମାଧ୍ୟମରେ ନିଷ୍କାସନ କରାଯିବ। ଏଥିପାଇଁ ଗୃହପାଳିତ ପଶୁଙ୍କୁ ନଛାଡ଼ିବା ଏବଂ ମାଛ ଧରିବା ଲାଗି ନଦୀଗର୍ଭକୁ ନପଶିବା ଲାଗି ସତର୍କ କରାଯାଇଛି। ବିଭିନ୍ନ ସ୍ଥାନରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇ ଅଧିକାରୀମାନଙ୍କ ଫୋନ୍ ନମ୍ବର ଦିଆଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ବୈଠକରେ  ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ବିଏମସି କମିସନର୍ ଡ.ସିଦ୍ଧେଶ୍ବର ବଳିରାମ ବୋନ୍ଦାର, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ, ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କିର୍ତ୍ତି ଭାସନ୍, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇଙ୍କ ସମେତ ସମସ୍ତ ବିଭାଗର ପଦାଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର