କାଳବୈଶାଖୀରେ ଭାଙ୍ଗିଲା ଘର, ଉପୁଡ଼ିଲା ଗଛ

ବାରିପଦା: ଆଜି ଅପରାହ୍ନରେ ସାରସକଣା ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ କାଳବୈଶାଖୀର ପ୍ରଭାବ ଦେଖିବ‌ାକୁ ମିଳିଛି। ଶତାଧିକ ଘର ଛପର ଉଡ଼ିଯିବା ସହ ଗଛ ଓ ବିଦ୍ୟୁତ୍‌ଖୁଣ୍ଟ ଉପୁଡ଼ି ପଡ଼ିଛି। ବିଶେଷ କରି ରାଜାଲୋକା ଓ ଝାଡ଼ପୋଖରିଆ ପଞ୍ଚାୟତରେ ଅଧିକ କ୍ଷୟକ୍ଷତି ହୋଇଛି। ରାଜାଲୋକା ପଞ୍ଚାୟତର ପୁରୁଣାପାଣି, ରାଉତରା, ଅଁଳାତଡ଼ା, ସରଗଡ଼ା, ବେଲବରିଆ, ରାଜାଲୋକା ଅଞ୍ଚଳରେ ଗଛ ପଡ଼ି ବହୁ ଲୋକଙ୍କ ଘର ଭାଙ୍ଗିବା ସହ ବିଦ୍ୟୁତ୍‌ଖୁଣ୍ଟ ଉପୁଡ଼ି ପଡ଼ିଛି। ପୁରୁଣାପାଣି ଗ୍ରାମ‌ରେ ଜଣେ ୧୨ ବର୍ଷର ବାଳକଙ୍କ ଉପରେ ଘରକାନ୍ଥ ପଡ଼ିଯିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ଆହତ ନାବାଳକ ଜଣକ ଗୁରଭା ସିଂଙ୍କ ପୁଅ ଶିବ ସିଂ। ସେ ପଡ଼ୋଶୀ ରୁହ୍ୟା ସିଂଙ୍କ ଘରେ ଥିବା ବେଳେ ଏକ ନିମ୍ବଗଛ ଘର ଉପରେ ପଡ଼ିଯାଇଥିଲା। ସେହିପରି ରାଉତରା ଗ୍ରାମର ଉଦ୍ଧବ ନାଏକଙ୍କ ଘର ଉପରେ ଏକ ତେନ୍ତୁଳି ଗଛ ପଡ଼ିଯାଇଥିବା ବେଳେ ଘରଲୋକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ତେବେ ଗୁହାଳରେ ଥିବା କିଛି ଗାଈ ଓ ଛେଳି ଗୁରୁତର ଆହତ ହୋଇଛନ୍ତି। ରାଜାଲୋକା ରେଳଷ୍ଟେସନ୍‌ରେ ବିଦ୍ୟୁତ୍‌ଖୁଣ୍ଟ ଉପୁଡ଼ି ପଡ଼ିବାରୁ ରେଳ ଚଳାଚଳରେ ବ୍ୟାଘାତ ହୋଇଛି। ରାଜାଲୋକା ସରପଞ୍ଚ ରବିକାନ୍ତ ସିଂ, ପିଇଓ ଯୁଧିଷ୍ଠିର ବେହେରା ତଥା ରାଜସ୍ବ ନିରୀକ୍ଷକ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ବାଙ୍ଗିରିପୋଷି ବ୍ଲକ୍‌ ଅଧୀନ କଳାବାଡ଼ିଆ-ବାଙ୍ଗିରିପୋଷି ଏମ୍‌ଡିଆର୍‌-୪୫ ରାସ୍ତାର ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିପଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ବାଙ୍ଗିରିପୋଷି, ବଣକାଟି, ଗୋଲାମୁଣ୍ଡାକଟା, ପଥୁରୀ ପଞ୍ଚାୟତର ଲୋକମାନେ ରାସ୍ତାରୁ ଗଛ ସଫା କରିବା ପରେ ଅପରାହ୍ନ ୪ଟା ବେଳକୁ ଯାତାୟାତ ସ୍ବାଭାବିକ ହୋଇଥିଲା। ତେବେ ଭଲ ବର୍ଷା ହୋଇଥିବାରୁ ଚାଷ ପାଇଁ ଅନାଇ ବସିଥିବା ଚାଷୀମାନେ ଖୁସି ହୋଇଛନ୍ତି। ସେହିପରି ଗରମରୁ ମଧ୍ୟ କିଛିଟା ଆଶ୍ବସ୍ତି ମିଳିଛି।

ମୋରଡ଼ା ତହସିଲ ଅନ୍ତର୍ଗତ ମୋରଡ଼ା ବ୍ଲକ୍‌ ଦାନ୍ତିଆମୁହାଁ ପଞ୍ଚାୟତରେ ମଧ୍ୟ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ପବନର ବେଗ ଏତେ ଥିଲା ଯେ ଅନେକ ଘରର ଛପର ଉଡ଼ିଯାଇଛି ଏବଂ ଗଛ ଭାଙ୍ଗିପଡ଼ିଛି। ନୂଆସାହି ଗ୍ରାମର ସ୍ୱରସ୍ବତୀ ପାତ୍ରଙ୍କ ଘରର ୩୦ଟି ଆଜବେଷ୍ଟସ୍‌ ଉଡ଼ି ଯାଇ ଭାଙ୍ଗିଛି। ଏହା ସହିତ ଘରେ ଥିବା ଚାଉଳ, ଧାନ ତଥା ଘରର ଅନ୍ୟ ଆସବାବପତ୍ର ନଷ୍ଟ ହୋଇଛି। ଶରତ ମହାନ୍ତଙ୍କ ଟାଇଲ୍‌ ଘର ଉପରେ ଏକ କୁସୁମ ଗଛ ଗଡ଼ିପଡ଼ିବାରୁ ଭାଙ୍ଗିଯାଇଛି ଏବଂ ଧାନ ଓ ଚାଉଳ ନଷ୍ଟ ହୋଇଛି। ଉମାକାନ୍ତ ମହାନ୍ତଙ୍କ କୁକୁଡ଼ା ଫାର୍ମର ୩୦ଟି ଆଜବେଷ୍ଟସ୍‌ ଉଡ଼ି ଭାଙ୍ଗିଛି। ମହେନ୍ଦ୍ର ସିଙ୍କ ଘର ଉପରେ ଏକ ଗଛ ଗଡ଼ିପଡ଼ିବାରୁ ୮ଟି ଆଜବେଷ୍ଟସ୍‌ ଭାଙ୍ଗିଯାଇଛି। ଦାନ୍ତିଆମୁହାଁ ଏନ୍‌ଏଚ୍‌ ଛକଠାରେ ଥିବା ହରିଶ ମହାନ୍ତଙ୍କ ଚାଉମିନ୍‌ ଦୋକାନଟି ସମ୍ପୂର୍ଣ ଭାଙ୍ଗିଛି। ଅଜିତ ମହାନ୍ତଙ୍କ ମୋଟରସାଇକେଲ୍‌ ଗ୍ୟାରେଜ୍‌ର ଟିଣଛପର ଉଡ଼ିଯାଇଛି। ସେହିପରି ବିଭିନ୍ନ ସ୍ଥାନରେ ଅନେକ ଗଛ ଭାଙ୍ଗିପଡ଼ିବା ସହ ବିଦ୍ୟୁତ୍‌ ସରବରାହ ବ୍ୟାଘାତ ହୋଇଥିବା ଜଣାପଡ଼ିଛି।

ବେତନଟୀ ଅ‌ଞ୍ଚଳରେ  ବର୍ଷା ସହ ବଜ୍ରପାତ ଓ ପବନ ହୋଇଥିଲା। ପବନର ବେଗ ଅଧିକ ଥିବାରୁ ଅନେକ ପୁରୁଣା ଗଛ ଉପୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ବେତନଟୀ କାଳିକା ଛକରୁ ରେଣୁଗାଁ ଯାଇଥିବା ରାସ୍ତାରେ ରାଜକିଶୋର ସାହାଙ୍କ ଘର ନିକଟରେ ଗଛ ଉପୁଡ଼ି ପଡ଼ିବା ଫଳରେ ଦୀର୍ଘ ସମୟ ଧରି ଯାତାୟାତ ବପାଧାପ୍ରାପ୍ତ ହୋଇଥିଲା। ରାସ୍ତାରୁ ଗଛ ସଫା କରିବା ପାଇଁ ବେତନଟୀ ଦମକଳ ବାହିନୀ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲା। ହେଲେ ଲ୍ୟାଣ୍ତ ଲାଇନ୍‌ କାମ କରୁ ନଥିବାରୁ ତାହା ସମ୍ଭବ ହୋଇ ପାରି ନଥିଲା। ସେହିପରି ବିଭିନ୍ନ ଗ୍ରାମରେ ଏକାଧିକ ଘରର ଛପର ଉଡ଼ିଯାଇଥିବ‌ା ଖବର ମିଳିଛି।

ସମ୍ବନ୍ଧିତ ଖବର