ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଗୋଡ଼ାଲ ପଞ୍ଚାୟତ ବ୍ରାହ୍ମଣପଡ଼ା ଗ୍ରାମରେ ରବିବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ହୋଇଛି। ଏଥିରେ ପ୍ରାୟ ୫୦ରୁ ଅଧିକ ଘର ଭାଙ୍ଗି ଯାଇଥିବା ବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ଯମୁନା ମହରା (୬୦ବର୍ଷ)ଙ୍କୁ ସିନାପାଲି ସ୍ବାସ୍ଥ୍ୟ କେନ୍ଦ୍ର ନିଆଯାଇଥିଲା। ତାଙ୍କ ଦୁଇ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଗ୍ରାମର ପୁଷ୍ପା ଦୁବେ, ଲକ୍ଷ୍ମୀକାନ୍ତ ପରାଭୁଏ, ଗୌରୀ ଦୁବେ, ଚୈତନ୍ୟ ଖଣ୍ତାୟତ, ସୁରେନ୍ଦ୍ର ଖଣ୍ତାୟତ, ପରମାନନ୍ଦ ଖଣ୍ତାୟତ, ମହାଦେବ ସୁନାରୀ, ପଞ୍ଚାନନ ବୈଠାରୁ, କୁଶଲ ମହରା, ହିମାଂଶୁ ହରିଜନ, ଯିଶୁ ମହରା, ନିରଞ୍ଜନ ମହରା, ଓମ ପ୍ରକାଶ ମହରା, ହରି ନାଏକ, ଗଜପତି ମହରା, ପବନ କଶ୍ୟପ, ମକରନ କଶ୍ୟପ, ମନୁ ସୁନାରୀ, ନୀଳାମ୍ବର କଶ୍ୟପ, ନରେଶ ସୁନାନୀ, ଭୋକାଲୁ ମହରା, ଅନ୍ଦୁ ମହରା, ଯମୁନା କଶ୍ୟପ ପ୍ରମୁଖଙ୍କ ଘର ଭାଙ୍ଗିଥିବା ପ୍ରାଥମିକ ସର୍ଭେରୁ ଜଣାପଡ଼ିଛି।
ହାତୀବନ୍ଧା ଆର୍ଆଇ ସୁଧାଂଶୁ ମେହେର ସ୍ଥିତି ଅନୁଧ୍ୟାନ କରିବା ସହ କ୍ଷତିଗ୍ରସ୍ତ ପ୍ରାୟ ୨୦ ଜଣ ଲୋକଙ୍କୁ ପଲିଥିନ ଯୋଗାଇଦେଇଛନ୍ତି। ସୋମବାର ରାଜସ୍ବ ବିଭାଗ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯିବ ବୋଲି ସୂଚନା ଦିଆଯାଇଛି। ଗୋଡ଼ାଲ ସରପଞ୍ଚ ମୀନା ଜଗତଙ୍କ ସମେତ ପୂର୍ବ ଜିଲ୍ଲା ପରିଷଦ ସଭ୍ୟ ପ୍ରିୟରଞ୍ଜନ ମେହେର ଲୋକଙ୍କ ସୁବିଧା ଅସୁବିଧା ପଚାରି ବୁଝିଛନ୍ତି।