କାଳବୈଶାଖୀରେ ଗୟଳମୁଣ୍ଡା ଛାରଖାର

ପଣ୍ଡାପଡା: କାଳବୈଶାଖୀ ପ୍ରଭାବରେ ଘଟଗାଁ ବ୍ଲକ୍‌ ପୁରୁମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଗୟଳମୁଣ୍ଡା ଗ୍ରାମଟି ଛାରଖାର ହୋଇଯାଇଛି। ଝଡ଼ତୋଫାନରେ ଗ୍ରାମର ୨୦ରୁ ଅଧିକ ଘରର ଛପର ଉଡ଼ିଯାଇଥିବା ବେଳେ କେତେକ ଘରର କାନ୍ଥ ଭୁଶୁଡ଼ି ପଡ଼ିଛି। ବିଦ୍ୟୁତ୍ ସେବା ବିଚ୍ଛିନ୍ନ ହୋଇଯାଇଛି।

ସୂଚନା ଅନୁଯାୟୀ, ଶୁକ୍ରବାର ଅପରାହ୍ଣ ପ୍ରାୟ ୨ଟା ‌ପାଖାପାଖି ହେବ। ହଠତ୍ ଝଡ଼ତୋଫାନ ମାଡ଼ି ଆସିଥିଲା। ପ୍ରବଳ ବେଗରେ ପବନ ବହିବା କାରଣରୁ ଗ୍ରାମର ପ୍ରଶାନ୍ତ ଜୁଆଙ୍ଗ, କେଶବ ଜୁଆଙ୍ଗ, ସୁରିଆ ଜୁଆଙ୍ଗ, ଶୈଳନ୍ଦ୍ର ଜୁଆଙ୍ଗ, କୁନା ଜୁଆଙ୍ଗ, ବିଶିକା ଜୁଆଙ୍ଗ, ଧନିଆ ଜୁଆଙ୍ଗ, ଭୁତକୁନି ଜୁଆଙ୍ଗ, ଟଙ୍କଧର ଜୁଆଙ୍ଗ, ସୋମନାଥ ଜୁଆଙ୍ଗ, ଲକ୍ଷ୍ମୀଧର ଜୁଆଙ୍ଗ, ସୁକାନ୍ତି ଜୁଆଙ୍ଗ, ମନ୍ତ୍ରୀ ଜୁଆଙ୍ଗ, ବୁଧୁ ଜୁଆଙ୍ଗ, ସୋମବାରୀ ଜୁଆଙ୍ଗ, ଫୁଲମଣି ଜୁଆଙ୍ଗ, ଗୋଲାପ ଜୁଆଙ୍ଗ, ସୀତା ଜୁଆଙ୍ଗ, ଭିକାରି ଜୁଆଙ୍ଗ, ଅବୈନ୍ୟ ଜୁଆଙ୍ଗଙ୍କ ଘର ଛପର  ଉଡିଯାଇଛି।  ଘରର ଟାଇଲ, ଆଜବେଷ୍ଟସ ଉଡି ଏଣେତେଣ ପଡି ଭାଙ୍ଗିରୁଜି ଯାଇଛି।  ପ୍ରବଳବର୍ଷା ଯୋଗୁଁ ତେଣୁ ଲୋକଙ୍କ ଧାନଚାଉଳ ନଷ୍ଟ ହୋଇଛି।  ବଡ଼ବଡ଼ ଗଛ ଉପୁଡ଼ି ପଡ଼ିଛି। ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଥିବାରୁ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଛି। ଲୋ‌କେ ଅନ୍ଧାରରେ ଅଛନ୍ତି।

ଖବର ପାଇ ପୁରୁମୁଣ୍ଡା ସରପଞ୍ଚ ସନ୍ତୋଷିନୀ ନାୟକ ଗାଁରେ ପହଞ୍ଚି କ୍ଷତିଗ୍ରସ୍ତ ଲୋକଙ୍କୁ ଭେଟିବା ସହିତ କ୍ଷୟକ୍ଷତି ବୁଲି ଦେଖିଛନ୍ତି। କ୍ଷତିଗ୍ରସ୍ତ ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସେ ଦାବି କରିଛନ୍ତି।

ଝଡ଼ପ୍ରଭାବରେ ପୁରୁମୁଣ୍ଡାଠାରୁ ଅସନବାହାଳୀ ଯିବା ରାସ୍ତାରେ ଅନେକ ଗଛ ଓ ଡାଳପତ୍ର ଭାଙ୍ଗି ପଡିଛି ବରବେଡା ଗ୍ରାମର ଲୋକନାଥ ମହାନ୍ତଙ୍କ କୁକୁଡା ଫାର୍ମର  ଆଜବେଷ୍ଟସ ଛାଉଣି ଉଡିଯାଇଛି।  ପାଖାପାଖିରେ ଥିବା ଅନେକ ଗଛ ଉପୁଡିଯାଇଛି।  କ୍ଷତିଗ୍ରସ୍ତ ପରିବାର ଏବେ ଖୋଲା ଆକାଶ ତଳେ ପଡ଼ି ରହିଛନ୍ତି। ସେମାନଙ୍କୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଆବାସ ଯୋଗାଇ ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର