ଭୁବନେଶ୍ବର: ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମଲାକ୍କା ଷ୍ଟେଟ୍ ଅଞ୍ଚଳରେ ସୃଷ୍ଟ ଲଘୁଚାପ ପଶ୍ଚିମ ଆଡ଼କୁ ଗତି ଆଜି ୨୮ ତାରିଖ ଆଡ଼କୁ ଉତ୍ତର ଆଣ୍ଡାମାନ ସାଗରରେ ରହିଛି। ଏହା ଧୀରେଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଘନୀଭୂତ ହୋଇ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ୩୦ ତାରିଖ ଆଡ଼କୁ ଏକ ଅବପାତର ରୂପ ନେବ। ଏହାପରେ ଏହା ଉତ୍ତରପଶ୍ଚିମ ଦିଗରେ ଗତି କରି ପରବର୍ତ୍ତୀ ୪୮ ଘଣ୍ଟା ବା ୨ ତାରିଖ ଆଡ଼କୁ ଦକ୍ଷିଣପଶ୍ଚିମ ଓ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ବାତ୍ୟାର ରୂପ ନେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ବିଶେଷ ନଥିଲେ ମଧ୍ୟ ଓଡ଼ିଶା ଉପକୂଳସ୍ଥ ସମୁଦ୍ର ଅଶାନ୍ତ ରହିବ। ଏଣୁ ୧ ତାରିଖ ଦିନ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳର ଗଭୀର ସମୁଦ୍ର ଅଞ୍ଚଳକୁ ମତ୍ସ୍ୟଜୀବୀଙ୍କୁ ପ୍ରବେଶ ପାଇଁ ବାରଣ କରାଯାଇଛି। ଏଥିସହ ସମୁଦ୍ର ମଧ୍ୟରେ ଥିବା ମତ୍ସଜୀବୀମାନଙ୍କୁ ୧ ତାରିଖ ସୁଦ୍ଧା ଉପକୂଳକୁ ଫେରିଆସିବାକୁ ପରାମର୍ଶ ଦିଆଯାଇଛି।
ଆସନ୍ତା ୩ ଦିନ ରାଜ୍ୟର ପାଗ ଶୁଖିଲା ପଡ଼ିବ। ୩ ଓ ୪ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଥଣ୍ଡା ଏବେ ବଢ଼ିବନାହିଁ। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ସଂଲଗ୍ନ ଅଞ୍ଚଳର ପାଗ ସକାଳୁ ନିର୍ମଳ ରହିବ ଓ ଅପରାହ୍ନ ଆଡ଼କୁ ମେଘୁଆ ହୋଇପାରେ। ଦିନର ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରି ଓ ସର୍ବନିମ୍ନ ରାତି ତାପମାତ୍ରା ୧୯ ଡିଗ୍ରି ମଧ୍ୟରେ ରହିବ।